ଯୁଦ୍ଧ ପାଇଁ ପାକିସ୍ତାନର ପ୍ରସ୍ତୁତି, ସୀମାରେ ଠୁଳ କରୁଛି ଅସ୍ତ୍ରଶସ୍ତ୍ର
ସୀମାରେ ମୁତୟନ କଲା ୨୦୦୦ ସୈନ୍ୟ
ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟସ୍ତରରେ ଲଜ୍ଜିତ ହୋଇସାରିଥିବା ପାକିସ୍ତାନ ଏବେ ଯୁଦ୍ଧର ଢୋଲ ପିଟୁଛି। ପରମାଣୁ ଯୁଦ୍ଧର ଫାଙ୍କା ଧମକ ଦେବା ପରେ ପାକିସ୍ତାନ ଏବେ ଏଲଓସି ନିକଟସ୍ଥ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ବାଘ ଏବଂ କୋଟଲି ସେକ୍ଟରରେ ୨୦୦୦ରୁ ଅଧିକ ସୈନ୍ୟ ମୁତୟନ କରିଛି ଓ ସୀମାରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି।
ଭାରତୀୟ ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସୈନ୍ୟଙ୍କୁ ବାରକରୁ ବାହାର କରି ଏଲଓସିର ୩୦ କିଲୋମିଟର ଭିତରେ ମତୁୟନ କରାଯାଇଛି। ଭାରତୀୟ ସେନା ପାକିସ୍ତାନ ସେନାର ସମସ୍ତ ଗତିବିଧି ଉପରେ ନଜର ରଖିଛି। ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦ ସ୍ଥାନୀୟ ଏବଂ ଆଫଗାନିସ୍ତାନର ବହୁ ସଂଖ୍ୟକ ଯୁବକଙ୍କୁ ନିଜ ସଂଗଠନରେ ସାମିଲ କରିବା ଅଭିଯାନ ଆରମ୍ଭ କରିଥିବାବେଳେ ପାକିସ୍ତାନ ସେନା ଏହି ପଦକ୍ଷେପ ନେଇଛି। ଏହାସହ ପାକିସ୍ତାନ ଗିଲଗିଟ ବାଲ୍ଟିସ୍ତାନସ୍ଥିତ ସ୍କର୍ଦୁ ବିମାନ ଘାଟିରେ ଜେଏଫ-୧୭ ଯୁଦ୍ଧ ବିମାନ ମୁତୟନ କରିଛି। ଏହି ବିମାନ ଘାଟି ଲଦାଖରେ ଅତି ନିକଟରେ ଅବସ୍ଥିତ। ଭାରତର ଗୁଇନ୍ଦା ସଂସ୍ଥାଗୁଡ଼ିକ ପାକିସ୍ତାନ ସେନାର ପ୍ରତି ସେକେଣ୍ଡର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ପାକିସ୍ତାନ ଲଦାଖ ନିକଟସ୍ଥ ସେନା ଶିବିରଗୁଡ଼ିକରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି। ପାକିସ୍ତାନ ବାୟୁସେନାର ୩ଟି ସି-୧୩୦ ହରକ୍ୟୁଲସ ପରିବହନ ବିମାନ ସୈନ୍ୟଙ୍କୁ ନେଇ ଗିଲଗିଟ ବାଲ୍ଟିସ୍ତାନରେ ପହଞ୍ଚାଉଛି। ଏସବୁରୁ ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡୁଛି। ଏପଟେ ଭାରତୀୟ ସେନା ଓ ବାୟୁ ସେନା ମଧ୍ୟ ପାକିସ୍ତାନର ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସୀମାରେ ସୁରକ୍ଷାକୁ ବୃଦ୍ଧି କରାଯାଇଥିବା ବେଳେ ବାୟୁ ସେନା ଓ ନୌ ସେନା ନିଜ ଶକ୍ତି ବୃଦ୍ଧି କରିଚାଲିଛନ୍ତି।