୨୧ରୁ ଭୁବନେଶ୍ୱରରେ ତିନି ଦିନିଆ ମିଡ଼ିଆ ମହାକୁମ୍ଭ
ଭୁବନେଶ୍ୱର: ଗଣମାଧ୍ୟମ ପ୍ରଶିକ୍ଷଣ ସଂସ୍ଥା ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମ୍ଏସ୍) ଆନୁକୂଲ୍ୟରେ ଏବଂ ଉତ୍କଳ ଓ କିଟ୍ ବିଶ୍ୱବିଦ୍ୟାଳୟ ସହଭାଗିତାରେ ନଭେମ୍ବର ୨୧ରୁ ସପ୍ତମ ଜାତୀୟ ଗଣମାଧ୍ୟମ ସମ୍ମିଳନୀ-୨୦୨୩ର ଆୟୋଜନ ହେଉଛି। ସମ୍ମିଳନୀର ଅଧ୍ୟକ୍ଷ ତଥା ଆଇଏମଏସର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ କହିଛନ୍ତି ଯେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି କନକ୍ଲେଭରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳନ କରାଯିବା ସହ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରାଯିବ।
କିଟ୍ ବିଶ୍ବବିଦ୍ୟାଳୟର କିମ୍ସ ଅଡିଟୋରିୟମରେ ଏହି ତିନି ଦିନିଆ ମିଡିଆ ମହାକୁମ୍ଭ ଆରମ୍ଭ ହେବ ବୋଲି ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି। ଏହି ବାର୍ଷିକ କନକ୍ଲେଭରେ ଯାହା ଭାରତର ସବୁଠାରୁ ବଡ଼ ମିଡିଆ ଏବଂ କମ୍ୟୁନିକେସନ୍ ଏକ୍ସଟ୍ରାଭେଗେଞ୍ଜା ଭାବେ ପରିଚିତ, ଦେଶର ଶୀର୍ଷ ଗଣମାଧ୍ୟମର ବିଶିଷ୍ଟ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ ଏବଂ ଯୋଗାଯୋଗ ବିଶେଷଜ୍ଞ ବିଚାରର ଆଦାନପ୍ରଦାନ କରିବେ। ଗଣମାଧ୍ୟମ ଏବଂ ଯୋଗାଯୋଗ କ୍ଷେତ୍ରରେ ଏକ ରୋଡମ୍ୟାପ ପ୍ରସ୍ତୁତ କରିବେ। ତିନିଦିନ ଧରି ଚାଲିବାକୁ ଥିବା ଏହି କନକ୍ଲେଭର ମୁଖ୍ୟ ବିଷୟବସ୍ତୁ ହେଉଛି ‘ଡିଜିଟାଲ ଟେକ୍ନୋଲୋଜି, ମିଡିଆ ଏବଂ ଡେମୋକ୍ରାସି’। ଏହି କନକ୍ଲେଭର ଉଦ୍ଘାଟନୀ ଦିବସରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବାବେଳେ ଉଦ୍ଯାପନୀ ଦିବସରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭାରତବର୍ଷ ସମେତ ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କାରୁ ୭୦୦ପ୍ରତିନିଧି ଏହି କନକ୍ଲେଭରେ ଯୋଗଦେବେ ବୋଲି ପ୍ରଫେସର ପାଢ଼ୀ ସୂଚନା ଦେଇଛନ୍ତି।
ଅନ୍ୟ ଅତିଥିଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ, ଅବସରପ୍ରାପ୍ତ ଆଇଏଏସ ଡ. ଏସ.କେ. ନନ୍ଦ, ତ୍ରିପୁରା ବିଶ୍ବବିଦ୍ୟାଳୟର କୁଳପତି ଭି.ଏଲ୍. ଧାରୁରକର, ଭାରତୀୟ ଭାଷା ସମିତିର ପ୍ରଫେସର ଡ. ନିଶାମଣି କର, ଆସାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରୋ-ଭାଇସ୍ ଚାନସଲର ପ୍ରଫେସର୍ କେ.ଭି. ନାଗରାଜ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କନକ୍ଲେଭରେ ‘ମିଡିଆରେ ଡିଜିଟାଲ ଟେକ୍ନୋଲୋଜି’, ‘ଡିଜିଟାଲ ଯୁଗରେ ଦକ୍ଷତା ବୃଦ୍ଧି, ପୁନଃଦକ୍ଷତା ବୃଦ୍ଧି’, ‘ଡିଜିଟାଲ ଇକୋସିଷ୍ଟମରେ ସାମାଜିକ ଏବଂ ଲିଙ୍ଗଗତ ସମାବେଶର ଆବଶ୍ୟକତା’, ‘ସାମାଜିକ ଗଣମାଧ୍ୟମର ସୁଯୋଗ ଏବଂ ଦୃଷ୍ଟିକୋଣ’, ‘ଡିଜିଟାଲ ମିଡିଆର ନିୟନ୍ତ୍ରଣ ଏବଂ ସାମାଜିକ ଗଣମାଧ୍ୟମ ନୀତିଶାସ୍ତ୍ର’, ‘ଡିଜିଟାଲ ଇକୋସିଷ୍ଟମରେ ଲିଙ୍ଗ ସାମ୍ୟତା’, ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ଭାଷାର ବୈଧତା’ ଆଦି ବିଷୟବସ୍ତୁ ଉପରେ ଆଲୋଚନା ହେବ। ଏହି କନକ୍ଲେଭରେ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ଥିବା ସ୍ୱର୍ଗତ ପ୍ରଫେସର ସୁନିଲକାନ୍ତ ବେହେରାଙ୍କ ସ୍ମୃତି ଚାରଣ କରାଯିବ।
ଏଥିରେ ପ୍ରଫେସର କେ.ଭି. ନାଗରାଜ ପ୍ରଥମ ମେମୋରିଆଲ ଅଭିଭାଷଣ ପ୍ରଦାନ କରିବେ। ଏତଦବ୍ୟତୀତ, ପ୍ରଫେସର କେ.ଭି. ନାଗରାଜ ଓ ଲୋକସମ୍ପର୍କ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଏମ.ବି.ଜୟରାମଙ୍କୁ ଜୀବନବ୍ୟାପି ସାଧନା ପାଇଁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କନକ୍ଲେଭରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଏବଂ ବିଦେଶରୁ ଆସିଥିବା ପ୍ରାୟ ୧୫୦ଜଣ ମିଡିଆ ପ୍ରାକ୍ଟିସନର, ଶିକ୍ଷାବିତ ଏବଂ ଛାତ୍ରଛାତ୍ରୀ ଗଣମାଧ୍ୟମ ଓ ଯୋଗାଯୋଗ ସମ୍ବନ୍ଧୀୟ ବିଭିନ୍ନ ବିଷୟ ବସ୍ତୁ ଉପରେ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିବେ।
Comments are closed.