ୟୁଏସ ଓପନ: ସେମିରେ ଓସାକା, ଜୋକୋଭିକ୍‍ ଓ ନିଶିକୋରି

0

ନ୍ୟୁୟର୍କ: ଚଳିତ ସିଜିନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୟୁଏସ ଓପନର ଦଶମ ଦିନରେ ଖେଳାଯାଇଥିବା ସିଙ୍ଗଲ୍‍ସ ଇଭେଣ୍ଟରେ ନାଓମି ଓସାକା, ମାଡିସନ କେୟିସ, ନୋଭାକ୍‍ ଜୋକୋଭିକ୍‍ ଓ କେଇ ନିଶିକୋରି ପ୍ରମୁଖ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ବୁଧବାର ରାତିରେ ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ୨୦ଶ ସିଡ୍‍ ମାନ୍ୟତାପ୍ରାପ୍ତ ଜାପାନର ନାଓମି ଓସାକା ୬-୧, ୬-୧ ସେଟ୍‍ରେ ୟୁକ୍ରେନର ଅଣସିଡେଡ୍‍ ଖେଳାଳି ଲେସିଆ ସ୍ୟୁରେଙ୍କୋଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୫୭ ମିନିଟ ମଧ୍ୟରେ ଶେଷ ହୋଇଥିଲା। ୨୦ ବର୍ଷୀୟା ଓସାକା କ୍ୟାରିୟରରେ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ଓସାକା ୧୪ଶ ସିଡ୍‍ ଆମେରିକାର ମାଡିସନ କେୟିସଙ୍କୁ ଭେଟିବେ। ଅନ୍ୟ କ୍ୱାର୍ଟର ଫାଇନାଲରେ କେୟିସ ୬-୪, ୬-୩ ସେଟ୍‍ରେ ୩୦ଶ ସିଡ୍‍ ସ୍ପେନର କାର୍ଲା ସ୍ୱାରେଜ ନାଭାରୋଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିଲା। ୨୩ ବର୍ଷୀୟା କେୟିସ ବିଗତ ପାଞ୍ଚଟି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ୨୦୧୭ରେ କେୟିସ ଏଠାରେ ଫାଇନାଲକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ସ୍ୱଦେଶର ସ୍ଲୋଏନ ଷ୍ଟିଫେନ୍‍ସଙ୍କଠାରୁ ହାରିଯାଇଥିଲେ। ଆମେରିକାର ସେରେନା ୱିଲିୟମ୍‍ସ ଓ ଲାଟ୍‍ଭିଆର ଆନାସ୍ତାସିଆ ସେବାସ୍ତୋଭାଙ୍କ ମଧ୍ୟରେ ମହିଳା ସିଙ୍ଗଲ୍‍ସର ଅନ୍ୟ ଏକ ସେମିଫାଇନାଲ ମ୍ୟାଚ ଖେଳାଯିବ।
ବୁଧବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ୬ଷ୍ଠ ସିଡ୍‍ ମାନ୍ୟତାପ୍ରାପ୍ତ ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ୬-୩, ୬-୪, ୬-୪ ସେଟ୍‍ରେ ଅଷ୍ଟ୍ରେଲିଆର ଅଣସିଡେଡ୍‍ ଖେଳାଳି ଜନ ମିଲମ୍ୟାନଙ୍କୁ ପରାସ୍ତ କରିଛନ୍ତି। ସୂଚନାଯୋଗ୍ୟ ମିଲମ୍ୟାନ ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରିକ୍ୱାର୍ଟରରେ ୨ୟ ସିଡ୍‍ ରୋଜର ଫେଡେରରଙ୍କୁ ପରାସ୍ତ କରି ବିପର୍ଯ୍ୟୟ ଘଟାଇଥିଲେ। ତେବେ ଜୋକୋଭିକ୍‍ଙ୍କ ବିପକ୍ଷରେ ମିଲମ୍ୟାନ ଏହି ସଫଳତାକୁ ଦୋହରାଇବାରେ ବିଫଳ ହୋଇଥିଲେ। ତୃତୀୟ ୟୁଏସ ଓପନ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଥିବା ଜୋକୋଭିକ୍‍ ସେମିଫାଇନାଲରେ ୨୧ଶ ସିଡ୍‍ ଜାପାନର କେଇ ନିଶିକୋରିଙ୍କୁ ଭେଟିବେ। ଅନ୍ୟ କ୍ୱାର୍ଟର ଫାଇନାଲରେ ନିଶିକୋରି ସଂଘର୍ଷପୂର୍ଣ୍ଣ ପାଞ୍ଚଟିକିଆ ସେଟ୍‍ରେ (୨-୬, ୬-୪, ୭-୬, ୪-୬, ୬-୪) ୭ମ ସିଡ୍‍ କ୍ରୋଏସିଆର ମାରିନ ସିଲିକ୍‍ଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିଲା। ସୂଚନାଯୋଗ୍ୟ ୨୦୧୪ ୟୁଏସ ଓପନରେ ନିଶିକୋରିଙ୍କୁ ପରାସ୍ତ କରି ସିଲିକ୍‍ ଚମ୍ପିଆନ ହୋଇଥିଲେ। ତେବେ ଏହି ବିଜୟ ସହ ନିଶିକୋରି ପୂର୍ବ ପରାଜୟର ପ୍ରତିଶୋଧ ନେଇପାରିଛନ୍ତି। ପୁରୁଷ ସିଙ୍ଗଲ୍‍ସର ଅନ୍ୟ ସେମିଫାଇନାଲ ମୁକାବିଲା ସ୍ପେନର ରାଫେଲ ନାଦାଲ ଓ ଆର୍ଜେଣ୍ଟିନାର ଜୁଆନ ମାର୍ଟିନ ଡେଲ ପୋଟ୍ରୋଙ୍କ ମଧ୍ୟରେ ଅନୁଷ୍ଠିତ ହେବ।
ଅପରପକ୍ଷରେ ଓସାକା ଓ ନିଶିକୋରି ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍‍ସରେ ପ୍ରଥମ ଜାପାନୀ ଯୋଡି ଭାବେ କୌଣସି ଗ୍ରାଣ୍ଡସ୍ଲାମର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁନଶ୍ଚ ଦୀର୍ଘ ୨୨ ବର୍ଷ ପରେ ଓସାକା ପ୍ରଥମ ଜାପାନୀ ଖେଳାଳିଭାବେ କୌଣସି ଗ୍ରାଣ୍ଡସ୍ଲାମ ସେମିଫାଇନାଲ ଖେଳିବାକୁ ଯାଉଛନ୍ତି। ୧୯୯୬ରେ ଜାପାନର କିମିକୋ ଦାତେ ୱିମ୍ବଲଡନରେ ସେମିଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲେ।

Leave A Reply