‘ଗୋ-ମାତାକି ଜୟ’ କହିବାକୁ ବାଧ୍ୟ କରି ୨୪ଜଣଙ୍କୁ ଦୌଡ଼ିରେ ବାନ୍ଧି ମାଡ଼
ମୁମ୍ବଇ : ‘ଜୟ ଶ୍ରୀରାମ’ ସ୍ଲୋଗାନ୍କୁ ନେଇ ବିଭିନ୍ନ ସ୍ଥାନରେ ବିବାଦ ଜାରି ରହିଥିବାବେଳେ ‘ଗୋ-ମାତା କି ଜୟ’ କହିବାକୁ ବାଧ୍ୟ କରି କିଛି ଲୋକ ମହାରାଷ୍ଟ୍ରର ଖଣ୍ଡୱାଠାରେ ୨୪ଜଣଙ୍କୁ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଚିତ୍ର ପ୍ରସାରିତ ହେବା ପରେ ରାଜ୍ୟ ବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାନୁଯାୟୀ, ଗୋ-ସୁରକ୍ଷାକାରୀ ବୋଲି ନିଜକୁ ପରିଚୟ ଦେଉଥିବା ସାବଲିକେଡା ଗ୍ରାମର ପ୍ରାୟ ୧୦୦ ବ୍ୟକ୍ତି ଏକତ୍ର ହୋଇ ରବିବାର ଖଣ୍ଡୱାଠାରେ ଗୋ-ଚାଲାଣ ଅଭିଯୋଗରେ ୨୪ଜଣ ଯୁବକଙ୍କୁ ଅଟକ ରଖିଥିଲେ। ସମ୍ପୃକ୍ତ ଯୁବକମାନେ ନିକଟବର୍ତ୍ତୀ ଅଞ୍ଚଳରେ ଆୟୋଜିତ ବାର୍ଷିକ ଗୋ-ମେଳାକୁ ଗୋରୁ ନେଇ ଯାଉଥିବା କହିଥିଲେ ମଧ୍ୟ ଗୋ-ସୁରକ୍ଷାକାରୀମାନେ ସେମାନଙ୍କ କଥା ଶୁଣି ନ ଥିଲେ। ସେମାନେ ଯୁବକମାନଙ୍କୁ ସର୍ବସାଧାରଣରେ ଦୌଡ଼ିରେ ବାନ୍ଧି ରାସ୍ତା ଉପରେ ଆଣ୍ଠେଇ ଦେଇଥିଲେ। ସେମାନଙ୍କୁ ‘ଗୋ-ମାତା କି ଜୟ’ ବୋଲି କହିବାକୁ ବାଧ୍ୟ କରିଥିଲେ ଏବଂ ଏଥିପାଇଁ ପ୍ରବଳ ମାଡ଼ ମାରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ବନ୍ଧା ହୋଇଥିବା ଯୁବକଙ୍କୁ ଜଗି ଥିଲାବେଳେ ଆଉ ଜଣେ ପ୍ରତ୍ୟେକଙ୍କ ଫଟୋ ଉଠାଇଥିଲେ। ପରେ ସେମାନଙ୍କୁ ପ୍ରାୟ ତିନି କିଲୋମିଟର ବାଟ ଚଲାଇ ଚଲାଇ ଖାଲୱା ଥାନାକୁ ନେଇଥିଲେ। ଏ ସମସ୍ତ ପ୍ରସାରିତ ଭିଡିଓରେ ଦେଖିବାକୁ ମିଳୁଛି। ପୁଲିସ ଅଧୀକ୍ଷକ ଶିବଦୟାଲ ସିଂହଙ୍କ କହିବାନୁସାରେ ସମ୍ପୃକ୍ତ ଯୁବକମାନେ ସାଙ୍ଗରେ ନେଉଥିବା ଗୋରୁ ନିଜର ବୋଲି ପ୍ରମାଣିତ କରିବାରେ ବ୍ୟର୍ଥ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ବେଆଇନ ଗୋ-ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି। ସେମାନେ ଯଥାକ୍ରମେ ଖଣ୍ଡୱା, ସେହୋର, ଦେୱାସ ଓ ହାଡ଼ଦା ଗ୍ରାମର ହୋଇଥିଲାବେଳେ ସେମାନଙ୍କ ମଧ୍ୟରେ ୬ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଛନ୍ତି। ଅପରପକ୍ଷରେ ସେମାନଙ୍କୁ ବାନ୍ଧି ବାଡ଼େଇଥିବା ଗ୍ରାମବାସୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏ ସମ୍ପର୍କରେ ତଦନ୍ତ ଚାଲିଥିବା ପୁଲିସ କହିଛି।
Comments are closed.