bjd gruha runa

ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି ତଣ୍ଡ

ମହଙ୍ଗା ପଡ଼ିଲା ମହାପ୍ରଭୁଙ୍କ ସମ୍ପତ୍ତି ଅବହେଳା

BJD Bijuli 480×75 Mob

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି ପ୍ରତି ଅବହେଳା କରିବା ଶ୍ରୀମନ୍ଦିର ପ୍ରଶାସନକୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ର ନିର୍ଦେଶକ୍ରମେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ୧୨କୋଟି ଟଙ୍କାର ତଣ୍ଡ ଗଣିବ । ଉକ୍ତ ଅର୍ଥ ରାଶି ଖୋର୍ଦ୍ଧା ଜିଲା ପ୍ରଶାସନକୁ ପ୍ରଦାନ କରାଯିବ। ଖୋର୍ଦ୍ଧା ଜିଲା ପ୍ରଶାସନ ଯେଉଁ ସବୁ ଅମୃତ ମଣୋହି ସମ୍ପତ୍ତିରୁ ଖଣିଜ ସମ୍ପଦ ଲୁଟ୍ ହୋଇଛି ସେସବୁକୁ ସମତୁଲ କରିବା ସହିତ ସେଠାରେ ଚାରାରୋପଣ କରି ପରିବେଶ ଆହ୍ବାନକୁ ମୁକାବିଲା କରିବ। ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଏନଜିଟି ପକ୍ଷରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଖୋର୍ଦ୍ଧା ଜିଲା ପ୍ରଶାସନକୁ ଦିଆଯାଇଛି। ଏହାସହିତ ପରିବେଶ ସୁରକ୍ଷା ଦିଗରେ ଠିକଣା ପଦକ୍ଷେପ ନେବା ଲାଗି ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀଙ୍କୁ ତାଗିଦ କରାଯାଇଛି। ଖୋର୍ଦ୍ଧା ଜିଲାରେ ମହାପ୍ରଭୁଙ୍କ ଶତାଧିକ ଏକର ମଣୋହି ସମ୍ପତ୍ତି ଦୀର୍ଘବର୍ଷ ଧରି ବେଆଇନ ଭାବେ ହରିଲୁଟ୍ ହୋଇ ଚାଲିଛି। କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଦିନ ଦ୍ବିପ୍ରହରେ ପଥର ମାଫିଆମାନେ ଲୁଟ୍ କରି ନେଉଛନ୍ତି । ଲୋକଦେଖାଣିଆ ଭାବେ ଚଢ଼ଉ କରାଯାଇ ହାତ ଗଣତି ଗାଡି ଧରି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ଚୁପ୍ ବସି ପଡୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ତଥ୍ୟ ଅନୁଯାୟୀ ଇତିମଧ୍ୟରେ ମାତ୍ର ୭୫ଲକ୍ଷ ୧୭ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଥିବାବେଳେ ୬୧ଟି ମାମଲା ରୁଜୁ ହୋଇଛି। ୧୦୧ ଗାଡି ଏବଂ ୨୦୦ ପଥରକଟା ଯନ୍ତ୍ର ଜବତ ହୋଇଛି। ହେଲେ ଏବେ ୧୨କୋଟି ଟଙ୍କା ତଣ୍ଡ ଗଣିବାକୁ ଏନଜିଟିଙ୍କ ନିର୍ଦେଶ ପରେ ଘଟଣା ଭିନ୍ନ ମୋଡ ନେଇଛି। ପଣସ ଖାଇଲା କିଏ, ଅଠା କାହା ମୁଣ୍ଡରେ। ଏବେ ଏହି ବିପୁଳ ଟଙ୍କା ଶ୍ରୀମନ୍ଦିର ପ୍ରଶାସନ କେଉଁ ପାଣ୍ଠିରୁ ଗଣିବ ତାହା ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀଜଗନ୍ନାଥଙ୍କ ମଣୋହି ସମ୍ପତ୍ତି ଦାୟିତ୍ବରେ ଥିବା ଅଧିକାରୀଙ୍କୁ କାହିଁକି ଏଥିପ୍ରତି ଦାୟୀ କରା ନ ଯିବ, ସେ ନେଇ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପ୍ରଶ୍ନ ଉଠାଇଛନ୍ତି।
ଏନ୍‌ଜିଟି ପୂର୍ବାଞ୍ଚଳ ଶାଖାର ବିଚାରପତି ବି. ଅମିତ ସ୍ଥାଲେକର ଓ ବିଶେଷଜ୍ଞ ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ କରିଥିବା ଶୁଣାଣିରୁ ଜଣାଯାଇଛି ଯେ, ଖୋର୍ଦ୍ଧା ଜିଲା ନିଜିଗଡ଼ ତାପଙ୍ଗ, ଝିଙ୍କିଝାରୀ, ଅଣ୍ଡା ପ୍ରଭୃତି ମୌଜାରେ ପ୍ରାୟ ୯୮ଟି କଳାପଥର ଓ ମାଙ୍କଡ଼ା ପଥରଖଣି ରହିଥିବାବେଳେ ସେଥିରୁ କେବଳ ୪ଟିକୁ ଜିଲାପ୍ରଶାସନର ଅନୁମତି ରହିଛି। ମାତ୍ର ସେହି ୪ଟି ମଧ୍ୟରୁ ୩ଟିର ପରିବେଶ ଅନୁମତି ନାହିଁ। ଖଣି ମାଫିଆମାନେ ଜିଲାରେ ପ୍ରାୟ ୫୦୦ ଏକର ଜମିକୁ ଖୋଳି ନଷ୍ଟ କରି ଦେଇସାରିଲେଣି। ଏଥିଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନକୁ କୋଟି କୋଟି ଟଙ୍କାର ରାଜସ୍ବ ନଷ୍ଟ ହେବା ସହିତ ପରିବେଶ ଧୂଳିସାତ୍ ହୋଇଛି। ମାଫିଆମାନେ କାଜୁ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ଗୋଚର ଜମିରୁ ମଧ୍ୟ ବେଆଇନ୍ ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି। ଏହା ଉପରେ ବିଚାର କରି ଏନ୍‌ଜିଟି ଶ୍ରୀମନ୍ଦିର ପ୍ରଶାସନକୁ ଜୋରିମାନା କରିଛନ୍ତି। ଏହି ନିର୍ଦେଶ ଆସିବା ପରେ ପ୍ରଶାସନିକ ଅଧିକାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ହରିଲୁଟ୍‌ ହେଉଥିବାର ଚିତ୍ର ସାମ୍ନାକୁ ଆସିଛି।
ଏନଜିଟିର ନିର୍ଦେଶକ୍ରମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ପକ୍ଷରୁ ଏକ ଯୁଗ୍ମ କମିଟି ଜୁଲାଇ ୭ରେ ଗଠନ କରାଯାଇ ଟିକିନିଖି ଯାଞ୍ଚ କରାଯାଇଥିଲା। ଏହି ସମୟ ମଧ୍ୟରେ କମିଟି ଜାଣିବାକୁ ପାଇଥିଲା ଯେ ୭୨ଟି କଳାପଥର ସହିତ ୨୬ଟି ମାଙ୍କଡ଼ାପଥର ଖଣି ରହିଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ତଥ୍ୟ ସହିତ ଜିଲା ପ୍ରଶାସନର ତଥ୍ୟ ମେଳ ଖାଉନାହିଁ। ଶ୍ରୀମନ୍ଦିର ପ୍ରଶାସନ ତଥ୍ୟରେ ୧୫.୫୦ହେକ୍ଟରରେ ୫୯ଟି ଖଣି ଦର୍ଶାଯାଉଛି। ଇତିମଧ୍ୟରେ ୨୪ଟି ଖଣି ପରିଷଦ ପକ୍ଷରୁ କାର୍ଯ୍ୟାନ୍ବୟନ ପାଇଁ ଅନୁମତି ନେଇ ନ ଥିବାବେଳେ ୩୭ଟି ଏପର୍ଯ୍ୟନ୍ତ ପ୍ରାଥମିକ କାର୍ଯ୍ୟାଦେଶ (ସିଟିଇ) ନେଇ ନାହାନ୍ତି। ସେହିପରି ୨୬ଟି ମାଙ୍କଡ଼ାପଥର ଖଣି ମଧ୍ୟରୁ ୩ଟି ପରିବେଶ ଅନୁମତି ନେଇଥିବାବେଳେ ଗୋଟିଏ ଅନୁମତି ନେଇ ନାହିଁ। ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ସତ୍ୟପାଠକୁ ନେଇ ଏନ୍‌ଜିଟି ପକ୍ଷରୁ ଶୁଣାଣିରେ କୁହାଯାଇଛି ଯେ, ଶ୍ରୀମନ୍ଦିର ପ୍ରଶାସନ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଆଗାମୀ ୪ମାସ ମଧ୍ୟରେ ୧୨ କୋଟି ଟଙ୍କା ଦାଖଲ କରିବ। ଖୋର୍ଦ୍ଧା ଜିଲାପାଳ ଏକ କମିଟି ଗଠନ କରି ଏହି ଜୋରିମାନା ଅର୍ଥରେ ଖାଦାନ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟ ଶେଷ କରାଇବେ ଏବଂ ବର୍ତ୍ତମାନର ସ୍ଥିତି ନେଇ ରିପୋର୍ଟ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଦାଖଲ କରିବାକୁ ନିର୍ଦେଶ ରହିଛି।

Comments are closed.