BSKY banner  750×100

୯ ପୁଲିସ କର୍ମଚାରୀଙ୍କୁ ୭ବର୍ଷ ଲେଖାଏଁ କାରାଦଣ୍ଡାଦେଶ

nua o banner
0

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ୧୯୯୩ରେ ଘଟିଥିବା ଏକ ହାଜତ ମୃତ୍ୟୁ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ତତ୍କାଳୀନ ୯ଜଣ ପୁଲିସ କର୍ମଚାରୀଙ୍କୁ ୭ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତଠାରୁ କଥା ଅଦାୟ କରିବା ପାଇଁ ଶାରୀରିକ ଯନ୍ତ୍ରଣା ଦେବା ଓ ଏଥିରେ ଅଭିଯୁକ୍ତର ମୃତ୍ୟୁ ଘଟିବା ଭଳି ଅପରାଧ କ୍ଷେତ୍ରରେ ଏହି ଦଣ୍ଡାଦେଶ ସର୍ବୋଚ୍ଚ ପରିମାଣ। ୨୦୦୭ରେ ବମ୍ବେ ହାଇକୋର୍ଟ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ୩ର୍ଷ କାରାଦଣ୍ଡାଦେଶ ଶୁଣାଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ୭ବର୍ଷକୁ ବୃଦ୍ଧି କରିଛନ୍ତି। ବିଚାରପତି ଏନ୍‍.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ମଙ୍ଗଳବାର ଏହି ମାମଲାର ରାୟ ଶୁଣାଇଲାବେଳେ ପ୍ରସିଦ୍ଧ ‘ସ୍ପାଇଡରମ୍ୟାନ୍‍’ ଧାରାବାହିକର ଅଙ୍କଲ ବେନ୍‍ଙ୍କ ଚରିତ୍ରରେ ଅଭିନୟ କରିଥିବା ବେଞ୍ଜାମିନ୍‍ ପାର୍କରଙ୍କ ବକ୍ତବ୍ୟ ଅବତାରଣା କରିଛନ୍ତି। ‘ଅଧିକ କ୍ଷମତା ଜଣଙ୍କୁ ଅଧିକ ଦାୟିତ୍ୱସମ୍ପନ୍ନ କରିଥାଏ’; କିନ୍ତୁ ଏହି ମାମଲାରେ ସମ୍ପୃକ୍ତ ପୁଲିସ କର୍ମଚାରୀମାନେ ନିଜର ଦାୟିତ୍ୱବୋଧ ଭୁଲିଯାଇଥିବା ବିଚାରପତି ଦର୍ଶାଇଛନ୍ତି। ପୁଲିସ ଆଇନକୁ ହାତକୁ ନେବା ପରିବର୍ତ୍ତେ ଶାଳୀନ ବ୍ୟବହାର କରିବାକୁ ବିଚାରପତି ପରାମର୍ଶ ଦେଇଛନ୍ତି। ପୁଲିସ ବାହିନୀ ଅପରାଧ ନିୟନ୍ତ୍ରଣ ଆଳରେ ସ୍ୱେଚ୍ଛାଚାରିତା ପରିହାର କରି ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ସହିତ ଜନତାଙ୍କ ବିଶ୍ୱାସଭାଜନ ହେବାକୁ ବିଚାରପତି ପରାମର୍ଶ ଦେଇଛନ୍ତି। ୧୯୯୩ ଜୁନ୍‍ରେ ନାଗପୁରସ୍ଥିତ ଦେଓଲାପାର ଟାଉନ୍‍ ଥାନା ହାଜତରେ ଏକ ଚୋରି ମାମଲାରେ ଅଭିଯୁକ୍ତ ଜଏନସ୍‍ ନାମକ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏଥନେଇ ଇନ୍ସପେକ୍ଟର, ସବ୍‍ଇନ୍ସପେକ୍ଟର ଓ କନ୍‍ଷ୍ଟେବଳଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Leave A Reply