ଗୋଟିଏ ମାତ୍ର କୋଠରୀରେ ବସୁଛନ୍ତି ୫ଟି ଶ୍ରେଣୀର ଛାତ୍ରଛାତ୍ରୀ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ପ୍ରକୃତ ଚିତ୍ର ; ହାଟପାଳି ଦିନ ସ୍କୁଲକୁ ଆସୁନାହାନ୍ତି ଶିକ୍ଷକ

ଦେବଗଡ : ଦେବଗଡ଼ ଜିଲାରେ ଏମିତି ଅନେକ ବିଦ୍ୟାଳୟ ରହିଛି, ଯାହା ହାଟ ପାଳି ଦିନ ମାନଙ୍କରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହେ କିମ୍ବା ଶିକ୍ଷକ ମାନେ ପାଳି କରି ସ୍କୁଲକୁ ଆସନ୍ତି । ଅର୍ଥାତ ୨ ଜଣ ଶିକ୍ଷକ ଥିବା ସ୍କୁଲର ଶିକ୍ଷକଙ୍କ ମଧ୍ୟରୁ ଏଇ ସପ୍ତାହରେ ଜଣେ ତ ଅନ୍ୟ ସପ୍ତାହରେ ଜଣେ ଲେଖାଏଁ ଶିକ୍ଷକ ଅଦଳ ବଦଳ କରି ସ୍କୁଲକୁ ଆସିଥାନ୍ତି । ତେବେ ଏଭଳି ବିଦ୍ୟାଳୟ ଗୁଡିକ ମଧ୍ୟରୁ ବାରକୋଟ ବ୍ଲକର ଅନୁନ୍ନତ ତଥା ଆଦିମ ଜନଜାତି ପାଉଡି ଭୂୟାଁ ଅଧ୍ୟୂଷିତ କଦଳୀଡିହୀ ପ୍ରାଥମିକ ବିଦ୍ୟାଳୟ ଅନ୍ୟତମ। ନିକଟସ୍ଥ ସରୁଆଳି ଗ୍ରାମ ପଂଚାୟତ ସଦର ମହକୁମାରେ ପ୍ରତ୍ୟେକ ଗୁରୁବାର ଦିନ ସାପ୍ତାହିକ ହାଟ ବସୁଥିବାରୁ ଏହି ଦିନ ମାନଙ୍କରେ ଶିକ୍ଷକ ମାନେ ବିଦ୍ୟାଳୟକୁ ଆସିବାକୁ ଆଦୌ ଉଚିତ ମଣନ୍ତି ନାହିଁ । ଯଦି ଆସନ୍ତି ତେବେ ଉଭୟଙ୍କ ମଧ୍ୟରୁ ଜଣେ ଆସନ୍ତି ଓ ଅନ୍ୟ ଜଣେ ହାଟକୁ ଯାଆନ୍ତି । ସେହିପରି ପରବର୍ତ୍ତୀ ସପ୍ତାହରେ ଜଣେ ଶିକ୍ଷକ ହାଟକୁ ଯାଉଥିବା ବେଳେ ଅନ୍ୟ ଜଣକ ପାଳି କରି ସ୍କୁଲକୁ ଯାଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହି କ୍ରମରେ ଆଜି(ଗୁରୁବାର)ସରୁଆଳି ଗ୍ରାମ ପଂଚାୟତ ସଦର ମହକୁମା ଠାରେ ସାପ୍ତାହୀକ ହାଟ ବସିଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗର ସତ୍ୟତା ପରଖିବା ପାଇଁ ଆମ ପ୍ରତିନିଧି ସମ୍ପୃକ୍ତ କଦଳୀଡିହୀ ବିଦ୍ୟାଳୟ ଗସ୍ତ କରିଥିଲେ। ଏହି ସମୟରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାଚରଣ ଦଙ୍ଗ ସ୍କୁଲ ବାରଣ୍ଡାରେ ଏକୁଟିଆ ବସିଥିବା ବେଳେ ବିଦ୍ୟାଳୟର ଏକମାତ୍ର ଶ୍ରେଣୀ କୋଠରୀରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ବସିଥିବା ଦେଖିବାକୁ ମିଳିଥିଲା। ସେହିପରି ଦେବରାଜ ପାତ୍ର ନାମକ ଅନ୍ୟ ଜଣେ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ଥିଲେ। ତାଙ୍କର ଅନୁପସ୍ଥିତି ସମ୍ପର୍କରେ ଉପସ୍ଥିତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଦଙ୍ଗଙ୍କ ମତାମତ ଲୋଡିବାରୁ ‘ଶିକ୍ଷକ ଦେବରାଜ ପାତ୍ରଙ୍କର ଆଖିରେ ଯନ୍ତ୍ରଣା ହେଉଥିବାରୁ ଆଜି ସେ ସ୍କୁଲରେ ଅନୁପସ୍ଥିତ ଅଛନ୍ତି ଓ ସେ ୧ ଟା ସମୟରେ ଆସିବେ’ କହି ତାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ।

prayash

ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ମାଦଳିଆ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ମାନଙ୍କର ଅନୁପସ୍ଥିତି ସର୍ବାଧିକ ରହୁଥିବାରୁ ଏହା ପଛରେ ସିଆରସିସିଙ୍କର ସମର୍ଥନ ଏବଂ କାର୍ଯ୍ୟରେ ଅବହେଳା ହିଁ ମୂଖ୍ୟତଃ ଦାୟୀ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ମାଦଳିଆ କ୍ଲଷ୍ଟରର ସିଆରସିସି ଅଜୟ ବେହେରାଙ୍କ ମତାମତ ପାଇଁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ସେ କଲ୍ ରିସିଭ୍ କରୁନଥିବାରୁ ତାଙ୍କର ମତାମତ ମିଳି ପାରିନାହିଁ। ଏନେଇ ବାରକୋଟ ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କାଲୋଙ୍କ ମତାମତ ଲୋଡିବାରୁ ଏନେଇ ସେ ତଦନ୍ତ କରିବେ ବୋଲି ଉତ୍ତର ଦେଇଥିଲେ। ଅନ୍ୟ ପକ୍ଷରେ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ମତାମତ ଲୋଡିବାରୁ ଅଭିଯୋଗ ଯଦି ସତ ହୋଇଥାଏ ତେବେ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଉତ୍ତର ଦେଇଛନ୍ତି। ଏଣୁ ଖୋଦ ଜିଲାପାଳ ଏ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି। ଏଠାରେ ସୂଚନା ଯୋଗ୍ୟ ଯେ, ସରୁଆଳି ଗ୍ରାମ ପଂଚାୟତର ପାହାଡ ଉପରେ ଥିବା ବାଲିଡିହୀ ପ୍ରଥମିକ ବିଦ୍ୟାଳୟରେ ମଧ୍ୟ ପୂର୍ବରୁ ଏଭଳି ପରମ୍ପରା ପ୍ରଚଳିତ ହୋଇ ଆସୁଥିଲା । ନିକଟସ୍ଥ କଲା ଗ୍ରାମ ପଂଚାୟତ ସଦର ମହକୁମାରେ ପ୍ରତ୍ୟେକ ମଙ୍ଗଳବାର ସାପ୍ତାହୀକ ହାଟ ବସୁଥିବାରୁ ଉକ୍ତ ବିଦ୍ୟାଳୟର ୨ ଜଣ ଶିକ୍ଷକ ପାଳି କରି ଏ ସପ୍ତାହରେ ଜଣେଏ ଓ ଅନ୍ୟ ସପ୍ତାହରେ ଅନ୍ୟଜଣେ ସ୍କୁଲକୁ ଆସୁଥିଲେ। ଫଳରେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଥିଲା। ଏନେଇ ଗତ ଅଗଷ୍ଟ ୨୫ ତାରିଖ ଦିନ ଦୈନିକ ‘ସମାଜ’ ରେ ସବିଶେଷ ତଥ୍ୟ ସହ ଖବର ପ୍ରକାଶିତ ହେବାପରେ ବିଭାଗୀୟ କର୍ତ୍ତୃପକ୍ଷ ଉଭୟ ଶିକ୍ଷକଙ୍କର ଦରମା ବନ୍ଦ କରିଥିଲେ । ସେହି ଦିନଠାରୁ ପୂର୍ବ ପରମ୍ପରା ଭଙ୍ଗହେବା ସହ ଶିକ୍ଷକ ଦ୍ୱୟ ପ୍ରତ୍ୟେକ ଦିନ ନିୟମିତ ଭାବେ ସ୍କୁଲରେ ପହଞ୍ଚୁଥିବା ଜଣାପଡିଛି।

kalyan agarbati

Comments are closed.