୩୭ନଂ ଜିଲ୍ଲାପରିଷଦ ଜୋନରେ ତ୍ରିମୁଖୀ ଲଢେଇ

ବାଙ୍କୀ : ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡମପଡା ବ୍ଲକ ୩୭ନଂ ଜୋନ ଜିଲ୍ଲାପରିଷଦରେ ନିର୍ବାଚନ ପ୍ରଚାର ସରଗରମ ହୋଇଛି । ପ୍ରାର୍ଥୀ ମାନେ ନିଜ ସପକ୍ଷରେ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ଘର ଘର ବୁଲୁଥିବା ଦେଖିବାକୁ ମିଳିଛି । ବିଜେଡି, କଂଗ୍ରେସ ଓ ବିଜେପି ଦଳର ପ୍ରାର୍ଥିନୀ ମାନେ ଦଳୀୟ ସମର୍ଥକଙ୍କୁ ଧରି ଭୋଟ ଭିକ୍ଷା କରୁଛନ୍ତି । ୩୭ନଂ ଜିଲ୍ଲାପରିଷଦ ଜୋନର ଦୁର୍ଗାପୁର, ନରଗାଙ୍ଗ, ତୂଳସୀପୁର, ଢଁସର, ଗୋପାଳପୁର, ରଗଡି, ବିଲିପଡା, ହରିରାଜପୁର ଓ ଶିମିଳିପୁର ପଞ୍ଚାୟତରେ ପ୍ରଚାର କାର୍ଯ୍ୟ ଯୋର ଧରିଛି। ଏହି ଜୋନରେ ବିଜେଡି, କଂଗ୍ରେସ ଓ ବିଜେପି ସହିତ ଆମ୍ ଆଦମୀ ପାର୍ଟିର ଜଣେ ଲେଖାଏଁ ପ୍ରାର୍ଥିନୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ନିର୍ବାଚନ ରଣାଙ୍ଗନରେ ବିଜୁ ଜନତା ଦଳ ପକ୍ଷରୁ ଭେଡା ରାମଚନ୍ଦ୍ରପୁର ଗ୍ରାମର ମିନତୀ ମହାପାତ୍ର , ଜାତୀୟ କଂଗ୍ରେସ ଦଳରୁ ଢଁସର ଖମାରପାଟଣା ଗ୍ରାମର କୁନୀ ପ୍ରଧାନ ଏବଂ ବିଜେପିରୁ ପାଟପୁର ଗ୍ରାମର ସଂଗୀତା ପ୍ରିୟଦର୍ଶିନୀ ସାହୁ  ଦଳୀୟ ଟିକଟରେ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରୁଛନ୍ତି।  ସେହିପରି ଆମ୍ ଆଦମୀ ପାର୍ଟିରୁ ହାତିମରା ଗ୍ରାମର କୁନୀ ସାମନ୍ତରାୟ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସମସ୍ତେ ରାଜନିତୀରେ ପ୍ରଥମ ପାଦ ଦେଇ ଅଞ୍ଚଳର ବିକାଶ ନିମନ୍ତେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି।

ସୂଚନା ଅନୁଯାୟୀ ଏହି ଜୋନରେ ମୋଟ ୧୨୫ଓାର୍ଡର ୩୭ହଜାର ୮୭୮ଜଣ ମତଦାତା ୫୨ଗୋଟି ଭୋଟ କେନ୍ଦ୍ରରେ ନିଜର ମତଦାନ କରି ଜିଲ୍ଲାପରିଷଦ ପ୍ରାର୍ଥୀ ନିର୍ବାଚିତ କରାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଗତ ୨୦୧୭ପଞ୍ଚାୟତ ନିର୍ବାଚନରେ ଏହି ଜୋନରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେରେ ତ୍ରିଲୋଚନ ରାଉତ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ ସରୋଜ କୁମାର ମତଗଜସିଂଙ୍କ ଠାରୁ ୪ହଜାର ୨୬୩ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ। ଚଳିତ ବର୍ଷ ଦୁର୍ଗାପୁର ପଞ୍ଚାୟତର ୫ଟି ବୁଥରେ ୧୫ଟି ୱାର୍ଡର ୪ହଜାର ୨୮୧, ନରଗାଙ୍ଗ ପଞ୍ଚାୟତର ୭ଟି ବୁଥରେ ୧୪ଟି ୱାର୍ଡର ୩ହଜାର ୮୫୩, ତୁଳସୀପୁର ପଞ୍ଚାୟତର ୪ଟି ବୁଥରେ ୧୧ଟି ୱାର୍ଡର ୩ହଜାର ୩୩, ଢଁସର ପଞ୍ଚାୟତର ୫ଟି ବୁଥରେ ୪ହଜାର ୨୮୧, ଗୋପାଳପୁର ପଞ୍ଚାୟତର ୭ଟି ବୁଥରେ ୨୨ଟି ୱାର୍ଡର ୮ହଜାର ୪୩, ରଗଡି ପଞ୍ଚାୟତର ୫ଟି ବୁଥରେ ୧୨ଟି ୱାର୍ଡର ୩ହଜାର ୫୧୪, ବିଲିପଡା ପଞ୍ଚାୟତର ୮ଟି ବୁଥରେ ୧୨ଟି ୱାର୍ଡର ୩ହଜାର ୧୧୧, ହରିରାଜପୁର ପଞ୍ଚାୟତର ୫ଟି ବୁଥରେ ୧୧ଟି ୱାର୍ଡର ୩ହଜାର ୩୬୫ ଏବଂ ଶିମିଳିପୁର ପଞ୍ଚାୟତର ୬ଟି ବୁଥରେ ୧୪ଗୋଟି ୱାର୍ଡର ୩ହଜାର ୮୨୬ଜଣ ଭୋଟର ନିଜର ମତଦାନ କରିବେ ।

Comments are closed.