୨୦୧୯ ନିର୍ବାଚନରେ ରାହୁଲ ଡାଟା ବିଶ୍ଲେଷଣକୁ ନେଇ ଆଶାବାଦୀ
ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କ କଂଗ୍ରେସ ଏଣିକି ରାହୁଲ ଗାନ୍ଧିଙ୍କ କଂଗ୍ରେସରେ ପରିଣତ ହୋଇଛି। ରାହୁଲଙ୍କ ନେତୃତ୍ୱରେ କଂଗ୍ରେସରେ ଯେଉଁ କେତୋଟି ପରିବର୍ତ୍ତନ ହୋଇଛି ସେଗୁଡ଼ିକ ମଧ୍ୟରୁ ଡାଟା ବିଶ୍ଲେଷଣ ଅନ୍ୟତମ। ରାହୁଲ ଗାନ୍ଧି ମୁମ୍ବଇର ଏକ ନାମୀ କମ୍ପାନୀକୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। ଡାଟାବୈଜ୍ଞାନିକ ପ୍ରବୀଣ ଚକ୍ରବର୍ତ୍ତୀଙ୍କୁ ଏଆଇସିସି ଏହାର ଦାୟିତ୍ୱ ପ୍ରଦାନ କରିଛି। ତାମିଲନାଡ଼ୁ ନିବାସୀ ପ୍ରବୀଣ ଡାଟା ବିଶ୍ଲେଷଣ ମାଧ୍ୟମରେ ହାଇକମାଣ୍ଡଙ୍କୁ ସମସ୍ତ ତଥ୍ୟ ଉପସ୍ଥାପନ କରିବେ। ଏହାର ଲାଭ ମଧ୍ୟପ୍ରଦେଶରେ କଂଗ୍ରେସକୁ ମିଳିଛି। ମଧ୍ୟପ୍ରଦେଶରେ ୬୦ଲକ୍ଷ ଭୂତ ଭୋଟରଙ୍କୁ ସର୍ବପ୍ରଥମେ ରାହୁଲଙ୍କ ଏହି ବିଭାଗ ଠାବ କରିଥିଲା। ଡାଟା ବିଶ୍ଲେଷଣ ଦ୍ୱାରା ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏକକାଳୀନ ସ୍କୁଟିନି କରାଯାଇ ଥିଲେ ମଧ୍ୟ ମଧ୍ୟପ୍ରଦେଶରେ କେବଳ ୬୦ଲକ୍ଷ ଭୂତ ଭୋଟର ଠାବ କରିବାରେ କଂଗ୍ରେସ ସଫଳ ହୋଇଥିଲା। ଡାଟା ବିଶ୍ଲେଷଣ ଦ୍ୱାରା ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, କଂଗ୍ରେସକୁ ଯେଉଁ ଅନୁପାତରେ ଭୋଟ ମିଳୁଛି ସେହି ଅନୁପାତରେ ଆସନ ଜିତିବାରେ କଂଗ୍ରେସ ବିଫଳ ହେଉଛି। ଉଦାହରଣ ସ୍ୱରୂପ କର୍ଣ୍ଣାଟକରେ ବିଜେପି ୧୦୪ଟି ଆସନ ଜିତି ସଂଖ୍ୟାଗରିଷ୍ଠ ଦଳ ଭାବରେ ନିଜକୁ ଉପସ୍ଥାପିତ କରିଥିଲେ ମଧ୍ୟ ୩୩ଟି ଆସନରେ ଜମାନତ ହରାଇ ଥିଲା। ସେହିପରି କର୍ଣ୍ଣାଟକ ନିର୍ବାଚନରେ କାଇରାନା ଆସନରେ ୮ପ୍ରତିଶତ କଂଗ୍ରେସ ଭୋଟ ବିଜେପିକୁ ପଳାଇ ଥିଲା। ଫଳରେ ବିଜେପି ପାଖାପାଖି ୪୪ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲା। ଏପରିକି ଏକାଧିକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଦେଇ ନଥିବାରୁ ଏହି ଭୋଟ ବିଜେପିକୁ ଚାଲିଯାଇଥିବା ଡାଟା ବିଶ୍ଲେଷଣରୁ ପ୍ରମାଣିତ ହୋଇଛି।