ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଳକ କୁମେଲସିଂହା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ତ୍ରିଲୋକ୍ୟ ନାଏକ ନିଆରା ଢଙ୍ଗରେ ପାଳିଛନ୍ତି ଗ୍ରାମରେ ଅମୃତ ମହୋତ୍ସବ। ସେ ତାଙ୍କର ଗୋଟିଏ ମାସର ଦରମା ଅର୍ଥ ରାଶିକୁ ବୃଦ୍ଧ ବୃଦ୍ଧା ମାନଙ୍କ ସେବାରେ ଲଗେଇ ଦେଇଛନ୍ତି। ଆଦର ଓ ସମ୍ମାନ ଦେଇ ତାଙ୍କ ମୁହଁରେ ହସ ଦେବା ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି। ବାର୍ଦ୍ଧକ୍ୟ ଆସିଲେ ମଣିଷ ଖାଜେ ଟିକେ ଆଦର ଓ ତା ପାଇଁ ସମସ୍ତଙ୍କ ଠାରୁ କିଛି ସମ୍ମାନ। ଏଇ ମହତ୍ ଉଦ୍ଦେଶ୍ୟକୁ ନେଇ ନିଜ ଝିଅ ଓ ପତ୍ନୀଙ୍କ ସହ କୁଲୁଣ୍ଡା ତଥା ଆଖପାଖ ଅଞ୍ଚଳର ୧୨୦ ଜଣ ବୃଦ୍ଧ ଓ ବୃଦ୍ଧା (୭୫ ବର୍ଷରୁ ଅଧିକ) ମାନଙ୍କୁ ସମବେତ କରି ତାଙ୍କର ପଦଧୌତ କରି ତାଙ୍କୁ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ସମ୍ମାନ ଜଣାଇବା ସହ ତାଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ। ଏହା ସହିତ ବାଣ ଫୁଟାଇ ଓ ବଜା ବଜାଇ ଗାଁ ରେ ଭବ୍ୟ ଶୋଭାଯାତ୍ରା କରି ସମସ୍ତଙ୍କୁ ଗ୍ରାମ ସ୍ଥିତ ମାଁ ହିର୍ଲିପଳିଏନ ଦେବୀ ପୀଠକୁ ଅଣାଯାଇ ସମସ୍ତଙ୍କୁ ସସମ୍ମାନେ ବସାଇ ଜଳପନ କରାଇଥିଲେ। ଏହା ପରେ ମନ୍ଦିର ଭିତରେ ରହିଥିବା ହନୁମାନ ବିଗ୍ରହଙ୍କ ସଂସ୍କାର ପୂଜା ଓ ହୋମ ଆଦି ପୂଜାକାର୍ୟ୍ୟ ସମ୍ପନ୍ନ କରି ସେମାନଙ୍କ ନିରାମୟ ଜୀବନର କାମନା କରିଥିଲେ। ଏହା ପରେ ସମସ୍ତ ବୃଦ୍ଧ ବୃଦ୍ଧା ମାନଙ୍କ ପାଦ ଛୁଇଁ ପ୍ରଣାମ କରି ତାଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିଭା ସମ୍ମାନ କାର୍ୟ୍ୟକ୍ରମ ମଧ୍ୟ ରହିଥିଲା। ଅତାବିରା ପୋଲିସ ଏସ ଆଇ କୈଳାଶ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର, ଅବସର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନିଶିକାନ୍ତ ପଣ୍ଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ, ରାଧେଶ୍ୟାମ ପ୍ରଧାନ ଓ ପଲସା ପାଲି ଗ୍ରାମର ବରିଷ୍ଠ ନାଗରିକ କୁଳମଣି ପ୍ରଧାନ ସମ୍ମାନିତ ଅତିଥି ରୂପେ ମଂଚସୀନ ଥିଲେ। ଏହି କାର୍ୟ୍ୟକ୍ରମରେ ୩ ଜଣଙ୍କୁ ଗାଁ ପ୍ରତିଭା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା।
Popular Categories



