nua o banner

୧୯୯୯ ଆଜିର ଦିନ, ମହାବାତ୍ୟାକୁ ପୁରିଲା ୨୪ ବର୍ଷ

BJD Bijuli 480×75 Mob

ଭୁବନେଶ୍ବର: ୧୯୯୯ ମସିହା, ଅକ୍ଟୋବର ୨୯ ମହାବାତ୍ୟାକୁ ରବିବାର ୨୪ ବର୍ଷ ପୂରୁଛି। ମହାବାତ୍ୟା କେତେ ଯେ ଧନସମ୍ପତ୍ତି ଉଜାଡ଼ି ଦେଇଛି ତା’ର ବାସ୍ତବ ହିସାବ କାହାରି ପାଖରେ ନାହିଁ। ଆଜି ବି ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ ତାଣ୍ଡବ ରଚିଥିବା ସେହି କାଳରାତି ଦୃଶ୍ୟ। ପ୍ରଚଣ୍ଡ ପବନ ସାଙ୍ଗକୁ ମୂଷଳ ଧାରାରେ ବର୍ଷା ଏବଂ ତା’ସାଙ୍ଗକୁ ୧୫ ଫୁଟରୁ ଊର୍ଦ୍ଧ୍ବ ଉଚ୍ଚରେ ଲୁଣି ମାଡି ଆସିବା ଯୋଗୁଁ ଜଗତସିଂହପୁର ଜିଲା କୁଜଙ୍ଗ ଓ ଏରସମା ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିଲା। ଚାହୁଁ ଚାହୁଁ ଆଖି ଆଗରେ କାହାର ରୋଜଗାରିଆ ଭେଣ୍ଡିଆ ପୁଅ ତ ପୁଣି କାହାର ସ୍ବାମୀ ଭାସି ପ୍ରାଣ ହରାଇଥିଲେ।

୧୯୯୯ ମସିହା ମହାବାତ୍ୟାର ବିଭୀଷିକା ମନେ ପଡ଼ିଲେ ଅଙ୍ଗେ ଲିଭାଇଥିବା ଲୋକଟିର ଲୋମ ଆଜି ବି ଟାଙ୍କୁରି ଉଠେ।

୧୯୯୯ ମହାବାତ୍ୟା କ୍ଷୟକ୍ଷତି ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଥିବାବେଳେ ତାହା ପରବର୍ତ୍ତୀ ସମୟରେ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି। ପରବର୍ତ୍ତୀ ସମୟରେ ଓଡ଼ିଶାକୁ ଆସିଥିବା ବାତ୍ୟା ଆକଳନରେ ପାଣିପାଗର ସଠିକ୍‌ ପୂର୍ବାନୁମାନ ଏବଂ ଗଣମାଧ୍ୟମର ବ୍ୟାପକ ଖବର ପ୍ରସାରଣ ଯୋଗୁଁ ଲୋକେ ସତର୍କ ହେଉଛନ୍ତି। ଧନସମ୍ପତ୍ତି ଓ ଜନଜୀବନ କ୍ଷତିକୁ ହ୍ରାସ କରାଯାଇ ପାରିଛି। ସାରା ବିଶ୍ବରେ ବାତ୍ୟା ମୁକାବିଲାରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଅନୁକରଣ କରାଯାଇ ପାରୁଛି। ହେଲେ ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟର ଦୀର୍ଘସ୍ଥାୟୀ ମୁକାବିଲା ଉପରେ ଗୁରୁତ୍ବ ଦିଆଯାଉ ନାହିଁ। ଫଳରେ ପ୍ରତିବର୍ଷ ଓଡ଼ିଶାକୁ ଆସୁଥିବା ବାତ୍ୟା କ୍ଷତି କରୁଛି।

ଭାରତୀୟ ପାଣିପାଗ ବିଭାଗ ବାତ୍ୟା ରିପୋର୍ଟ ତଥ୍ୟାନୁଯାୟୀ, ୧୮୨୩ ମେ ୧୭ରୁ ଜୁନ ୯ ମଧ୍ୟରେ ଓଡ଼ିଶାରେ ଗୋଟିଏ ବାତ୍ୟା ସ୍ଥଳଭାଗ ଛୁଇଁଥିଲା। ଏହି ବାତ୍ୟାରେ ଘଣ୍ଟା ପ୍ରତି ପବନର ବେଗ ୨୮୦ କି.ମି ଥିବାବେଳେ ୫୫ ହଜାର ଲୋକଙ୍କ ଜୀବନ ଯାଇଥିଲା। ୧୮୨୩ରୁ ସେପ୍ଟେମ୍ବର ୨୨, ୨୦୨୩ ସୁଦ୍ଧା ଓଡ଼ିଶାରେ ମୋଟ ୪୨୨ଟି ବାତ୍ୟା ମାଡ ହୋଇଛି। ଏଥିରୁ କେବଳ ଅକ୍ଟୋବରରେ ୩୧ଟି ବାତ୍ୟା ଓଡ଼ିଶା ଉପକୂଳବର୍ତ୍ତୀ ଜିଲାଗୁଡିକରେ ସ୍ଥଳଭାଗ ଛୁଇଁଥିବା ରିପୋର୍ଟରେ ଦର୍ଶାଯାଇଛି। ୧୯୯୯ମସିହା ଜୁନରେ ଦୁଇଟି ବାତ୍ୟା ସ୍ଥଳଭାଗ ଛୁଇଁଥିବା ବେଳେ ଜୁଲାଇ ଏବଂ ଅଗଷ୍ଟରେ ଗୋଟିଏ ଲେଖାଏଁ ବାତ୍ୟା ଓଡ଼ିଶା ଆସିଥିଲା। ଅକ୍ଟୋବର ୧୫ରୁ ୧୯ ମଧ୍ୟରେ ଗୋଟିଏ ସାମୁଦ୍ରିକ ଝଡ଼ ଓଡ଼ିଶା ସ୍ଥଳଭାଗ ଛୁଇଁଥିବା ବେଳେ ଏହି ବାତ୍ୟାରେ ୧୯୭ ଲୋକ ପ୍ରାଣ ହରାଇଥିଲେ। ଅକ୍ଟୋବର ୨୧ରୁ ନଭେମ୍ବର ୪ ମଧ୍ୟରେ ଆଉ ଗୋଟିଏ ବାତ୍ୟା ସ୍ଥଳଭାଗ ଛୁଇଁଥିଲା। ଏହାଥିଲା ୧୯୯୯ ଅକ୍ଟୋବର ୨୯ର ମହାବାତ୍ୟା। ଯେଉଁ ମହାବାତ୍ୟା ସ୍ଥଳଭାଗ ଛୁଇଁଥିଲା ତା’ର କ୍ଷୟକ୍ଷତି ବ୍ୟାପକ ଥିଲା। ପାଣିପାଗ ବିଭାଗ ରିପୋର୍ଟ କହୁଛି, ଏହି ମହାବାତ୍ୟାରେ ଘଣ୍ଟା ପ୍ରତି ୩୧୫ କି.ମି ବେଗରେ ପବନ ବହିଥିବା ବେଳେ ୩୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ପାଖାପାଖି ୪.୪୪ ବିଲିୟନ ଡଲାର ମୂଲ୍ୟର ଧନସମ୍ପତ୍ତି ନଷ୍ଟ କରିଥିଲା। ଏହି ମହାବାତ୍ୟା ପବନର ବେଗ ଉଭୟ ବଙ୍ଗୋପ ସାଗର ଏବଂ ଆରବ ସାଗରରେ ସୃଷ୍ଟି ହୋଇଥିବା ମୋଟ ୨୦୧୯ଟି ବାତ୍ୟା ପବନର ବେଗଠାରୁ ଅଧିକ ଥିଲା। ମହାବାତ୍ୟା ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, ପୁରୀ, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଅଧିକ ପ୍ରଭାବିତ କରିଥିଲା। ଜଗତସିଂହପୁର ଜିଲାର କୁଜଙ୍ଗ ଏବଂ ଏରସମା ବ୍ଲକ ସମ୍ପୂର୍ଣ୍ଣ ଭାବେ କ୍ଷତିଗସ୍ତ ହୋଇଥିଲା। ୧୩ ଲକ୍ଷ ହେକ୍ଟର ଜମିରେ ଶସ୍ୟ ପ୍ରଭାବିତ ହୋଇଥିବାବେଳେ ୧.୭୬ ହେକ୍ଟର ଜମିରେ ପନିପରିବା ଏବଂ ୨.୫୭ ଲକ୍ଷ ହେକ୍ଟର ଜମିରେ ଫସଲ ଧୋଇ ଯାଇଥିଲା। ଏଥିସହିତ ବହୁ ଗୃହପାଳିତ ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଥିଲା। ହଜାର ହଜାର ବାସଗୃହ ମାଟିରେ ମିଶି ଯାଇଥିଲା।

ପାଣିପାଗ ବିଶେଷଜ୍ଞ ଡ. ଶରତଚନ୍ଦ୍ର ସାହୁ କହିଛନ୍ତି, ପ୍ରାକୃତିକ ଦୁର୍ବିପାକ ମଧ୍ୟରେ ବାତ୍ୟା ଆସୁଛି। ଏହାକୁ କେହି ରୋକି ପାରିବେ ନାହିଁ। ବାତ୍ୟାର ମୁକାବିଲା କରିବାକୁ ହେଲେ ଆମକୁ ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିବାକୁ ପଡିବ। ଓଡ଼ିଶାର ସର୍ବାଧିକ ଉପକୂଳବର୍ତ୍ତୀ ଅଞ୍ଚଳ ଆସୁଥିବାରୁ ସ୍ଥାୟୀ କଂକ୍ରିଟ ସୁରକ୍ଷା ପ୍ରାଚୀର ନିର୍ମାଣ କରିବା ଦରକାର। ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଲୁଣା ଜଙ୍ଗଲ ସୃଷ୍ଟି କରାଯାଇ ପାରିଲେ ବାତ୍ୟା ପବନର ବେଗକୁ କମ୍‌ କରି ଦିଆଯାଇ ପାରିବ। ଉପକୂଳରେ ସୁଉଚ୍ଚ ପ୍ରାଚୀର ଦ୍ବାରା ଜୁଆର ପାଣି ଜନବସତି ଆଡ଼କୁ ମାଡ଼ି ଆସିବ ନାହିଁ। ସମୁଦ୍ର ତଟବର୍ତ୍ତୀ ଜିଲାଗୁଡିକରେ ସମୁଦ୍ର କୂଳରୁ ଅତି କମରେ ୧୫ କିଲୋମିଟର ଅଞ୍ଚଳରେ ଥିବା ଗ୍ରାମବାସୀ ତିନି ମହଲା କୋଠାଘର ନିର୍ମାଣ କରିବା ଦରକାର। ବାତ୍ୟା ପ୍ରବଣ ଜିଲାଗୁଡିକରେ ସମସ୍ତ ଘର ପକ୍କା ଏବଂ ବାତ୍ୟା ଅାଶ୍ରୟସ୍ଥଳକୁ ୪ ମହଲା କରିବା ଦରକାର।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ପୂର୍ବରୁ ବର୍ଷକୁ ଗୋଟିଏ କିମ୍ବା ଦୁଇଟି ବାତ୍ୟା ସୃଷ୍ଟି ହେଉଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ବାୟୁମଣ୍ଡଳ ଅଧିକ ଉତ୍ତପ୍ତ ହୋଇ ପଡୁଛି। ଫଳସ୍ବରୂପ ବାରମ୍ବାର ବାତ୍ୟା ଆସୁଛି। ସମୁଦ୍ରର ବାୟୁମଣ୍ଡଳ ଅଧିକ ଉତ୍ତପ୍ତ ରହିବା ଯୋଗୁଁ ଗୋଟିଏ ବାତ୍ୟା ୧୬ରୁ ୧୮ ଘଣ୍ଟା ମଧ୍ୟରେ ସିଭିୟର, ଭେରି ସିଭିୟର ବାତ୍ୟାରେ ପରିଣତ ହେଉଛି। ଯେଉଁଠି ଆକଳନ କରାଯାଉଥିଲା ଘଣ୍ଟା ପ୍ରତି ପବନର ବେଗ ୭୦କି.ମି ବହିବ, ସେଠି ବାତ୍ୟା ଶକ୍ତିଶାଳୀ ହେବା ଦ୍ବାରା ମାତ୍ର ୧୬ ଘଣ୍ଟା ମଧ୍ୟରେ ପବନର ବେଗ ୧୩୦କି.ମିକୁ ବୃଦ୍ଧି ପାଉଛି। ଏହାକୁ ଆକଳନ କରିବା ପାଣିପାଗ ବିଶେଷଜ୍ଞଙ୍କ ପାଇଁ ବଡ଼ ଚାଲେଞ୍ଜ ହେଉଛି।

Comments are closed.