ହନୁମାନ ଜୟନ୍ତୀ ପାଇଁ ଆୟୋଜିତ ବାଇକ ରାଲି ଉପରେ ଆକ୍ରମଣ, ୬ଟି ଥାନାଞ୍ଚଳରେ ୧୪୪ ଧାରା
ସମ୍ବଲପୁର: ଚଳିତ ବର୍ଷର ହନୁମାନ ଜୟନ୍ତୀ ପାଳନ ନିମନ୍ତେ ବୁଧବାର ଅପରାହ୍ନରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଏକ ବିରାଟ ବାଇଲ ରାଲି ସମ୍ବଲପୁର ଗୋବିନ୍ଦତୋଲା ଅଞ୍ଚଳରୁ ବାହାରିଥିଲା। ଉକ୍ତ ବାଇକ ରାଲି ନଗର ପରିକ୍ରମା ପରେ ଭୂତାପଡ଼ା ଛକ ଦେଇ ମୋତିଝରନ ପଟକୁ ଯାଉଥିବା ବେଳେ ଭିଏସଏସ ଷ୍ଟାଡିୟମ ନିକଟରେ ଉକ୍ତ ରାଲିକୁ ଅପର ପକ୍ଷରୁ ଅଟକାଇ ଦିଆଯାଇଥିଲା। ଏହା ପରେ ଅଚାନକ ଅଞ୍ଚଳରେ ଥିବା ବିଭିନ୍ନ ଘର ଛାତ ଉପରୁ, ଗଳିକନ୍ଦି ଆଦିରୁ ପଥର ମାଡ ରାଲି ଉପରେ ହୋଇଥିଲା। ଫଳରେ ବାଇକ ରାଲିରେ ଯାଉଥିବା ଯୁବକ ମାନେ ଗାଡି ଛାଡି ଦେଇ ଭୂତପଡ଼ା ପଟକୁ ଫେରିବାକୁ ଉଦ୍ୟମ କରିଥିବା ବେଳେ ଅପର ପକ୍ଷର ବ୍ୟକ୍ତି ମାନେ ଅନେକଙ୍କୁ ଧରି ପକାଇ ପ୍ରବଳ ମାଡ ମାରିବା ସହିତ କ୍ଷତାକ୍ତ କରି ଦେଇଥିଲେ। ଏହି ଆକ୍ରମଣ ପରେ ମୋତିଝରନରୁ ନେଇ ଭୂତାପଡ଼ା ଓ ଜିଲାସ୍କୁଲ ଛକ ପର୍ଯ୍ୟନ୍ତ ନିରନ୍ତର ପଥର ମାଡ କରାଯାଇଥିଲା। ଏହି ଆକ୍ରମଣରେ ଅତିରିକ୍ତ ପୁଲିସ ଆରକ୍ଷୀ ଅଧିକ୍ଷକ ତପନ ମହାନ୍ତି, ଧନୁପାଲି ଥାନାଧିକାରିଣୀ ଅନୀତା ପ୍ରଧାନ, ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ସମେତ ୧୦ରୁ ଉର୍ଦ୍ଧ ପୁଲିସ କର୍ମଚାରୀ, ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କର ଏବଂ ୫୦ରୁ ଅଧିକ ସମିତି ସଦସ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପରେ ଶତାଧିକ ବାଇକ ଛାଡି ସମିତି ସଦସ୍ୟ ମାନେ ସେଠାରୁ ଭୂତାପଡ଼ା ପଟକୁ ଫେରି ଆସୁଥିବା ବେଳେ ମଧ୍ୟ ସେମାନଙ୍କ ଉପରକୁ ଜିଲାସ୍କୁଲ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପଥର ମାଡ କରାଯାଇଛି। ଏହି ଘଟଣା ପରେ ଅତିରିକ୍ତ ପୁଲିସ ବଳ ମୁତୟନ କରାଯାଇ ଘଟଣାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଥିବା ବେଳେ ସ୍ଥାନୀୟ ଜିଏମ କଲେଜ ଛକ ଓ ଚାରଭାଟି ଛକ ଅଞ୍ଚଳରେ ଥିବା ଅପର ପକ୍ଷର ବ୍ୟକ୍ତିଙ୍କ ୨ଟି ଦୋକାନ ଗୁଡିକରେ ନିଆଁ ଲାଗିଥିବାର ଜଣାପଡ଼ିଛି। ସନ୍ଧ୍ୟା ସମୟରେ ହୋଇଥିବା ଏହି ଘଟଣା ପରେ ସାରା ସହରରେ ରାତ୍ରି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଛି ଏବଂ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣା ପରେ ପୁଲିସ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଣି ହେପାଜତରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସର ଢ଼ିଲାପଣ ପଡ଼ିଲା ଭାରି
ବିଗତ ଦିନରେ ଓକିଲ ଆନ୍ଦୋଳନ ସମେତ ବିଭିନ୍ନ ମାମଲା ଗୁଡିକରେ ପୁଲିସ ଯେଭଳି ଢ଼ିଲା ମନୋବୃତ୍ତି ଆପଣେଇଥିଲା ଏବଂ ପରେ ତାହା ତାକୁ ଭାରି ପଡ଼ିଥିବା ଭଳି ଏହି ଘଟଣାରେ ଘଟିଛି। ଆଜି ଗଣ୍ଡୋଗଳ ଘଟିଥିବା ସ୍ଥାନରେ ଗତ ବର୍ଷ ମଧ୍ୟ ବିବାଦ ହୋଇଥିଲା। ଏଣୁ ପୁଲିସ ଏହି ଅଞ୍ଚଳରେ ଅତିରିକ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରିବା ପରିବର୍ତ୍ତେ ସାମାନ୍ୟ ପୁଲିସ ବଳ ମୃତୟନ ରଖିଥିଲା। ଫଳରେ ଗଣ୍ଡୋଗଳ ସୃଷ୍ଟି କାରି ମାନଙ୍କୁ ପୁଲିସ ଠିକଣା ସମୟରେ କାବୁ କରି ପାରି ନ ଥିଲା ଏବଂ ଏହି ଅଘଟଣା ଘଟିଛି।
ଗୁଇନ୍ଦା ବିଭାଗ ସମ୍ପୁର୍ଣ୍ଣ ଫେଲ
ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଏହି ଆକ୍ରମଣ ଘଟଣା ଯୋଜନାବଦ୍ଧ ଭାବରେ କରାଯାଇଥିବାର ଅଭିଯୋଗ କରାଯାଉଥିବା ବେଳେ ପୁଲିସର ଗୁଇନ୍ଦା ବିଭାଗ ସମ୍ପୁର୍ଣ୍ଣ ଫେଲ ମାରିଛି। ପ୍ରତି ବର୍ଷ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଥିବାର ନଜୀର, ବିଗତ ଦିନରେ ଧନୁପାଲି ଥାନାଧିକାରିଣୀ ଓ ବିରୋଧି ଦଳ ନେତା ମଧ୍ୟରେ ହୋଇଥିବା ହାତାହାତି ଘଟଣା, ବିବାଦୀୟ ବୟାନ ପରେ ଜୟବ୍ରତ ଦେ ଙ୍କୁ ଗିରଫ କରାଯିବା, ବରିଷ୍ଠ ବିଜେପି ନେତା ମୋହନ ଦାଶଙ୍କୁ ଗିରଫ ଆଦି ବିଭିନ୍ନ ଘଟଣା ଘଟିଥିବା ସତ୍ୱେ କିନ୍ତୁ ଗୁଇନ୍ଦା ବିଭାଗ ତାର କୁମ୍ଭକର୍ଣ୍ଣ ନିଦ୍ରାର ଉଠି ନ ଥିଲା। ଗୁଇନ୍ଦା ବିଭାଗ ସମ୍ବଲପୁର ଠାରେ ବାରମ୍ବାର ଫେଲ ମାରୁଥିବାରୁ ଅଇଁଠାପାଲି ଥାନା ପୋଡି, ଅଦାଲତ ପରିସର ମଧ୍ୟରେ ଆନ୍ଦୋଳନକାରୀ ଙ୍କ ଗଣ୍ଡୋଗଳ ଓ ବିଚାରପତିଙ୍କୁ ଦୁର୍ବବ୍ୟବହାର ଆଦି ଅନେକ ଘଟଣା ଘଟି ସାରିଛି। କିନ୍ତୁ ବିଡମ୍ବନାର ବିଷୟ ଯେ, ଗୁଇନ୍ଦା ବିଭାଗକୁ ସକ୍ରିୟ କରିବା ପାଇଁ କୌଣସି ଆନ୍ତରିକତା ପ୍ରକାଶ କରାଯାଉ ନାହିଁ।
ସହରର ୬ଟି ଥାନାଞ୍ଚଳରେ ୧୪୪ ଧାରା ଜାରି
ସମ୍ବଲପୁରରେ ଶାନ୍ତିଶୃଙ୍ଖଳା ଭଙ୍ଗ ହେବାର ଘଟଣା ଘଟିବା ପରେ ସଦର ଉପ ଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା ତାଙ୍କର ଚିଠି ସଂଖ୍ୟା ୨୮୪୯/ତା. ୧୨.୦୪.୨୦୨୩ ଅନୁଯାୟୀ, ବୁଧବାର ରାତ୍ର ୭ଟା ପରେ ସମ୍ବଲପୁର ସହରରେ ୧୪୪ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରିଛନ୍ତି। ଉପ ଜିଲାପାଳ ଙ୍କ ଚିଠି ଅନୁଯାୟୀ, ସହରରେ ଶାନ୍ତି ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ସମ୍ବଲପୁର ସହରରେ ଥିବା ୬ଟି ଥାନା ଟାଉନ, ଧନୁପାଲି, କ୍ଷେତରାଜପୁର, ଅଇଁଠାପାଲି, ବରେଇପାଲି ଓ ସଦର ଥାନାଞ୍ଚଳ ଗୁଡିକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାର କରାଯାଇଛି। ଏଥି ପାଇଁ ଜିଲା ସୂଚନା ଓ ଲୋକ ସର୍ମ୍ପକ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଉଛି।
ଗିରିଶ ପଟେଲ, ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଉପଦେଷ୍ଟା ତଥା ଜିଲା ବିଜେପି ସଭାପତି
ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ବାଇକ ରାଲି ସମୟରେ ଯେଭଳି ଭାବରେ ଭୂତପଡ଼ା ଛକ ନିକଟରେ ପଥର ମାଡ କରାଯାଇଛି, ତାକୁ ମୁଁ ଘୋର ନିନ୍ଦା କରୁଛି। ଗତ ବର୍ଷ ମଧ୍ୟ ସେହି ସ୍ଥାନରେ ଝଗଡ଼ା କରିବାର ପ୍ରୟାସ କରିଥିଲେ। କିନ୍ତୁ ସେ ସମୟରେ କୌଣସି ବଡ ବିବାଦକୁ ଏଡାଇ ଦିଆଯାଇଥିଲା। ତେବେ ଚଳିତ ବର୍ଷ ମଧ୍ୟ ସେହି ସ୍ଥାନରେ ପୁର୍ନବାର ପଥର ମାଡ କରାଯିବା ଅତ୍ୟନ୍ତ ନିନ୍ଦନୀୟ। ପୁଲିସ ପ୍ରଶାସନ ସେହି ସ୍ଥାନରେ ଅତିରକ୍ତ ପୁଲିସ ବଳ ମଧ୍ୟ ମୃତୟନ କରି ନ ଥିଲେ। ଏହି ମରଣାନ୍ତକ ଆକ୍ରମଣ ଘଟଣାରେ ଅନେକ ସମିତି ସଦସ୍ୟ ଆହତ ହୋଇଥିବା ବେଳେ ଅନେକ ମୋଟର ସାଇକେଲ ଗୁଡିକୁ ଭାଙ୍ଗି ରୁଜି ଦିଆଯାଇଛି। ଏଣୁ ପୁଲିସ ତୁରନ୍ତ ଏହି ଗଣ୍ଡୋଗଳକାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସମିତିର ଉପଦେଷ୍ଟା ତଥା ଜିଲା ବିଜେପି ସଭାପତି ଗିରିଶ ପଟେଲ ଦାବି କରିଛନ୍ତି।
ସମୀର ରଞ୍ଜନ ବାବୁ, ସମ୍ପାଦକ, ହନୁମାନ ଜୟନ୍ତୀ ସମନ୍ୱୟ ସମିତି
ଆଜି ଏହା ଯୋଜନାବଦ୍ଧ ଭାବରେ ଆକ୍ରମଣ କରାଯାଇଛି। ସାରା ଭାରତରେ ଯେଭଳି ଭାବରେ ହିନ୍ଦୁ ମାନଙ୍କୁ ଆକ୍ରମଣ କରାଯାଉଛି, ସେହିଭଳି ଆକ୍ରମଣ କରାଯାଇଛି। ପୂର୍ବ ଯୋଜନାନୁଯାୟୀ, କିଛି ସମୟ ମଧ୍ୟରେ ବାଇକ ରାଲିକୁ ଘେରି ଯାଇ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହା ପରେ ସମିତି ସଦସ୍ୟ ମାନେ ଫେରିବା ସମୟରେ ସେମାନଙ୍କୁ ଭୂତପଡ଼ା, ଜିଲାସ୍କୁଲ ଛକ ଆଦି ସ୍ଥାନରେ ମଧ୍ୟ ପଥର ମାଡ କରାଯାଇଛି। ଏଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଯିଏ ଦୋଷୀ ତାକୁ କଠୋର କଠୋର ଆଇନ ଅନୁଯାୟୀ ଦଣ୍ଡ ଦେବା ଉଚିତ ବୋଲି ସମ୍ପାଦକ ସମୀର ବାବୁ ଦାବି କରିଛନ୍ତି।
ଘଟଣା ପରେ ଅଧିକାରୀ ମାନଙ୍କ ମୌନବ୍ରତ
ସମ୍ବଲପର ଠାରେ ଘଟି ଯାଇଥିବା ଅଭାବନୀୟ ଘଟଣା ପରେ ସମସ୍ତ ଅଧିକାରୀ ମାନେ ଏକ ପ୍ରକାରର ମୌନବ୍ରତ ଧାରଣ କରିଛନ୍ତି। ସମସ୍ତଙ୍କ କଳ୍ପନାରୁ ବାହାରେ ଘଟି ଯାଇଥିବା ଏହି ଘଟଣା ପରେ ସମସ୍ତେ ନିଜ ନିଜର ଚୌକି ବଞ୍ଚାଇବାରେ ବ୍ୟସ୍ତ ଥିବାର ଲକ୍ଷ୍ୟ କରାଯାଇଛି।
ଘଟଣା ପରେ ବାଇକ ଓ ଦୋକାନ ପୋଡି
ସମ୍ବଲପର ଠାରେ ଘଟି ଯାଇଥିବା ଅଭାବନୀୟ ଘଟଣା ପରେ ଅଞ୍ଚଳରେ ଥିବା ଅନେକ ଯାନ ଗୁଡିକୁ ଭଙ୍ଗାରୁଜା କରାଯାଇଥିବା ବେଳେ ୨ଟି ବାଇକ ଓ ୨ଟି ଦୋକାନ ଗୁଡିକୁ ପୋଡି ଦିଆଯାଇଛି। ଏହି ଘଟଣା ପରେ ସେଠାରେ ପଡ଼ି ରହିଥିବା ଅନେକ ବାଇକ ଗୁଡିକୁ ଭଙ୍ଗା ଯାଇଥିବା ବେଳେ କିଛି ବାଇକ ଗୁଡିକୁ ଚୋରି କରି ନେଇ ଯାଇଥିବାର ମଧ୍ୟ ଅଭିଯୋଗ ହେଉଛି।
Comments are closed.