ଓଏମବିଏଡିସିର ୨୭ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଏମ୍ବିଏଡିସିର ବାର୍ଷିକ ରିପୋର୍ଟ ଉନ୍ମୋଚିତ

ଭୁବନେଶ୍ୱର :  ଓଡ଼ିଶା ଖଣିଜ ଉତ୍ପାଦନ କ୍ଷେତ୍ର ଉନ୍ନୟନ ନିଗମ ଓଏମବିଏଡିସି ର ୨୭ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ ଆଜି ମୁଖ୍ୟ ଶାସନ ସଚିବ ତଥା ଓଏମବିଏଡିସି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଓ ଅନ୍ୟ ନିର୍ଦେଶକମାନେ ଉପସ୍ଥିତ ଥିବା ବେଳେ ଅନ୍ୟ ସଦସ୍ୟମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଯୋଗଦେଇଥିଲେ।
ଓଡ଼ିଶା ସରକାରଙ୍କ ଦ୍ୱାରା ଖଣିଜ ଅଂଚଳରେ ବିକାଶମୂଳକ କାର୍ୟ୍ୟ ନିମନ୍ତେ ଉଦ୍ଦିଷ୍ଟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ କମ୍ପାନୀ ଆଇନ, ୨୦୧୩ର ଧାରା ୮ ଅଧୀନରେ ଓଏମବିଏଡିସି ୨ଡିସେମ୍ବର ୨୦୧୪ରେ ଗଠନ ହୋଇଥିଲା । ରାଜ୍ୟର ଖଣିଜ ସମ୍ପଦ ସମ୍ପନ୍ନ ଅଞ୍ଚଳରେ ଜନଜାତିଙ୍କ କଲ୍ୟାଣ ଓ ଅଞ୍ଚଳର ବିକାଶ କାର୍ୟ୍ୟ କରିବା ଏହି କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ।

ଓଏମବିଏଡିସିର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜି. ରାଜେଶ ଗତ ବୋର୍ଡ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କାର୍ୟ୍ୟାନୁଷ୍ଠାନ ସଂପର୍କରେ ବୋର୍ଡ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ଏହାବ୍ୟତୀତ ସଦସ୍ୟମାନଙ୍କୁ ଖଣିଜ ଅଂଚଳ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଅର୍ଥ ପାଣ୍ଠିର ଉପଯୋଗ ସମ୍ପର୍କରେ ଅବଗତ କରାଯାଇଥିଲା । ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଅକ୍ଟୋବର ୨୦୨୩ ସୁଦ୍ଧା ମୋଟ ୨୦,୭୦୦ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୧୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ କ୍ଷେତ୍ର ଅଧୀନରେ ଥିବା ୬୦ଟି ପ୍ରକଳ୍ପ ପରିଷଦ ଦ୍ୱାରା ଅନୁମୋଦନ କରାଯାଇଥିଲା । ରାଜ୍ୟ ସରକାରଙ୍କ ୧୮ଟି ବିଭାଗ ୧୦,୮୬୮ କୋଟି ଟଙ୍କା ( ୭୨% ) ଅର୍ଥ ସଫଳତାର ସହ ବିନିଯୋଗ କରିଛନ୍ତି । ଯେଉଁ ବିଭାଗଗୁଡ଼ିକୁ ପ୍ରଦାନ କରାଯାଇଥିବା ଅର୍ଥର ୬୦% ରୁ ଅଧିକ ବ୍ୟବହାର କରିଛନ୍ତି ସେମାନେ ହେଲେ- ପଞ୍ଚାୟତିରାଜ ଓ ପାନୀୟ ଜଳ (୮୪%), ବିଦ୍ୟାଳୟ ଓ ଗଣଶିକ୍ଷା (୬୩%), ଗୃହ ନିର୍ମାଣ ଓ ନଗର ଉନ୍ନୟନ (୯୩%), ଗ୍ରାମ୍ୟ ଉନ୍ନୟନ (୮୪%), ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା (୭୨%, କୃଷି ଓ କୃଷକ ସଶକ୍ତି କରଣ ଏବଂ ପ୍ରାଣୀ ସମ୍ପଦ ବିକାଶ (୭୩%) ବିଭାଗ ।
ଓଏମବିଏଡିସିର କେତେକ ପ୍ରମୁଖ ସଫଳତା ବିଷୟରେ ମଧ୍ୟ ବୋର୍ଡକୁ ଅବଗତ କରାଯାଇଥିଲା । ଓଏମବିଏଡିସି ୦୮ଟି ଖଣି ଜିଲ୍ଲା ପାଇଁ ଆଡହକ୍ କାମ୍ପା ପାଣ୍ଠିରୁ ପାଣ୍ଠି ପ୍ରାପ୍ତ ଗୃହ ଓ ପାନୀୟ ଜଳ ଭଳି ପ୍ରକଳ୍ପର ପ୍ରଭାବ ଆକଳନ ଶେଷ କରିଛି ଏବଂ ଏହି ପ୍ରକଳ୍ପଗୁଡ଼ିକ ସେମାନଙ୍କ ଉଦ୍ଦେଶ୍ୟ ପୂରଣ କରିଥିବାରୁ ଏହାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ରହିଛି । ଯୋଗ୍ୟ ହିତାଧିକାରୀଙ୍କୁ ୨୮ ହଜାରରୁ ଅଧିକ ପକ୍କା ଘର ଆବଣ୍ଟନ କରାଯାଇଛି । ସେହିପରି ୮ଟି ଖଣି ଜିଲ୍ଲାର ୫୮ ହଜାର ପରିବାରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ କରାଯାଉଛି । ୨୦୧୯ ଆର୍ଥିକ ବର୍ଷରେ ଅନୁମୋଦନ ହୋଇଥିବା ଅନେକ ବୃହତ ଜଳ ଯୋଗାଣ ପ୍ରକଳ୍ପର ୯୦% କାର୍ୟ୍ୟ ଶେଷ ହୋଇଛି ଏବଂ ୨୦୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସେସବୁ କାର୍ୟ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି ।

ଯାଜପୁର ଜିଲାରେ ନିର୍ମାଣ କରାଯାଉଥିବା ଏମସିଏଚ୍ ହସ୍ପିଟାଲ ଓଏମବିଏଡିସିର ଅନ୍ୟତମ ପ୍ରମୁଖ ପ୍ରକଳ୍ପ, ଯାହା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି । ଓଏମବିଏଡିସି ମଧ୍ୟ ମହିଳା ସଶକ୍ତିକରଣ ପାଇଁ କାର୍ୟ୍ୟ କରୁଛି ଏବଂ ମିଶନ ଶକ୍ତି ବିଭାଗ ସହଯୋଗରେ ଯାଜପୁରରେ ମିଶନ ଶକ୍ତି ଭବନ ସମ୍ପୂର୍ଣ୍ଣ କରିଛି । ବହୁ ସଂଖ୍ୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ପାରମ୍ପରିକ ଉତ୍ପାଦ ପ୍ରଦର୍ଶନ ଏବଂ ବିକ୍ରୟ ମାଧ୍ୟମରେ ଉନ୍ନତ ଜୀବିକା ଅର୍ଜନ କରୁଛନ୍ତି । ଖଣି ଜିଲ୍ଲାରେ ଅନେକ ଅତ୍ୟାଧୁନିକ ଆଇସିୟୁ ଓ ଓଟି କାର୍ୟ୍ୟକ୍ଷମ ହୋଇ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । “୫-ଟି” ଉପକ୍ରମ ଅଧୀନରେ ୧୩୦୦ରୁ ଅଧିକ ହାଇସ୍କୁଲରେ ଉନ୍ନତ ଭିତ୍ତିଭୂମି ଏବଂ ସ୍ମାର୍ଟ କ୍ଲାସରୁମ୍ ଯୋଗାଇ ଦିଆଯାଇଛି ଏବଂ ଛାତ୍ରଛାତ୍ରୀମାନେ ଏହି ପରିବର୍ତ୍ତନଦ୍ୱାରା ଉପକୃତ ହେଉଛନ୍ତି ।

୯୬ କୋଟି ଟଙ୍କାର ନୂଆ ପ୍ରସ୍ତାବ ବୋର୍ଡ ସଦସ୍ୟଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାସ୍ତା ନିର୍ମାଣ ସହ ଶିମିଳିପାଳ ଜଙ୍ଗଲ ଅଧୀନରେ ଭଣ୍ଡନ ନଦୀ ଉପରେ ଗୋଟିଏ ପୋଲ ନିର୍ମାଣ ସହିତ ୮ଟି ପ୍ରକଳ୍ପ ଓ ୦୬ ଟି ପ୍ରସ୍ତାବ ଓଏମବିଏଡିସି ସହଯୋଗରେ ୦୮ଟି ଖଣି ଜିଲ୍ଲାରେ ଥିବା ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକ୍ ରେ ଟେକ୍ନୋଲୋଜି ଉନ୍ନତିକରଣ ଏବଂ ଯୁବକମାନଙ୍କୁ ନିଯୁକ୍ତି ସମ୍ବନ୍ଧୀୟ ତାଲିମ ପ୍ରଦାନ ସଂପର୍କରେ ପ୍ରସ୍ତାବ ଆଗତ କରାଯାଇଥିଲା । ଓଏମ୍ବିଏଡିସିର ସବ୍ କମିଟି ସୁପାରିସ କରିଥିବା ସମସ୍ତ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ପାନୀୟ ଜଳ କ୍ଷେତ୍ର ଅଧୀନରେ ପୂର୍ବରୁ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଜମି ସମ୍ବନ୍ଧୀୟ ସମସ୍ୟା କାରଣରୁ କେତେକ ଉପାଦାନରେ ବିଳମ୍ବିତ ହୋଇଥିବାରୁ ନିର୍ଦ୍ଦେଶକ ମଣ୍ଡଳୀ ଦ୍ୱାରା ସମୟ ବୃଦ୍ଧି କରାଯାଇଛି । କେତେକ ସଡ଼କ ପ୍ରକଳ୍ପରେ ଶ୍ରମ ହାର ବୃଦ୍ଧି ଏବଂ କାର୍ୟ୍ୟସୂଚୀ ହାରରେ ପରିବର୍ତ୍ତନ ହେତୁ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ଥିଲା, ଯାହାକୁ ବୋର୍ଡ ଦ୍ୱାରା ଅନୁମୋଦନ କରାଯାଇଛି ।

ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ତଥା ଓଏମ୍ବିଏଡିସିର ଅଧ୍ୟକ୍ଷ ଶ୍ରୀ ଜେନା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଏମବିଏଡିସିର ବାର୍ଷିକ ବିବରଣୀ, ଓଏମ୍ବିଏଡିସି ଦ୍ୱାରା ପ୍ରକାଶିତ ପୁସ୍ତିକା, ଓଏମ୍ବିଏଡିସି ପାଣ୍ଠିରେ ଦକ୍ଷତା ବିକାଶ, ଶିକ୍ଷା ଆଦି ପ୍ରକଳ୍ପ ସମ୍ପର୍କିତ କ୍ଷୁଦ୍ର ପ୍ରାମାଣିକ ଚିତ୍ର ଉନ୍ମୋଚନ କରାଯାଇଥିଲା । ଓଏମବିଏଡିସିର ସଂଶୋଧିତ ୱେବସାଇଟକୁ ମଧ୍ୟ ଅଧ୍ୟକ୍ଷ ଉନ୍ମୋଚନ କରିଥିଲେ ।

Comments are closed.