ଜଙ୍ଗଲରେ ବୁଲୁଥିବା ମାନସିକ ବିକାର ଗ୍ରସ୍ତ ଯୁବତୀ ଉଦ୍ଧାର
ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଜଙ୍ଗଲରେ ବୁଲୁଥିବା ଜଣେ ମାନସିକ ବିକାର ଗ୍ରସ୍ଥ ଯୁବତୀଙ୍କୁ ଉଦ୍ଧାର କରିଛି ଲକ୍ଷ୍ମୀପୁର ପୁଲିସ। ଉଦ୍ଧାର ପରେ ସମ୍ପୃକ୍ତ ଯୁବତୀଙ୍କୁ କୋରାପୁଟ ବାଳସୁଧାର କେନ୍ଦ୍ରକୁ ପଠାଇ ଦିଆଯାଇଛି। ଲକ୍ଷ୍ମୀପୁର ନିକଟସ୍ଥ ଘୋଡ଼ାଟିକିରି ଜଙ୍ଗଲ ଇଲାକାରେ ଜଣେ ମାନସିକ ବିକାର ଗ୍ରସ୍ଥ ଯୁବତୀ ବୁଲୁଥିବା ଖବର ମିଳିବା ପରେ ଥାନା ଅଧିକାରୀ ଗୌରହରି ସାହୁଙ୍କ ସହିତ ଏଏସଆଇ ମନୋରଞ୍ଜନ ସାହୁ ଓ ପୁଲିସ ସେଠାରେ ପହଞ୍ଚିଥିଲେ।
ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଅପରିଷ୍କାର ପୋଷାକ ପିନ୍ଧି ସେଠାରେ ଥିବା ଝରଣା ନିକଟରେ ବସି ଗୀତ ଗାଉଥିବା ଦେଖିବାକୁ ମିଳିଥିଲା । ସେଠାରୁ ତାକୁ ଉଦ୍ଧାର କରାଯାଇ ଥାନାକୁ ଅଣାଯାଇ ନୂଆ ପୋଷାକ କିଣି ପିନ୍ଧିବା ପାଇଁ ଦିଆ ଯାଇଥିଲା। ଥାନାରେ ପହଞ୍ଚିବା ପରେ ମଧ୍ୟ ସେ ତା’ର ପରିଚୟ ଦେବାକୁ ସକ୍ଷମ ନଥିଲା। ଏପରିକି ଏଠାରେ ମଧ୍ୟ ଗୁଣୁଗୁଣାଇ ଗୀତ ଗାଉଥିଲା। ଯାହା ଜଣା ଯାଉଥିଲା ବୋଧେ ସେ ହିନ୍ଦୀ ଭାଷା ଭାଷୀ ବୋଲି। ପ୍ରାପ୍ତ ବୟସ୍କା ଯୁବତୀ ହୋଇଥିବା କାରଣରୁ ଏବଂ ମାନସିକ ସ୍ଥିତି ଭଲ ନଥିବା କାରଣରୁ ରାତିରେ ବାହାରେ ବୁଲିଲେ କାଳେ କୌଣିସ ଅଘଟଣ ଘଟିବ ଆଶଂକାରେ ପୁଲିସ ତାକୁ ନେଇ କୋରାପୁଟ ସ୍ଥିତ ବାଳ ସୁଧାର କେନ୍ଦ୍ରକୁ ଜିମା ଦେଇଛି ।