ବାଲୁକା କଳା ମାଧ୍ୟମରେ ଲୋକକଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶନ କରିବାରେ ସଫଳ ଓମପ୍ରକାଶ
ବଲାଙ୍ଗୀର: ଓଡିଶାରେ ବାଲୁକା କଳାର କଥା ଉଠିଲେ ସମସ୍ତେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବୁଝିଥାନ୍ତି। ରାଜ୍ୟରେ ବହୁତ କମ କଳାକାର ଅଛନ୍ତି ଯେଉଁମାନେ ବାଲୁକା କଳାରେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି। ସେହିପରି ବାଲୁକା କଳା ପ୍ରାୟତଃ ପୂର୍ବ ଓଡିଶାରେ ବେଶ ଆଦୃତି ଲାଭ କରିଛି ସତ। କିନ୍ତୁ ପଶ୍ଚିମଓଡିଶାର ବଲାଙ୍ଗୀର ଜିଲାରେ ମଧ୍ୟ ଏହିଭଳି ଜଣେ ଯୁବକ ଅଛନ୍ତି ଯିଏକି ଏହି କଳାକୁ ଆପଣେଇ ନେଇ ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି ବାଲିରେ ତିଆରି କରି ଉଚ୍ଚପ୍ରଶଂସିତ ହୋଇପାରିଛନ୍ତି। ବଲାଙ୍ଗୀର ରାଜୀବନଗରରେ ରହୁଥିବା ଓମପ୍ରକାଶ ସାହୁ ପେଶାରେ ଜଣେ ଶିକ୍ଷକ ହୋଇଥବା ବେଳେ ବାଲୁକା କଳା ପ୍ରତି ତାଙ୍କର ନିଶା ରହିଛି। କୋଣାର୍କରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ମଧ୍ୟ ସେ ନିଜ ପାରଦର୍ଶିତା ଦେଖାଇସାରିଥିବା ବେଳେ ଇଜିପ୍ଟରେ ବାଲୁକା କଳା ଉପରେ ତାଲିମ ଦେବା ପାଇଁ ସେ ମନୋନୀତ ହୋଇଥିଲେ। ବାଲୁକା କଳା ମାଧ୍ୟମରେ ପଶ୍ଚିମଓଡିଶାର ଐତିହ୍ୟ , ଲୋକସଂସ୍କୃତିକୁ ଆର୍ନ୍ତଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଓମପ୍ରକାଶ।
ବଲାଙ୍ଗୀର ରାଜୀବ ନଗରର ଓମପ୍ରକାଶ ସାହୁ। ସେ କଳାହାଣ୍ଡି ଜିଲା ଡଙ୍ଗରାମୁଣ୍ଡା ଗାଁରେ ଜନ୍ମଗ୍ରହଣ କରିଥିବା ବେଳେ ବଲାଙ୍ଗୀରରେ ଏକ ଚାରୁ ଓ କାରୁକଳା ଅନୁଷ୍ଠାନ ପ୍ରତିଷ୍ଠା ଲକ୍ଷ୍ୟ ନେଇ ବଲାଙ୍ଗୀରକୁ ଚାଲିଆସିଥିଲେ। ଯଦିଓ ଏପଯ୍ୟନ୍ତ ସେ ଏହା ପ୍ରତିଷ୍ଠା କରିପାରିନାହାନ୍ତି ତଥାପି ବଲାଙ୍ଗୀରରେ ବାଲୁକା କଳାକୁ ନେଇ ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସୂଚନ ଅନୁସାରେ, ଓମପ୍ରକାଶ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ସେ ଭିଜୁଆଲ ଆର୍ଟ୍ସରେ ସ୍ନାତକ ହାସଲ କରିଛନ୍ତି। ପ୍ରଥମେ ଓମପ୍ରକାଶ କୋରାପୁଟ ଜୟପୁରରେ ଥିବା ସରକାରୀ ଏସ.ଭି ବିଦ୍ୟାଳୟରୁ ଫାଇନ ଆର୍ଟରେ ଯୁକ୍ତ ୨ ପାଠ ପଢିଥିଲେ। କଳା ପ୍ରତି ଛୋଟବେଳୁ ରୁଚି ରଖିଥିବା ଓମପ୍ରକାଶ ଖଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଯୁକ୍ତ ୩ ପାସ କରିଥିଲେ। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଭିଜୁଆଲ ଆର୍ଟରେ ପିଜି କରିଥିଲେ। ତେବେ ସେ ରୁଚି ରଖୁଥିବା କଳାକୁ ନେଇ ବଲାଙ୍ଗିର ଭଳି ଏକ ସ୍ଥାନରେ ପରିବାର ଚଲାଇବା କାଠିକର ପାଠ ହୋଇଥିବାରୁ ଶିକ୍ଷକ ଭାବେ ଯୋଗଦେଇଥିଲେ। କିନ୍ତୁ ସେ ଚିତ୍ରକଳାର ପିଜି କରିଥିବ ସତ୍ୱେ ବାଲୁକା କଳା ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ରହିଥିଲା। ଯାହାଫଳରେ ସେ ବଲାଙ୍ଗିରରେ ବାଲି ସମସ୍ୟା ଥାଇ ସୁଦ୍ଧା ବାଲୁକା କଳା ଆରମ୍ଭ କରିଛନ୍ତି। ଏହି କଳା ପାଇଁ ଆବଶ୍ୟକ ପଡୁଥିବା ବାଲି ମିଳିବା ବଲାଙ୍ଗିରରେ ଯଥେଷ୍ଟ କଷ୍ଟ ହୋଇଥିବା ସତ୍ୱେ ସେ ନିଜ ଘରେ ନିକଟସ୍ଥ ତେଳ ନଦୀରୁ ବହୁ ଟଙ୍କା ଖର୍ଚ୍ଚ କରି ପ୍ରାୟ ୨୦ ଟ୍ରିପ ବାଲି ପକାଇଥିବା କହିଛନ୍ତି। ଏହି ବାଲିରେ ସେ ମିଲୁଥିବା ଖାଲି ସମୟରେ ନିଜ କଳା ଅଭ୍ୟାସ କରିଥାନ୍ତି।
ଚନ୍ଦ୍ରଭାଗା କୋଣାର୍କରେ ହେଉଥିବା ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ, ଲଲିତ କଳା ଏକାଡେମୀ ପକ୍ଷରୁ ହେଉଥିବା ପ୍ରଦର୍ଶନୀ, ବିଭିନ୍ନ ଜିଲାସ୍ତରୀୟ ଲୋକଉତ୍ସବ, ବାଲୁକା କଳା ପ୍ରଦର୍ଶନୀମାନଙ୍କରେ ଏକାଧୀକ ଥର ଯୋଗଦେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି। ସେହିପରି ଇଜିପ୍ଟରେ ଲୋକାଲ ମିଡିଆ ଆଣ୍ଡ ହ୍ୟୁମାନ ଡେଭଲପମେଣ୍ଟ ସପୋର୍ଟ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀୟ ଚିତ୍ର ଓ ବାଲୁକା କଳା ଚମ୍ପିଆନସିପରେ ତାଲିମ ଦେବା ପାଇଁ ମନୋନୀତ ହୋଇଥିଲେ। ନିଜ ବ୍ୟକ୍ତିଗତ ସମସ୍ୟା ଯୋଗୁ ସେ ଏଥିରେ ଯୋଗ ଦେଇପାରି ନଥିବା ବେଳେ ଆଉ ଏକ ସୁଯୋଗ ଅପେକ୍ଷାରେ ରହିଥିବା ପ୍ରକାଶ କରିଛନ୍ତି। ପଶ୍ଚିମ ଓଡିଶାର ଲୋକକଳା, ସଂସ୍କୃତି ଓ ଐତିହ୍ୟକୁ ବାଲୁକା କଳା ମାଧ୍ୟମରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ତାଙ୍କର ଏକ ମୂଳ ଲକ୍ଷ୍ୟ ଥିବା କହିଛନ୍ତି ଓମପ୍ରକାଶ।