କେନ୍ଦ୍ର ଓ ରାଜ୍ୟର ତଥ୍ୟ ମେଳକ ଶେଷ : ଓଡ଼ିଶା ପାଇବ ୯.୬୦ଲକ୍ଷ ଆବାସ

ଭୁବନେଶ୍ବର : ଦୀର୍ଘଦିନ ଧରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଚାଲିଥିବା ରାଜନୈତିକ ବାକ୍ ଯୁଦ୍ଧର ଅବସାନ ଘଟିବାକୁ ଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ତର୍ଜମା ପରେ ଏବେ ୯.୬୦ଲକ୍ଷ ହିତାଧିକାରୀଙ୍କ ଭାଗ୍ୟ ନିଷ୍ପତ୍ତି ହୋଇସାରିଛି। ଉଭୟ ସରକାରଙ୍କ ତଥ୍ୟ ଅନୁଯାୟୀ ହିତାଧିକାରୀଙ୍କ ନାମ ପୋର୍ଟାଲରେ ପଞ୍ଜୀକରଣ କରିବା ଦାୟିତ୍ବ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି)ର। ଯେତେ ଶୀଘ୍ର ଏନଆଇସି ହିତାଧିକାରୀଙ୍କ ନାମ ଆବାସ ପୋର୍ଟାଲରେ ଦର୍ଶାଇବେ ସେତେଶୀଘ୍ର ସେମାନଙ୍କ ଆବାସ ସ୍ବପ୍ନ ପୂରଣ ହୋଇପାରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସଂପୃକ୍ତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ପଞ୍ଚାୟତିରାଜ ମନ୍ତ୍ରାଳୟ ପୂର୍ବରୁ ୮.୧୭ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିସାରିଛି। ମାତ୍ର ସେଥିରୁ କେତେକ ହିତାଧିକାରୀଙ୍କ ଦୁଇଥର ନାମ ପଞ୍ଜୀକରଣ ହେବା ଏବଂ କେତେକଙ୍କ ମୃତ୍ୟୁ ହେବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିଲା। ସେମାନଙ୍କ ବଦଳରେ ନୂତନ ନାମ ସାମିଲ କରିବା ଏବଂ ଫଣି କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ହିତାଧିକାରୀଙ୍କ ତାଲିକାକୁ ଗତ
ସପ୍ତାହରେ ତିନିଦିନ ଧରି ମେଳକ କରିଥିଲେ। ଏହି ମେଳକ ଭିତରେ ଆଉ ୪.୯୦ଲକ୍ଷ ହିତାଧିକାରୀଙ୍କ ତଥ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଭର୍ତ୍ତି କରାଯିବାକୁ ରହିଥିଲା। ଇତିମଧ୍ୟରେ କେନ୍ଦ୍ର ୮.୧୭ଲକ୍ଷ ହିତାଧିକାରୀଙ୍କୁ ସ୍ବୀକୃତି ଦେଇ ସାରିଥିବାବେଳେ ୧.୪୨ ଲକ୍ଷ ଫଣି କ୍ଷତିଗ୍ରସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରାଯିବାକୁ ପ୍ରକ୍ରିୟା ଶେଷ ହୋଇଛି। ଏହାଦ୍ବାରା ରାଜ୍ୟର ଏବେ ୯.୬୦ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ହେଲେ ଦେଶର ପ୍ରତ୍ୟେକ ଅବହେଳିତ ବର୍ଗଙ୍କ ମୁଣ୍ଡ ଉପରକୁ ୨୦୨୨ ସୁଦ୍ଧା ଛାତ ଯୋଗାଇବା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଅନ୍ୟ ଏକ ତଥ୍ୟ ଅନୁଯାୟୀ ୧୨ଟି ଆଦିବାସୀ ଅଧ୍ୟୁଷିତ ଜିଲାରେ ୪୦ହଜାରରୁ ଊର୍ଦ୍ଧ୍ବ ‘ପିଭିଟିଜି’ ବର୍ଗର ଲୋକେ ଖୋଲା ଆକାଶ କିମ୍ବା ଚାଳଛପର ଘରେ ଦିନ କାଟୁଛନ୍ତି। ସେଥିମଧ୍ୟରୁ ରାୟଗଡାରେ ୬ହଜାର ୫୦୦ ରହିଥିବାବେଳେ ମାଲକାନଗିରିରେ ୪,୫୦୦, କଳାହାଣ୍ଡିରେ ୫,୧୦୦, ମୟୂରଭଞ୍ଜରେ ୨୬୦୦, ଗଞ୍ଜାମରେ ୧୭୫୫, ଅନୁଗୋଳରେ ୨୨୦୦, ନୂଆପଡାରେ ୧୮୦୦, ଦେବଗଡ଼ରେ ୧୧୦୦, ଗଜପତିରେ ୭୦୦୦, କନ୍ଧମାଳରେ ୧୬୦୦, କେନ୍ଦୁଝରରେ ୫୦୦୦ ଓ ସୁନ୍ଦରଗଡ଼ରେ ୨୩୦୦ରୁ ଊର୍ଦ୍ଧ୍ବ ‘ପିଭିଟିଜି’ ବର୍ଗର ହିତାଧିକାରୀ ଏବେବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି। ଏହା ବ୍ୟତୀତ ୨ହଜାରୁ ଊର୍ଦ୍ଧ୍ବ କୁଷ୍ଠରୋଗୀ, ୧୦ହଜାରରୁ ଊର୍ଦ୍ଧ୍ବ ସ୍ବାଭିମାନ ଅଞ୍ଚଳର ଅବହେଳିତ ବର୍ଗ ଏବଂ କୋଟିଆର ୨ହଜାରରୁ ଊର୍ଦ୍ଧ୍ବ ପରିବାର ରହିଛନ୍ତି। ଯଦି ଏ ସମସ୍ତଙ୍କୁ ହିସାବକୁ ନିଆଯିବ ତେବେ ଆଉ ୫୦ହଜାର ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ନିହାତି ଆବଶ୍ୟକ। ଏହି ବର୍ଗଙ୍କୁ କେନ୍ଦ୍ର ଆପଣାଉଛି ନା ରାଜ୍ୟ ଆପଣାଉଛି ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡିବ ବୋଲି ବିଭାଗୀୟ ଅଧିକାରୀ କହୁଥିବାବେଳେ ରାଜ୍ୟରେ ଏବେବି ଲକ୍ଷାଧିକ ଯୋଗ୍ୟ ହିତାଧିକାରୀ ଆବାସରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି।

Comments are closed.