୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ : ଦ୍ଵିତୀୟ ଦିନରେ ଓଡ଼ିଶାକୁ ୨୪ଟି ପଦକ, ୧୦ଟି ସ୍ବର୍ଣ୍ଣ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଚାଲିଥିବା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ର ଦ୍ଵିତୀୟ ଦିନରେ ଆଜି ଓଡିଶାକୁ ୨୪ଟି ପଦକ ମିଳିଛି। ସେଥିମଧ୍ୟରୁ ୧୦ ଟି ସ୍ବର୍ଣ୍ଣ, ୦୬ ଟି ରୌପ୍ୟ ଏବଂ ୮ଟି କାଂସ୍ୟ ପଦକ ରହିଛି।

ଓଡ଼ିଶାର କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଆଜି ସଫଳ କ୍ରୀଡାବିତ୍ ମାନଙ୍କୁ ପଦକ ପ୍ରଦାନ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ପ୍ରତିଯୋଗିତାରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ପଦକ ଜିତିବା ପାଇଁ ସମସ୍ତ କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥିଲେ।

ଆଜି ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ୧୮ ବର୍ଷରୁ କମ୍ ୨୦୦ ମିଟର ଦୌଡ଼ ପ୍ରତିଯୋଗିତା (ବାଳକ ବର୍ଗ) ରେ ପ୍ରତୀକ ମହାରଣାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ୨୦ ବର୍ଷରୁ କମ୍ ୨୦୦ ମିଟର ଦୌଡ଼ ପ୍ରତିଯୋଗିତା (ବାଳକ ବର୍ଗ) ରେ ଦୋଣ୍ଡାପତି ଜୟରାମ ଙ୍କୁ ସ୍ବର୍ଣ୍ଣ ଏବଂ ଆସ୍ତିକ ପ୍ରଧାନଙ୍କୁ ରୌପ୍ୟ ପଦକ ମିଳିଛି। ୨୦ ବର୍ଷରୁ କମ୍ ୪X ୪୦୦ ମିଟର ଇଭେଣ୍ଟରେ ଆସ୍ତିକ ପ୍ରଧାନ, ପଙ୍କଜ ମଣ୍ଡଳ, ଜସ୍ମନ କୁଜୁର ଏବଂ ବାପି ହାଁସଦା ଙ୍କ ଟିମ୍ କୁ ସ୍ବର୍ଣ୍ଣ ପଦକ ମିଳିଛି।

ସେହିପରି ଭାବେ ୨୦ ବର୍ଷରୁ କମ୍ ଜାଭେଲିନ୍‌ ଥ୍ରୋ (ବାଳିକା ବର୍ଗ ) ରେ ପି. ଅର୍ପିତା ଅର୍ଚ୍ଚନା ଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ୧୮ ବର୍ଷରୁ କମ୍ ୧୦୦୦ ମିଟର ଦୌଡ଼ ପ୍ରତିଯୋଗିତା(ବାଳିକା ବର୍ଗ) ରେ ସୁନିତା ସନ୍ତ ଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି।

୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନ୍‌ସିପ୍ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶା ଭଲ ପ୍ରଦର୍ଶନ କରିଛି ବୋଲି ଆଥଲେଟିକ୍ସ ପ୍ରୋଜେକ୍ଟ, ଓଡ଼ିଶା ର ହେଡ୍‌କୋଚ ଶ୍ରୀ ସଞ୍ଜୟ ଗଡ଼ନାୟକ ମତପ୍ରକାଶ କରିଛନ୍ତି। ଏଥିସହ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଜୁନିୟର ଆଥଲେଟିକ୍ସରେ ଓଡ଼ିଶାର କ୍ରୀଡାବିତ୍‌ ମାନେ ନିଜର ଉତ୍ତମ ପ୍ରଦର୍ଶନ ଦ୍ୱାରା ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନ୍‌ସିପ୍ ରେ ଓଡ଼ିଶାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୧ ଟି ପଦକ ମିଳିଛି। ସେଥିମଧ୍ୟରୁ ୧୮ ଟି ସ୍ବର୍ଣ୍ଣ, ୧୪ ଟି ରୌପ୍ୟ ଏବଂ ୧୯ ଟି କାଂସ୍ୟ ପଦକ ରହିଛି।

Comments are closed.