ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ୨୫ ଅଟକ-ବିଞ୍ଝାରପୁର ବ୍ଲକରେ ବାଲାଟ ପେପର ଲୁଟ୍ ବେଳେ ଆକ୍ରମଣ କରିଥିଲେ ଏହି ସବୁ ଦୁର୍ବୃତ୍ତ
ଯାଜପୁର ସଦର : ରବିବାର ଯାଜପୁର ଜିଲା ବିଞ୍ଝାରପୁର ବ୍ଲବାଛଳ ପଞ୍ଚାୟତ ବାମଦେବପୁର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଭୋଟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ବିଦ୍ୟାଳୟରେ ୨ଟି ଭୋଟ କେନ୍ଦ୍ର ୨ ନଂ ବୁଥ୍ ଓ ୩ ନଂ ବୁଥ୍ କରାଯାଇଥିଲା। ହଠାତ୍ କିଛି ଦୁର୍ବୃତ୍ତ ବୁଥ୍ ଭିତରେ ପଶି ବାଲାଟ ପେପର ଓ ବାଲାଟ ପେପର ଥିବା ବାକ୍ସକୁ ନେଇ ଯାଇଥିଲେ। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ବାଲାଟ ପେପର ଲୁଟ୍ର ଫଟୋ ଉଠାଉଥିବା ବେଳେ ଉତ୍ତ୍ୟକ୍ତ ଦୁର୍ବୃତ୍ତ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଗୁଲସନ ନବାଜ ଅଲ୍ଲୀ ଖାଁଙ୍କୁ ଟାଣି ନେଇ ମରଣାନ୍ତକ ମାଡ଼ ମାରିଥିଲେ। ଏପରିକି ଜୀବନରୁ ମାରି ଦେବାକୁ କିଛି ଦୁର୍ବୃତ୍ତ ଉଦ୍ୟମ କରିବା ସହ ତାଙ୍କ ପିଠିକୁ କାମୁଡ଼ି କ୍ଷତାକ୍ତ କରି ଦେଇଥିଲେ। ବିଚ୍ ରାସ୍ତା ଉପରେ ସଂଗବଦ୍ଧ ହୋଇ ଦୁର୍ବୃତ୍ତ ଗୁଲସନର ହାତ, ଗୋଡ଼, ମୁଣ୍ଡ ଓ ଛାତିକୁ ଆଘାତ ଦେବା ସହ ଅପହରଣ କରି ନେଇ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଦେବାଶିଷ ସାହୁଙ୍କ ଗାଡ଼ିକୁ ଭାଙ୍ଗି ଚୁରମାର କରି ଦେଇଥିଲେ। ଏପରିିକି ଅନ୍ୟ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ବିଜୟ ସାହୁଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ବଳ ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ। ଦୁର୍ବୃତ୍ତମାନେ ପୋଖରୀରେ ପକାଇ ଦେଇଥିବା ବାଲାଟ ପେପର ଓ ବାକ୍ସକୁ ପୁଲିସ ଉଦ୍ଧାର କରିଥିଲା। ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏ ସଂକ୍ରାନ୍ତରେ ବିଞ୍ଝାରପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମରଣାନ୍ତକ ଆକ୍ରମଣର ଶିକାର
ହୋଇଥିବା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଗୁଲସନ ନବାଜ ଅଲ୍ଲୀ ଖାଁଙ୍କ ଅବସ୍ଥା ଗୁରୁତର ଥିବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଉପସ୍ଥିତିରେ ଦୁର୍ବୃତ୍ତ ପ୍ରିଜାଇଡିଂ ଅଫିସରଙ୍କୁ ଗାଳି ଗୁଲଜ କରିବା ସହ ବିଭିନ୍ନ ପ୍ରକାର ଧମକ ଦେବାକୁ ପଛାଇ ନଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାରେ ବିଞ୍ଝାରପୁର ପୁଲିସ ୨୫ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ସାମାଜିକ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଉତ୍ତୋଳନ କରାଯାଇଥିବା ଚିତ୍ରକୁ ଦେଖି ଅଟକ ରହିଥିବା ବ୍ୟକ୍ତିକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚଳାଇଛି। ଏସ୍ପି ଓ ଆଇଜି ନରସିଂହ ଭୋଳ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି।
ଘଟଣାକୁ ନିନ୍ଦା
ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ମରଣାନ୍ତ ଆକ୍ରମଣ ଏକ ନିନ୍ଦନୀୟ ଘଟଣା। ଏ ସମ୍ପର୍କରେ ଆରକ୍ଷୀ ଅଧିକ୍ଷକଙ୍କ ସହିତ କଥା ହେବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛି। ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛି।
-ପ୍ରମିଳା ମଲ୍ଲିକ, ବିଞ୍ଝାରପୁର ବିଧାୟିକା ତଥା ରାଜ୍ୟ ମୁଖ୍ୟ ସଚେତକ
ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା ଏକ ନିନ୍ଦନୀୟ ଘଟଣା। ଦୋଷୀ ଯିଏ ହୋଇଥାଉ ନା କାହିଁକି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ପ୍ରଣବ ପ୍ରକାଶ ଦାସ, ଯାଜପୁର ବିଧାୟକ ତଥା ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ
ଗଣମାଧ୍ୟମ ପ୍ରତିନିଧି ହେଉଛନ୍ତି ପ୍ରଶାସନର ଆଖି ଓ କାନ। ଗଣମାଧ୍ୟମ ପ୍ରତିନିଧି ଉପରେ ଆକ୍ରମଣ ହେବା ଏକ ସୁସ୍ଥ ସମାଜ ପାଇଁ ଶୁଭଙ୍କର ନୁହେଁ। ଏହି ଘଟଣାରେ ଯିଏ ବି ହେଉନା କାହିଁକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଚକ୍ରବର୍ତ୍ତୀ ସିଂ ରାଠୋର, ଜିଲାପାଳ, ଯାଜପୁର
ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ପୁଲିସ ପକ୍ଷରୁ ବ୍ୟାପକ ତଦନ୍ତ କରାଯାଉଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ଖୁବ ଶୀଘ୍ର ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ରାହୁଲ ପିଆର, ଆରକ୍ଷୀ ଅଧିକ୍ଷକ, ଯାଜପୁର
Comments are closed.