ମେରଠ : ଘର ଭିତରେ ହଠା୍ତ ବାଘ ପଶିଲେ ପରିସ୍ଥିତ କିଭଳି ହେବ ଚିନ୍ତା କରନ୍ତୁ। ଭାବିଲେ ମଧ୍ୟ ଭୟରେ ଲୋମ ଟାଙ୍କୁରି ଉଠିଥାଏ। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ମେରଠର ମୋଦିପୁରମ ଗାଁରେ। ଶୁକ୍ରବାର ସକାଳେ ଏକ ଚିତାବାଘ ପଲ୍ଲବପୁରମ ମାର୍କେଟ ନିକଟରେ ଥିବା ଏକ ଘରେ ପଶି ଯାଇଥିବା ନେଇ ଖବର ମିଳିଛି। ଏକଥା ଜାଣିବା ମାତ୍ରେ ପରିବାର ଲୋକେ ଛାନିଆ ହୋଇ ଯାଇଛନ୍ତି। ବାଘକୁ ଦେଖିବା ମାତ୍ରେ ପରିବାର ଲୋକେ ଘରର ଗୋଟିଏ କକ୍ଷରେ ବନ୍ଦ ହୋଇ ରହିଥିଲେ। ଘଟଣା ବିଷୟରେ ଖବର ପାଇବା ପରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ଭିଡ ଏକାଠି ହେବାକୁ ଲାଗିଲା। ଘର ମାଲିକଙ୍କ କହିବାନୁଯାୟୀ, ଜୋରରେ ଶବ୍ଦ ଶୁଣିବା ମାତ୍ରେ ସେ ଝରକା ଖୋଲି ଦେଖିବା ମାତ୍ରେ ତାଙ୍କୁ ଏକ ଚିତାବାଘ ଦେଖାଯାଇଥିଲା। ଏହାପରେ ଘର ଲୋକେ ଏକ କକ୍ଷରେ ରହିଥିଲେ। ପରେ ପୁଲିସ ବନବିଭାଗକୁ ଘଟଣା ବିଷୟରେ ଜଣାଇବା ପରେ ଦୀର୍ଘ ଏକ ଘଣ୍ଟା ପରେ ବନ ବିଭାଗ ପହଞ୍ଚିଥିଲା। ବାଘଟିକୁ ଦେଖିବା ପରେ ଚିତ୍କାର ଶୁଣି ଆଖପାଖ ଲୋକେ ଏକାଠି ହୋଇ ଯାଇଥିଲେ। ପ୍ରଥମେ ବାଘଟି ଏକ ଘରେ ବନ୍ଦ ରହିଥିଲା। ସେଠାରେ ଜାଲ ବିଛାଇ ତା’କୁ ଧରିବା ପାଇଁ ଚେଷ୍ଟା କରାଯାଉଥିଲା। ସେଠାରୁ ବାଘଟି ଆଉ ଏକ ଖାଲି ଘର ଭିତରକୁ ପଳାଇ ଥିଲା। ପ୍ରାୟ ୪୦୦ ମିଟର ଯାଏଁ ଲୋକଙ୍କ ମଧ୍ୟରେ ବାଘ ଏଣେତେଣେ ବୁଲୁଥିଲା। ଆଖପାଖରେ ଥିବା ଭିଡରେ ବାଘ କାହାକୁ ଆକ୍ରମଣ କରି ନାହିଁ ବୋଲି ଜଣାପଡିଛି। ବାଘଟି ନିଜ ଜୀବନ ରକ୍ଷା କରିବାକୁ ଏଣେତେଣ ଯାଉଥିବାର ଦେଖାଯାଇଥିଲା। ବାଘକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖାଯାଇଛି। ବନ ବିଭାଗ ବାଘକୁ ଧରିବା ପାଇଁ ଗୋଟିଏ ଜାଲ ବିଛାଇଥିବା ବେଳେ ଆଉ ଏକ ଜାଲ ବିଛାଇଛି। ବନ ବିଭାଗ କର୍ମଚାରୀ ବାଘକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ବାଘଟି ଏଯାଏଁ ଧରାପଡି ନାହିଁ। ବନବିଭାଗ ପକ୍ଷରୁ ଆଖପାଖ ଅଞ୍ଚଳର ସ୍କୁଲ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସ୍କୁଲରୁ ଛୁଆଙ୍କୁ ଆଣିବା ପାଇଁ ଅଭିଭାବକ ପହଞ୍ଚିଥିବା ଦେଖାଯାଇଛି। ବାଘଟି ଥିବା ଅଞ୍ଚଳରେ ଜାଲ ବିଛା ଯାଇ ଉଦ୍ଧାରକାର୍ଯ୍ୟ ଜାରି ରହିଛି।



