ମେହବୁବାଙ୍କୁ ଭେଟିବା ପାଇଁ ଝିଅକୁ ସର୍ତ୍ତମୂଳକ ଅନୁମତି ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ମାସେ ହେବ ନଜରବନ୍ଦୀ ଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତିଙ୍କୁ ଭେଟିବା ପାଇଁ ତାଙ୍କ ଝିଅକୁ ସୁପ୍ରିମକୋର୍ଟ ବୁଧବାର ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍ ଏଏସ ବୋବଡେ ଏବଂ ଜଷ୍ଟିସ ଏସ୍ ଅବ୍ଦୁଲ ନଜୀରଙ୍କ ପୀଠ ମେହବୁବାଙ୍କ ଝିଅ ଇଲ୍ତିିଜାଙ୍କୁ ଶ୍ରୀନଗରକୁ ଯିବାକୁ ଅନୁମତି ଦେବା ସହ କହିଥିଲେ ଯେ ଜିଲା ପ୍ରଶାସନର ବିନା ଅନୁମତିରେ ସେ ସହରରେ ମନଇଚ୍ଛା ବୁଲିପାରିବେ ନାହିଁ। ଏହାପରେ ପୀଠ ଇଲ୍ତିଜାଙ୍କୁ ଶ୍ରୀନଗରକୁ ଯାଇ ନିଜ ମା’କୁ ଭେଟିବାକୁ ଅନୁମତି ପ୍ରଦାନ କରିଥିଲେ। ପୀଠ କହିଥିଲେ ଯେ ଜିଲା ପ୍ରଶାସନଠାରୁ ଅନୁମତି ନେଇ ସେ ଅନ୍ୟ ସ୍ଥାନକୁ ଯାଇପାରିବେ। ମାତ୍ର ବିନା ଅନୁମତିରେ ସହରରେ ମନଇଚ୍ଛା ବୁଲିପାରିବେ ନାହିଁ। ନିଜ ଆବେଦନରେ ଇଲ୍ତିଜା କହିଥିଲେ ଯେ ସେ ନିଜ ମା’ର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି, କାରଣ ସେ ନିଜ ମା’କୁ ମାସେ ହେଲା ଭେଟି ପାରିନାହାନ୍ତି।
ପ୍ରକାଶ ଯେ ଜିଲା ପ୍ରଶାସନଠାରୁ ଅନୁମତି ନେଇ ଅଗଷ୍ଟ ୨୯ରେ ମେହବୁବାଙ୍କୁ ତାଙ୍କ ମା’ ଗୁଲଶନ ଆରା ଏବଂ ଭଉଣୀ ରୁବିୟା ସୟିଦ ଭେଟିଥିଲେ। ମେହବୁବା ଶ୍ରୀନଗରର ରାଜଭବନ ନିକଟ ଚଶମେଶାହି ପରିସ୍ତରରେ ନଜରବନ୍ଦୀ ଅଛନ୍ତି। ଅଗଷ୍ଟ ୨୮ରେ ସିପିଏମ ନେତା ସୀତାରାମ ୟେଚୁରୀଙ୍କୁ ତାଙ୍କ ଦଳର ସକହର୍ମୀ ମୋହମ୍ମଦ ୟୁସୁଫଙ୍କୁ ଭେଟିବା ପାଇଁ ଅନୁମତି ଦେବା ଭଳି ସୁପ୍ରିମକୋର୍ଟ ମେହବୁବାଙ୍କୁ ଭେଟିବାକୁ ତାଙ୍କ ଝିଅ ଇଲ୍ତିଜାଙ୍କୁ ଅନୁମତି ପ୍ରଦାନ କରିଛନ୍ତି।