ମୁମ୍ବଇରେ ବର୍ଷା ବିତ୍ପାତ, ୪ ମୃତ
ମୁମ୍ବଇ : ଲଗାଣ ବର୍ଷା ମୁମ୍ବଇରେ ବିତ୍ପାତ କରିଛି। ବର୍ଷା ଜନିତ ଦୁର୍ଘଟଣାରେ ମୁମ୍ବଇରେ ସୋମବାର ସନ୍ଧ୍ୟା ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ମୁମ୍ବଇ ଏବଂ ଆଖପାଖ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି।
ସୂଚନା ଅନୁସାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ସାଧାରଣ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଆକାଶ, ସଡ଼କ ଓ ରେଳ ପଥରେ ଯାତାୟତ ପ୍ରଭାବିତ ହୋଇଛି। ଉତ୍ତର-ପୂର୍ବ ମୁମ୍ବଇ ଗୋବିନ୍ଦ ଉପନଗରର ଶିବାଜୀନଗରରେ ରହୁଥିବା ମହମ୍ମଦ ଆୟୁବ ନାମକ ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ବର୍ଷାରୁ ବଞ୍ଚିବା ପାଇଁ ମଣ୍ଡରୂପ ଗ୍ରାମ ନିକଟ ସଡକ କଡ଼ରେ ଥିବା ଏକ ଚାଳଛପର ଘରେ ଆଶ୍ରୟ ନେଇଥିବା ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଏଥିରେ ଆଉ ୨ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବଇର ଅନ୍ୟୁନ ୧୩୭ଟି ସ୍ଥାନ ଜଳମଗ୍ନ ହୋଇ ରହିଛି। ଏହା ମଧ୍ୟରେ ଦାଦର, ସିଓନ, ମାଟୁଙ୍ଗା, ପରେଲ ଏବଂ ୱାଡଲା, ମାହିମ, ସାନ୍ତାକ୍ରୁଜ, ଅନେ୍ଧରୀ, ଯୋଗେଶ୍ୱରୀ, ମଲାଡ, ଦହିସର ଆଦି ସ୍ଥାନ ଅନ୍ତର୍ଭୁକ୍ତ ରହିଛି। ବର୍ଷା ପାଣି ଜମା ହୋଇ ରହିଥିବାରୁ ସୋମବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ ସମସ୍ୟା ଦେଖାଯାଇଥିଲା। ଆହୁରି ୨୪ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ମୁମ୍ବଇବାସୀ ଚିନ୍ତାରେ ପଡ଼ିଯାଇଛନ୍ତି।
Comments are closed.