ଘରୋଇ କଳିରୁ ୪ ପିଲାଙ୍କ ସହ ନିଜକୁ ପୋଡ଼ି ମହିଳାଙ୍କ ଆତ୍ମହତ୍ୟା
ଲକ୍ଷ୍ନୌ : ଉତ୍ତରପ୍ରଦେଶ ହମିରପୁର ଜିଲାର ଅମଗ୍ରାମରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଘରୋଇ କଳିରୁ ଜଣେ ମହିଳା ଶୁକ୍ରବାର ରାତିରେ ନିଜ ୪ ପିଲାଙ୍କ ସହ ନିଜକୁ ଜୀବନ୍ତ ଜାଳି ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ମହିଳା ଜଣକ ୪ ପିଲା ଓ ନିଜ ଦେହରେ କିରୋସିନି ଢାଳି ନିଅାଁ ଲଗାଇ ଦେଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।
ଅମଗ୍ରାମ ନିବାସୀ ଧର୍ମପାଳ ଓ ତାଙ୍କ ପତ୍ନୀ ପ୍ରେମବତୀ (୩୦)ଙ୍କ ମଧ୍ୟରେ ଗତ ସପ୍ତାହରେ ବାପଘର ଯିବାକୁ ନେଇ ଝଗଡ଼ା ହୋଇଥିଲା। ଶୁକ୍ରବାର ଅପରାହ୍ଣରେ ସେହି ଘଟଣାକୁ ନେଇ ପୁଣିଥରେ ଦମ୍ପତିଙ୍କ ମଧ୍ୟରେ ବଚସା ହୋଇଥିଲା। କିଛି ସମୟ ପରେ କୌଣସି କାମରେ ଧର୍ମପାଳ ଘରୁ ପଦାକୁ ଚାଲିଯାଇଥିଲେ। ସନ୍ଧ୍ୟା ସମୟରେ ପ୍ରେମବତୀ ନିଜ ୪ ପିଲା ଝିଅ ସ୍ୱପ୍ନା (୫), ସ୍ନେହା (୨), ପୁଅ ପ୍ରଶାନ୍ତ (୩) ଓ ଦିବ୍ୟାଶୁଂ ( ୭ ମାସ)କୁ ଏକ ରଶିରେ ବାନ୍ଧି ତାଙ୍କ ଦେହରେ କିରୋସିନ ଢାଳି ଥିଲା। ପରେ ନିଜ ଉପରେ କିରୋସିନ ଢାଳି ନିଅାଁ ଲଗାଇ ଦେଇଥିଲା। ପିଲାଙ୍କ ବିକଳ କାନ୍ଦ ଓ ଚାଳ ଘର ଜଳୁଥିବା ଦେଖି ପାଖ ପଡ଼ୋଶୀ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ସେମାନଙ୍କୁ ଲୋକେ ଉଦ୍ଧାର କରି ସ୍ଥାନୀୟ ଝାନ୍ସୀ ମେଡିକାଲ କଲେଜ ହସ୍ପିଟାଲକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଅଗ୍ନିକାଣ୍ଡରେ ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ବାପଘରର ଜଣେ ସମ୍ପର୍କୀୟଙ୍କ ଶ୍ରାଦ୍ଧ ଭୋଜିକୁ ନ ଯାଇପାରିବାରୁ ପ୍ରେମବତୀ ନିଜ ସ୍ୱାମୀଙ୍କ ସହ କଳି କରିଥିଲେ। ପରବର୍ତ୍ତୀ ସମୟରେ ଏହା ଆତ୍ମହତ୍ୟାର କାରଣ ସାଜିଥିଲା।