ହାଇଦରାବାଦ ଟେଷ୍ଟ : ୱେଷ୍ଟଇଣ୍ଡିଜ ୩୧୧, ଭାରତ ୩୦୮/୪
ହାଇଦରାବାଦ : ଚଳିତ ଟେଷ୍ଟ ସିରିଜ୍ରେ ପ୍ରଥମଥର ପାଇଁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଘରୋଇ ଭାରତକୁ ସାମାନ୍ୟ ଚାପରେ ପକାଇ ପାରିଥିଲା। ତେବେ ଓପ୍ନର ପୃଥ୍ୱୀ ସ’ଙ୍କ ଅର୍ଦ୍ଧଶତକ ପରେ ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତ୍ଙ୍କ ଲଢ଼ୁଆ ଇନିଂସ ବଳରେ ଭାରତ ଏହି ଚାପରୁ ମୁକୁଳି ପାରିଛି। ରୋଷ୍ଟନ୍ ଚେଜ୍ଙ୍କ ଶତକ ବଳରେ ଶନିବାର ୨ୟ ଦିନରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ୩୧୧ ରନ୍କରି ଅଲ୍ଆଉଟ ହୋଇଥିଲା। ପରେ ପୃଥ୍ୱୀ ସ’ ୫୩ ବଲ୍ରୁ ଦ୍ରୁତ ୭୦ ରନ୍ କରିଥିଲେ ହେଁ ଏକଦା ଭାରତ ୧୬୨ ରନ୍କରି ୪ଟି ୱିକେଟ ହରାଇଥିଲା। ତେବେ ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତ୍ ଲଢ଼ୁଆ ବ୍ୟାଟିଂକରି ଆଉ ୱିକେଟ ପଡ଼ିବାକୁ ଦେଇନଥିଲେ। ଏହିକ୍ରମରେ ଦୁହେଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ ୨ୟ ଦିନର ଶେଷ ସୁଦ୍ଧା ଭାରତ ୪ ୱିକେଟରେ ୩୦୮ ରନ୍ କରିପାରିଛି। ଆହୁରି ୬ଟି ୱିକେଟ ବାକିଥାଇ ଭାରତ ମାତ୍ର ୩ ରନ୍ ପଛରେ ରହିଛି। ଫଳରେ ଭାରତ ପ୍ରଥମ ଇନିଂସରେ ଆଗୁଆ ହେବା ନିଶ୍ଚିତ ହୋଇଯାଇଛି।
ପ୍ରଥମ ଟେଷ୍ଟ ପରି ଭାରତୀୟ ପ୍ରଥମ ଇନିଂସ ଆରମ୍ଭ ହୋଇଥିଲା। କେ.ଏଲ୍. ରାହୁଲ ସହଳ ଆଉଟ ହୋଇଥିବା ବେଳେ ପୃଥ୍ୱୀ ସ’ ଦର୍ଶନୀୟ ଷ୍ଟ୍ରୋକ୍ ଖେଳିବା ଜାରି ରଖିଥିଲେ। ୪ ରନ୍କରି ରାହୁଲ ଆଉଟ ହେବା ବେଳକୁ ଭାରତ ୬୧ ରନ୍ କରିଥିଲା। ସ୍କୋର୍ ୯୮ ଥିବା ବେଳେ ପୃଥ୍ୱୀ ସ’ ଆଉଟ ହୋଇଥିଲେ। ତେବେ ଏହା ପୂର୍ବରୁ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଏହି ଯୁବ ପ୍ରତିଭା। ପଦାର୍ପଣ ଟେଷ୍ଟରେ ଶତକ ଅର୍ଜନ କରିଥିବା ପୃଥ୍ୱୀ ଏହି ଇନିଂସରେ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୫୩ ବଲ୍ରୁ ଗୋଟିଏ ଛକା ଓ ୧୧ଟି ଚୌକା ସହ ୭୦ ରନ୍କରି ଆଉଟ ହୋଇଥିଲେ। ପରେପରେ ଚେତେଶ୍ୱର ପୂଜାରା ୧୦ ରନ୍କରି ବିଦାୟ ନେଇଥିଲେ। ୧୦୨ ରନ୍ରେ ୩ଟି ୱିକେଟ ପଡ଼ିବା ପରେ ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ୬୦ ରନ୍ ଯୋଡ଼ିଥିଲେ। ଚମତ୍କାର ବ୍ୟାଟିଂ କରୁଥିବା କୋହଲି ୭୮ ବଲ୍ରୁ ୫ଟି ଚୌକା ସହ ୪୫ ରନ୍କରି ଆଉଟ ହେବା ପରେ ଭାରତ ସାମାନ୍ୟ ଚିନ୍ତାରେ ପଡ଼ି ଯାଇଥିଲା। ଏହାପରେ ରାହାଣେ ଓ ବାମହାତି ଋଷଭ ୱେଷ୍ଟଇଣ୍ଡିଜ୍କୁ ଆଉ ସଫଳତା ଦେଇନଥିଲେ। ତେବେ ପନ୍ତ୍ କିନ୍ତୁ ଏକ ସୁଯୋଗ ଦେଇଥିଲେ। ୨୪ ରନ୍ କରିଥିବା ବେଳେ ପନ୍ତ୍ଙ୍କ ସହଜ କ୍ୟାଚ୍ ୱେଷ୍ଟଇଣ୍ଡିଜ୍ର ବଦଳ ୱିକେଟ ରକ୍ଷକ ଜାହ୍ମାର ହାମିଲଟନ ଛାଡ଼ି ଦେଇଥିଲେ। ଏହାର ସୁଯୋଗ ନେଇ ରାହାଣେ-ପନ୍ତ୍ ଅବିଭାଜିତ ୫ମ ୱିକେଟ ପାଇଁ ୧୪୬ ରନ୍ ଯୋଗ କରିଛନ୍ତି। ରାହାଣେ ଜଗିରଖି ଖେଳି ୬ଟି ଚୌକା ସହ ୭୫ ରନ୍କରି ଅପରାଜିତ ଅଛନ୍ତି। ବାମହାତି ପନ୍ତ୍ ୧୨୦ ବଲ୍ରୁ ୨ଟି ଛକା ଓ ୧୦ଟି ଚୌକା ସହ ୮୫ ରନ୍କରି କ୍ରିଜ୍ରେ ଅଛନ୍ତି। ଅଧିନାୟକ ଜେସନ୍ ହୋଲ୍ଡର ୨ଟି ୱିକେଟ ନେଇଥିଲେ।
ପ୍ରଥମଦିନ ଶେଷରେ ୭ ୱିକେଟରେ ୨୯୫ ରନ୍ କରିଥିବା ୱେଷ୍ଟଇଣ୍ଡିଜ୍ ଆଉ ୧୩ ରନ୍ ଯୋଗକରି ଶେଷ ୩ଟି ୱିକେଟ ହରାଇଥିଲା। ଏହି ୩ଟିଯାକ ୱିକେଟ ନେଇଥିଲେ ଉମେଶ ଯାଦବ। ଫଳରେ ଜୀବନରେ ପ୍ରଥମ ଥର ପାଇଁ ଉମେଶ ଏକ ଟେଷ୍ଟ ଇନିଂସରେ ୬ଟି ୱିକେଟ ନେଇ ପାରିଥିଲେ। ତେବେ ୱେଷ୍ଟଇଣ୍ଡିଜ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହା ଥିଲା ଯେ ପୂର୍ବଦିନ ୯୮ ରନ୍ରେ ଅପରାଜିତ ଥିବା ରୋଷ୍ଟନ୍ ଚେଜ୍ ଶତକ ପୂରଣ କରିଥିଲେ। ୪ର୍ଥ ଟେଷ୍ଟ ଶତକ ହାସଲ କରିଥିବା ଚେଜ୍ ୧୮୯ ବଲ୍ ଖେଳି ଗୋଟିଏ ଛକା ଓ ୮ଟି ଚୌକା ସହ ୧୦୬ ରନ୍ କରିଥିଲେ।