ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ୧୫ରୁ ଊର୍ଦ୍ଧ୍ବ ପ୍ରମୁଖ ନେତାଙ୍କ ଭାଗ୍ୟ ପରୀକ୍ଷା
ଭୁବନେଶ୍ବର : ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟ ପଡ଼ିବ। ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏମାନଙ୍କ ମଧ୍ୟରେ ୧୫ରୁ ଅଧିକ ପ୍ରମୁଖ ନେତା ରହିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ସହ ବଲାଙ୍ଗିରର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଦୁଇଟି ଆସନରେ ଆଜି ଭୋଟ୍ ଗ୍ରହଣ ହେବ। ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଜିତି ଆସୁଥିବାବେଳେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। କଣ୍ଟାବାଞ୍ଜିରୁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଜିତିଥିଲେ। ଏଥର ନବୀନ ପଟ୍ଟନାୟକ ଲଢ଼ୁଥିବା ଦୁଇଟି ଆସନ ଉପରେ ସମସ୍ତଙ୍କ ନଜର ରହିଛି। ସୁନ୍ଦରଗଡ଼ ଲୋକସଭା ଆସନରୁ ଲଢ଼ୁଛନ୍ତି ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ। ଗଡ଼ ବଞ୍ଚାଇବାକୁ ସେ ପ୍ରୟାସ ଜାରି ରଖିଛନ୍ତି। ବିଜେଡିର ଦିଲୀପ ତିର୍କୀଙ୍କ ସହ ତାଙ୍କର ଲଢ଼େଇ ହେଉଛି। ରାଉରକେଲାରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ଦିଲୀପ ରାୟ। ତାଙ୍କର ମୁକାବିଲା କରୁଛନ୍ତି ବିଜେଡି ପ୍ରାର୍ଥୀ ସାରଦା ନାୟକ। ଅନ୍ୟପକ୍ଷରେ ୨୦୧୯ରେ ପ୍ରଥମ ଥର ପାଇଁ କନ୍ଧମାଳ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ ଡ. ଅଚ୍ୟୁତ ସାମନ୍ତ। ଏଥର ପୁଣି ସେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ବରଗଡ଼ ଲୋକସଭା ଆସନରେ ବିଜେପିର ଟାଣୁଆ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସେଠାରେ ପରିଣୀତା ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ସେହିଭଳି ବଲାଙ୍ଗିର ଲୋକସଭାରୁ ଆଉଥରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ସଙ୍ଗୀତା ସିଂହଦେଓ। ବିଜେଡି ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରି କଂଗ୍ରେସରୁ ଆସିଥିବା ଟାଣୁଆ ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ମଇଦାନକୁ ଓହ୍ଲାଇଛି। ସୋନପୁର ବିଧାନସଭା ଆସନରୁ ଲଢ଼ୁଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହାସହ ଟିଟିଲାଗଡ଼ ବିଧାନସଭା ଆସନରୁ ପୁଣି ଭାଗ୍ୟ ପରୀକ୍ଷା କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ଭଞ୍ଜନଗର ଆସନରୁ ଲଗାତାର ଜିତି ଆସୁଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏଥର ମଧ୍ୟ ସେ ପ୍ରାର୍ଥୀ ହୋଇଛନ୍ତି। ବଲାଙ୍ଗିର ବିଧାନସଭା ଆସନ ଏକ ଚର୍ଚ୍ଚିତ ଆସନ। ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହୋଇଥାଏ। କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏଠାରୁ କ୍ରମାଗତ ଜିତିଥିଲେ। ଚଳିତଥର ସେ ନିର୍ବାଚନ ଲଢ଼ୁନାହାନ୍ତି। ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ସମରେନ୍ଦ୍ରଙ୍କ ଲଢ଼େଇ ବିଜେଡିର କଳିକେଶ ନାରାୟଣ ସିଂହଦେଓଙ୍କ ସହ ହେଉଛି। ଅନ୍ୟପକ୍ଷରେ ସାନଖେମୁଣ୍ଡି ବିଧାନସଭା ଆସନରେ ଗଡ଼ ବଞ୍ଚାଇବା ଲକ୍ଷ୍ୟରେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା। ଏହିପରି ଭାବେ ଦ୍ବିତୀୟ ପର୍ଯ୍ୟାୟରେ ୧୫ରୁ ଅଧିକ ଚର୍ଚ୍ଚିତ ନେତାଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହେବାକୁ ଯାଉଛି।
ସୂଚନାଯୋଗ୍ୟ ଯେ, ଦ୍ବିତୀୟ ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ୨୦୧୯ ନିର୍ବାଚନରେ ଉକ୍ତ ୫ ଲୋକସଭା ଆସନରୁ ବିଜେଡି ଆସ୍କା ଓ କନ୍ଧମାଳ ଏବଂ ବିଜେପି ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଆସନ ହାତେଇ ଥିଲେ। ସେହିପରି ୩୫ ବିଧାନସଭା ଆସନରୁ ବିଜେଡି ୨୬, ବିଜେପି ୪, କଂଗ୍ରେସ ୪ ଓ ସିପିଏମ୍ ଗୋଟିଏ ଆସନରେ ବାଜିମାତ୍ କରିଥିଲେ।
Comments are closed.