www.samajalive.in
Wednesday, November 12, 2025
19.1 C
Bhubaneswar

ମାଗା ପଛର ଦୁରଭିସନ୍ଧି

ଭୁବନେଶ୍ଵର: ୨୦୧୬ ଓ ୨୦୨୪ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍‌‌ଡ ଟ୍ରମ୍ପ ‘ମେକ୍‌ ଆମେରିକା ଗ୍ରେଟ୍‌‌ ଏଗେନ’(ମାଗା)କୁ ସ୍ଲୋଗାନ ରୂପେ ବ୍ୟବହାର କରିଥିଲେ। ଉଦ୍ଦେଶ୍ୟ ଥିଲା ଏହା ମାଧ୍ୟମରେ ଆମେରିକାର ଅତୀତ ଗୌରବ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ‘ନୋଷ୍ଟାଲ୍‌ଜିଆ’ ଭାବନା ଜାଗ୍ରତ କରିବା ଏବଂ ଦେଶର ଅର୍ଥନୈତିକ, ସାମରିକ ଓ ସାଂସ୍କୃତିକ ଆଧିପତ୍ୟର ପୁନରୁଦ୍ଧାରର ପ୍ରତିଶ୍ରୁତି ଦେବା। ତେବେ ଏହି ସ୍ଲୋଗାନର ଏକ ଇତିହାସ ରହିଛି। ‘ଏଗେନ’ କହିବା ପଛରେ ଯଥେଷ୍ଟ ଯୁକ୍ତି ରହିଛି। ୧୯୮୦ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ରୋନାଲ୍‌‌ଡ ରେଗାନ୍‌‌ ‘ମେକ୍‌‌ ଆମେରିକା ଗ୍ରେଟ୍‌‌’ ସ୍ଲୋଗାନକୁ ବ୍ୟବହାର କରିଥିଲେ, କାରଣ ସେହି ସମୟରେ ଆମେରିକାର ଅର୍ଥନୈତିକ ଅଭିବୃଦ୍ଧି ହାର ୨.୯ ପ୍ରତିଶତକୁ କମି ଯାଇଥିଲା; ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ବୃଦ୍ଧିର (୪ ପ୍ରତିଶତ)ହାର ଠାରୁ କମ୍‌‌। ମୁଦ୍ରାସ୍ଫୀତି ହାର ପ୍ରାୟ ୧୪ ପ୍ରତିଶତରେ ପହଞ୍ଚି ଯାଇଥିଲା। ବେକାରୀ ହାର ୭.୫ ପ୍ରତିଶତ ହୋଇଯାଇଥିଲା। ସ୍ଥଗିତ ଅର୍ଥନୀତି, ଚରମ ମୁଦ୍ରାସ୍ଫୀତି, ବେକାରୀ ବୃଦ୍ଧି ସାଙ୍ଗକୁ ଉତ୍ପାଦନଶୀଳତା ହ୍ରାସ, ବାଣିଜ୍ୟ ଘଟତି ବୃଦ୍ଧି, ସବୁ ମିଶି ଆମେରିକା ଦୁର୍ଦଶା ମଧ୍ୟରେ ଥିଲା। ରେଗାନ୍‌‌ ତାଙ୍କ ଶାସନ କାଳରେ ଅର୍ଥନୀତିକୁ ନିୟନ୍ତ୍ରଣମୁକ୍ତ କରିଥିଲେ। ଟିକସର ହାର ହ୍ରାସ ଏବଂ ବୈଦେଶିକ ନୀତିର ପରିବର୍ତ୍ତନ ଘଟାଇ ଜିଡିପି ଅଭିବୃଦ୍ଧିର ହାର ୩.୫ ପ୍ରତିଶତକୁ ନେଇଯାଇଥିଲେ। ମୁଦ୍ରାସ୍ଫୀତି ଓ ବେକାରୀର ହାର ଯଥାକ୍ରମେ ୪.୧ ପ୍ରତିଶତ ଓ ୫.୫ ପ୍ରତିଶତକୁ ଖସାଇ ଆଣିଥିଲେ। ଏହି ଧରଣର କିଛି ପଦକ୍ଷେପ ସେ ସମୟରେ ଯୁକ୍ତରାଷ୍ଟ୍ର ଅାମେରିକାକୁ କିଛିଟା ଆଶ୍ବସ୍ତି ଦେଇଥିଲା; କିନ୍ତୁ ତାହା ଥିଲା ସାମୟିକ। ୯୦ ଦଶକ ଆରମ୍ଭରୁ ଆମେରିକା ଯୁଦ୍ଧ ଓ ଦୁର୍ନୀତିରେ ଜଡିତ ହୋଇ ନିଜର ଅର୍ଥନୀତିକୁ ପୁଣି ଦୁର୍ବଳ କରିଦେଇଥିଲା। ରେଗାନଙ୍କ ସେହି ପୁରୁଣା ସ୍ଲୋଗାନକୁ ବ୍ୟବହାର କରି ଟ୍ରମ୍ପ ଲୋକଙ୍କ ମନ ଜିଣିବାକୁ ଚାହିଁଥିଲେ।
ସମାଲୋଚକମାନେ ଅବଶ୍ୟ ଏହି ସ୍ଲୋଗାନ ପଛରେ ଅନ୍ୟ କିଛି ଦୁରଭିସନ୍ଧି ଥିବାର ଯୁକ୍ତି ଦେଖୁଛନ୍ତି। ସେମାନଙ୍କ ମତରେ ଏହି ଶବ୍ଦାବଳୀ ମଧ୍ୟରେ ଟ୍ରମ୍ପଙ୍କ ବର୍ଣ୍ଣ ବିଦ୍ୱେଷୀ ଏବଂ ବିଦେଶଭୀତି (ଜେନୋଫୋବିକ୍‌‌) ମନୋଭାବ ଲୁଚି ରହିଛି। ସେ ଯେଉଁ ‘ଗୌରବ’ର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି ତାହା କେବଳ ଶ୍ୱେତାଙ୍ଗ ଆମେରିକୀୟଙ୍କ ଆଧିପତ୍ୟକୁ ପୁନଃ ପ୍ରତିଷ୍ଠିତ କରିବାର ଏକ ପ୍ରଚେଷ୍ଟା।
୨୦୨୪ ଥିଲା ପୃଥିବୀରେ ସବୁଠାରୁ ବଡ଼ ନିର୍ବାଚନ ବର୍ଷ। ଇଉରୋପୀୟ ୟୁନିୟନ୍‌‌ର ୨୬ଟି ଦେଶ ସହ ପ୍ରାୟ ୪୩ଟି ଦେଶରେ ଗତବର୍ଷ ସାଧାରଣ ନିର୍ବାଚନ ହୋଇଯାଇଛି। ଚୀନ୍‌‌ ବ୍ୟତୀତ ସବୁ ବଡ଼ ଅର୍ଥନୀତିର ଦେଶରେ ନିର୍ବାଚନ ଥିଲା। ପୃଥିବୀର ମୋଟ ଜନସଂଖ୍ୟାର ପ୍ରାୟ ୪୮ ପ୍ରତିଶତ ଲୋକ ନିର୍ବାଚନରେ ଭାଗ ନେଇଥିଲେ। ସାରା ପୃଥିବୀରେ ମୁଖ୍ୟତଃ ଦାରିଦ୍ର୍ୟ, ବୈଷମ୍ୟ, ବେକାରୀ, ମୂଲ୍ୟବୃଦ୍ଧି, ଶରଣାର୍ଥୀ ସମସ୍ୟା, ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ନିର୍ବାଚନ ପ୍ରସଙ୍ଗ ଥିଲା।
ଉଦାରବାଦୀ ଅର୍ଥନୀତିର ଗତ ୩୫ ବର୍ଷରେ ଲଗ୍ନିପୁଞ୍ଜିର କ୍ରମବର୍ଦ୍ଧମାନ ପ୍ରଭାବରେ ବିଶ୍ୱର ୩୫୦ କୋଟି ଲୋକ ଦାରିଦ୍ର୍ୟ କବଳରେ। ବିଶ୍ୱର ମୋଟ୍‌‌ ଜନସଂଖ୍ୟାର ୯ ପ୍ରତିଶତ (୭୦ କୋଟି ୧୨ଲକ୍ଷ) ଚରମ ଦାରିଦ୍ର୍ୟ ସୀମାର ନିମ୍ନରେ। ଏକ ଦିଗରେ ବିଶ୍ୱର ଧନାଢ଼୍ୟ ୧୦ ପ୍ରତିଶତ ଲୋକଙ୍କ ହାତରେ ପୃଥିବୀର ୭୬ ପ୍ରତିଶତ ସମ୍ପତ୍ତିର ମାଲିକାନା, ଅନ୍ୟ ଦିଗରେ ଦରିଦ୍ରତମ ୫୦ ପ୍ରତିଶତ ଲୋକଙ୍କ ହାତରେ ମାତ୍ର ୨ ପ୍ରତିଶତ ସମ୍ପତ୍ତିର ମାଲିକାନା ରହିଛି।
ଶରଣାର୍ଥୀ ସଂକ୍ରାନ୍ତ ମିଳିତ ଜାତିସଂଘର ହାଇକମିସନ(ୟୁଏନ୍‌‌ଏଚ୍‌‌ଆର୍‌‌ସି) ଜଣାଇଛି, ୨୦୨୪ ମେ ମାସ ପର୍ଯ୍ୟନ୍ତ ୧୨କୋଟି ଲୋକ ଶରଣାର୍ଥୀରେ ପରିଣତ ହୋଇଛନ୍ତି। ଜାତି-ଧର୍ମ-ବର୍ଣ୍ଣ ଭିତ୍ତିକ ନିପୀଡ଼ନ, ରାଷ୍ଟ୍ରୀୟ ନୀତି, ସୀମାନ୍ତ ସଂଘର୍ଷ, ଆଭ୍ୟନ୍ତରୀଣ ଗଣ୍ଡଗୋଳ, ଯୁଦ୍ଧ, ମରୁଡ଼ି, ବନ୍ୟା, ଦୁର୍ଭିକ୍ଷ ପ୍ରଭୃତି କାରଣରୁ ବିଶ୍ୱବ୍ୟାପୀ ଶରଣାର୍ଥୀ ସମସ୍ୟା ଗମ୍ଭୀର ହୋଇଛି।
ବିଶ୍ୱ ଉଷ୍ଣାୟନ, ଏଲ୍‌‌ ନିନୋର ପ୍ରଭାବ, ହିମ ପ୍ରବାହରେ ବରଫ ତରଳିବାରୁ ଜଳସ୍ତରର ବୃଦ୍ଧି, କ୍ରମ ବର୍ଦ୍ଧମାନ ହେବା ଯୋଗୁଁଁ ଜାତିସଂଘ ପକ୍ଷରୁ ୨୦୨୫ରୁ ପ୍ରାଥମିକ ଭାବେ ପୃଥିବୀର ହାରାହାରି ତାପମାତ୍ରା ୨ଡିଗ୍ରୀ ସେଲ୍‌ସିୟସ୍‌‌ କମାଇବାକୁ ହେବ ଏବଂ ଶିଳ୍ପ ବିପ୍ଳବ ପୂର୍ବବର୍ତ୍ତୀ ସମୟର ତାପମାତ୍ରାକୁ ଦେଢ଼ ଡିଗ୍ରୀ କମାଇବାକୁ ହେବ ବୋଲି ପ୍ୟାରିସ୍‌‌ର ବିଶ୍ୱ ଜଳବାୟୁ ସମ୍ମିଳନୀରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଗତ ୨୦ ଜାନୁଆରୀରେ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରଠାରୁ ଟ୍ରମ୍ପ ନିଜର ସାମ୍ରାଜ୍ୟବାଦୀ ଓ ଆଧିପତ୍ୟବାଦୀ ଆଭିମୁଖ୍ୟ ସ୍ପଷ୍ଟ କରି ଏଥିରୁ ଓହରି ଯାଇଛନ୍ତି।
ଟ୍ରମ୍ପ ଚାହାନ୍ତି ଗ୍ରୀନ୍‌‌ଲାଣ୍ଡକୁ ଅଧିକାରକୁ ନେବେ; କାରଣ ଏହା ଅତି ଦୁର୍ଲଭ ଖଣିଜ ସମୃଦ୍ଧ ଦେଶ। କାନାଡ଼ା ଆମେରିକାର ୫୧ତମ ରାଜ୍ୟ ହୋଇଯିବା ଦରକାର। ପାନାମା କେନାଲ୍‌‌କୁ ଆମେରିକାର ଦଖଲକୁ ଆଣିବା, ଗାଜାକୁ ଦଖଲ କରିବା ସହ ବିଶ୍ୱ ମାନଚିତ୍ରରୁ ପାଲେଷ୍ଟାଇନ୍‌‌କୁ ହଟାଇଦେବା ଓ ସେଠାରେ ଇଷ୍ଟେଟ ବ୍ୟବସାୟ କରିବାକୁ ଟ୍ରମ୍ପ ଘୋଷଣା କରିଛନ୍ତି। ମଧ୍ୟପ୍ରାଚ୍ୟରେ ଆଧିପତ୍ୟ ବଜାୟ ରଖିବାକୁ ସିରିୟା ଓ ଲିବିୟାର ଗୃହଯୁଦ୍ଧକୁ ବଜାୟ ରଖିବାକୁ ହେବ। ଲଗ୍ନୀପୁଞ୍ଜିର ରାସ୍ତା ପ୍ରଶସ୍ତ କରିବା ପାଇଁ ୩୦ହଜାର କୋଟି ବ୍ୟାରେଲ୍‌‌ ତେଲର ଭଣ୍ଡାର ସମୃଦ୍ଧ ଭେନଜୁଏଲାର ବାମପନ୍ଥୀ ସରକାରକୁ ଉତ୍‌‌ଖାତ କରିବାକୁ ହେବ। ଏହା ଛଡ଼ା ପୃଥିବୀର ବୃହତ୍ତମ ତେଲର ଭଣ୍ଡାର ନାଟୋର ସଦସ୍ୟ ପଡୋଶୀ କାନାଡ଼ାର ୧୭ହଜାର ୨୦୦ କୋଟି ବ୍ୟାରେଲ୍‌‌ ତେଲକୁ ଆମେରିକା ଅକ୍ତିଆର କରିବାକୁ ଚାହେଁ। ଜାଳେଣି ତେଲର ସର୍ବୋଚ୍ଚ ଉତ୍ତୋଳନ ହେବ, ଏନର୍ଜି ଇମର୍ଜେନ୍ସି ଜାରି କରି ଆମେରିକା ଭୂଖଣ୍ଡରେ ମାଟିତଳେ ଥିବା ସମସ୍ତ ତୈଳ ଓ ଗ୍ୟାସ୍‌‌ ଉତ୍ତୋଳନ ସହ ଆଲାସ୍କା ବେସିନ୍‌‌ରେ ତୈଳ ଓ ଗ୍ୟାସ୍‌‌ ଉତ୍ତୋଳନ କାର୍ଯ୍ୟକାରୀ କରିବାକୁ ଟ୍ରମ୍ପ୍‌ ଆଦେଶ ଦେଇଛନ୍ତି। ସେ ନିଜର ଶପଥ ଗ୍ରହଣ ଉତ୍ସବରେ ଘୋଷଣା କରିଥିଲେ, ପୃଥିବୀର ଯେଉଁଠି ତୈଳ ଓ ଗ୍ୟାସର ଭଣ୍ଡାର ମହଜୁଦ ଅଛି ସେ ସବୁକୁ ଆମେରିକା ନିଜର ପ୍ରୟୋଜନରେ ଷ୍ଟ୍ରାଟେଜିକ୍‌‌ ରିଜର୍ଭର ପୂରଣ ପାଇଁ ବ୍ୟବହାର କରିବ। ଏସବୁଥିରୁ ଇଙ୍ଗିତ ସ୍ପଷ୍ଟ। କମ୍‌‌ ଦାମ୍‌‌ରେ ଭାରତ ରୁଷିଆରୁ ତେଲ ଆଣୁଥିବାରୁ ଭାରତ ଉପରେ ଓ ରୁଷିଆ ଉପରେ ଶୁଳ୍କ ଲଦିଦେବାର ଘୋଷଣା ଟ୍ରମ୍ପ କରିଛନ୍ତି। କାନାଡ଼ା, ମେକ୍ସିକୋ ଓ ଅନ୍ୟାନ୍ୟ ଇଉରୋପୀୟ ଦେଶଗୁଡ଼ିକ ଉପରେ ବର୍ଦ୍ଧିତ ଶୁଳ୍କ ଲାଗୁ କରି ଏସବୁ ଦେଶର ଅର୍ଥନୀତିକୁ ଦୁର୍ବଳ କରି ଆମେରିକାର ଅର୍ଥନୀତିକୁ ସବଳ କରିବା ପାଇଁ ଟ୍ରମ୍ପ ପ୍ରଶାସନ ପଦକ୍ଷେପ ନେଇଛନ୍ତି। ଏକତରଫା ଶୁଳ୍କ ବୃଦ୍ଧି କରି ବିଶ୍ୱ ବାଣିଜ୍ୟ ସଂସ୍ଥାର ନିୟମ ଓ ନି​‌େ​‌ର୍ଦଶକୁ ଉଲ୍ଲଙ୍ଘନ କରିଛନ୍ତି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ଏହାର ପରବର୍ତ୍ତୀ ସମୟରେ ବିଶ୍ୱବ୍ୟାପୀ ଅସ୍ତ୍ର ଓ ଖାଦ୍ୟଶସ୍ୟ ନେଇ ବ୍ୟବସାୟ ଏବଂ କ୍ଷତିଗ୍ରସ୍ତ ଦେଶଗୁଡ଼ିକର ପୁନଃନିର୍ମାଣରେ ଅର୍ଥ ଲଗାଣକାରୀ ବିଶ୍ୱ ବାଣିଜ୍ୟ ସଂସ୍ଥା, ବିଶ୍ୱବ୍ୟାଙ୍କ ପ୍ରଭୃତି ସଂସ୍ଥାର ପ୍ରଚେଷ୍ଟାରେ ଓ ପରବର୍ତ୍ତୀ କାଳରେ ନାଟୋ ଓ ସେଟୋ ସାମରିକ ଗୋଷ୍ଠୀ ଗଠନ କରି ବିଶ୍ୱବ୍ୟାପୀ ଆକ୍ରମଣ ଚଳାଇ ପାଉଣ୍ଡ ଷ୍ଟାର୍ଲିଂର ବଜାର ବଦଳରେ ପୃଥିବୀର ମୁଦ୍ରା ବିନିମୟର ଚାଳିକା ଶକ୍ତି ରୂପେ ଡଲାରର ଆଧିପତ୍ୟକୁ ବଜାୟ ରଖାଯାଇଛି। ରୁଜ୍‌‌ଭେଲ୍‌‌ଟ୍‌‌ ଟ୍ରୁମାନ୍‌‌ଙ୍କଠାରୁ ନିକ୍ସନ୍‌‌, ରେଗାନ୍‌‌ ପର୍ଯ୍ୟନ୍ତ ଏବେ ଦ୍ୱିତୀୟ ଥରରେ ଟ୍ରମ୍ପ କେହି ସାମ୍ରାଜ୍ୟବାଦୀ ଆକ୍ରମଣ ନୀତିରୁ ଓହରି ଯାଇ ନାହାନ୍ତି। ଆଉ ଏବେ ବ୍ରିକ୍ସ ଦେଶଗୁଡ଼ିକ ବା ଦକ୍ଷିଣ ଆମେରିକାର ବ୍ରାଜିଲ୍‌‌ ଓ ଆର୍ଜେଣ୍ଟିନା ଆର୍ନ୍ତଜାତିକ ବିନିଯୋଗ ଓ ବ୍ୟବସାୟ ପାଇଁ ଡଲାର ବଦଳରେ ‘ବ୍ରିକ୍ସ ପେ’ ବା ‘ସାର୍‌‌’ ପ୍ରଚଳନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଗତ ସେପ୍ଟେମ୍ବରରେ ରୁଷିଆର ସଭାପତିତ୍ୱରେ ଅନୁଷ୍ଠିତ ବ୍ରିକ୍ସ ବୈଠକର ଘୋଷଣା ଅନୁସାରେ ଓପେକ୍‌‌ଭୁକ୍ତ ଦେଶ ସହ ପ୍ରାୟ ୩୪ଟି ଦେଶ ବ୍ରିକ୍ସର ଅନ୍ତର୍ଭୁକ୍ତ ହେବାକୁ ଚାହୁଁଛନ୍ତି। ଏଣୁ ଏସବୁକୁ ପ୍ରତିରୋଧ କରିବା ପାଇଁ ଟ୍ରମ୍ପଙ୍କର ଏହି ନୂତନ ଘୋଷଣା ଓ କାର୍ଯ୍ୟକ୍ରମ।
ଟ୍ରମ୍ପ ପ୍ରଶାସନ ଆସିବା ମାତ୍ରେ ଅବୈଧ ଅନୁପ୍ରବେଶକାରୀ ଆଖ୍ୟା ଦେଇ ୨୦ଲକ୍ଷ ଭାରତୀୟଙ୍କ ସମେତ ବିଭିନ୍ନ ଦେଶର ୧କୋଟି ଅଧିବାସୀଙ୍କୁ ଚିହ୍ନିତ କରିଛି। ଖବରରୁ ପ୍ରକାଶ କେବଳ ୨୦ହଜାର ଭାରତୀୟଙ୍କୁ ଇତିମଧ୍ୟରେ ଜେଲ୍‌‌ରେ ଗିରଫ କରି ରଖାଯାଇଛି। ଅତ୍ୟନ୍ତ ଅମାନୁଷିକ ଭାବେ ହାତ ଓ ଗୋଡ଼ରେ ଶିକୁଳି, ଅଣ୍ଟାରେ ବେଡି ପକାଇ ମାଲ୍‌‌ବାହୀ ଯୁଦ୍ଧ ବିମାନରେ ପଶୁମାନଙ୍କ ପରି ସେମାନଙ୍କ ଦେଶକୁ ଫେରସ୍ତ ପଠାଯାଉଛି। ଏହା ସହ ମେକ୍ସିକୋ ସୀମାନ୍ତରେ ସେନା ମୁତୟନ ବଢ଼଼ାଇ ଦେଇ ଓ ତାରଜାଲି ବାନ୍ଧି ଘେରିବା ପାଇଁ ବିପୁଳ ପରିମାଣର ଅର୍ଥବ୍ୟୟର ବରାଦ ଟ୍ରମ୍ପ ପ୍ରଶାସନ କରିଛି।
ଆମେରିକାର ଯୁଗ୍ମ କଂଗ୍ରେସକୁ ଉଦ୍‌‌ବୋଧନ ଦେଇ ଟ୍ରମ୍ପ ଭାରତ ସମେତ ବିଭିନ୍ନ ଦେଶ ଉପରେ ଆମଦାନୀ ଶୁଳ୍କ ଓ ପାଲଟା ଶୁଳ୍କ ଲଗାଇବେ ବୋଲି ଘୋଷଣା କରିଛନ୍ତି। ଏହା ସାରା ବିଶ୍ୱରେ ପ୍ରତିକ୍ରିୟା ସୃଷ୍ଟି କରିଛି। ବିଶ୍ୱର ପ୍ରଭାବଶାଳୀ ନିବେଶକ ୱାରେନ୍‌‌ ବଫେଟ୍‌‌ ଟ୍ରମ୍ପଙ୍କ ଟାରିଫ ନୀତିର କଡ଼ା ସମାଲୋଚନା କରି କହିଛନ୍ତି ଏହା ଏକ ଯୁଦ୍ଧ ଭଳି ପଦକ୍ଷେପ। ଏହା ବିଶ୍ୱବ୍ୟାପୀ ମୁଦ୍ରାସ୍ପୀତିକୁ ପ୍ରଭାବିତ କରିବ ଏବଂ ଏହାର ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ିବ। ଟାରିଫ ବ୍ୟତୀତ ଆମେରିକାର ତୃତୀୟଲିଙ୍ଗୀ ବ୍ୟକ୍ତିଙ୍କ ଉପରେ ଟ୍ରମ୍ପ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି।
କ୍ଷମତାକୁ ଆସିବା ପରଠାରୁ ଟ୍ରମ୍ପଙ୍କର ପ୍ରତ୍ୟେକ ନିଷ୍ପତ୍ତି ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ତାଙ୍କର ଗ୍ରେଟ୍‌‌ ଆମେରିକା ଧ୍ୱନିର ପଛରେ ରହିଛି ଉଗ୍ର ବର୍ଣ୍ଣ ଆଧିପତ୍ୟର କାମନା ଓ ବ୍ୟାବସାୟିକ ଦୁରଭିସନ୍ଧି।
ଅପର୍ଣ୍ଣାନଗର, କଟକ

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories