ଆଫଗାନିସ୍ତାନ ଓ ପାକିସ୍ତାନରେ ବନ୍ୟା: ୨୬ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର କନ୍ଦାହାର ଦକ୍ଷିଣ ଅଞ୍ଚଳରେ ଅଚାନକ ବନ୍ୟା ଆସିବା ଫଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାକିସ୍ତାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜାତିସଂଘ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଘର ଭୁଷୁଡ଼ି ଯିବାରୁ କିମ୍ବା ସେମାନେ ଯାତ୍ରା କରୁଥିବା ଗାଡ଼ିଗୁଡ଼ିକ ସହ ଭାସିଯାଇଥିବାରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏଥିରେ ଶିଶୁମାନଙ୍କ ସମେତ ଅତିକମ୍ରେ ୧୦ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। କନ୍ଦାହାରର ଉପରାଜ୍ୟପାଳ ଅବଦୁଲ୍ ହନନ୍ ମୋନିବ କହିଛନ୍ତି, ଗତ ୭ ବର୍ଷ ମଧ୍ୟରେ ଏହା ହେଉଛି ସବୁଠାରୁ ଭୟଙ୍କର ବନ୍ୟା ଏବଂ ସେହି ଅଞ୍ଚଳରେ ଅସ୍ଥାୟୀ ଭାବେ ରହୁଥିବା ଅନେକ ଯାଯାବର ଓ ସେମାନଙ୍କର ପାଳିତ ପଶୁ ବନ୍ୟାରେ ଭାସିଯାଇଥିବାର ଖବର ମିଳିଛି। ଆଫଗାନିସ୍ତାନ ସେନା ୪୦୦ ପରିବାରକୁ ଉଦ୍ଧାର କରିଛନ୍ତି।