ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧୬ କିଲୋ ସୁନା ଓ ୭୦୬୮ ଲକ୍ଷ ଟଙ୍କା

0

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡିରୁ ଭକ୍ତମାନେ ଦାନ କରିଥିବା ୧୬ କିଲୋରୁ ଅଧିକ ସୁନା ଓ ପ୍ରାୟ ୭୦୬୮ ଲକ୍ଷ ଟଙ୍କା ମିଳିଲାଣି। ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।
୧୯୮୩ ମସିହା ଅଗଷ୍ଟ ୨୩ ରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ହୁଣ୍ଡି ସ୍ଥାପନ କରାଯାଇଥିଲା। ସେବେଠାରୁ ଗତ ଜୁଲାଇ ଶେଷ ସୁଦ୍ଧା ଶ୍ରଦ୍ଧାଳୁମାନେ ହୁଣ୍ଡିରେ ୭୦୬୭ ଲକ୍ଷ ୯୨ ହଜାର ୭୭୫ ଟଙ୍କା ୮୫ ପଇସା ଦାନ ଦେଇଛନ୍ତି। ଏହାଛଡ଼ା ଏହି ବର୍ଷଗୁଡ଼ିକ ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିରକୁ ମୋଟ ୧୬ କିଲୋ ୧୫ ଗ୍ରାମ୍‍ ଓଜନର ସୁନା ଗତ ଅଗଷ୍ଟ ଶେଷସୁଦ୍ଧା ମିଳିଛି। ଏଥିରୁ ୧୪ କିଲୋ ୫୬୦ ଗ୍ରାମ୍‍ ସୁନା ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କର ଲକରରେ ରଖାଯାଇଛି। ତେବେ ଦାନ ଓ ହୁଣ୍ଡିରୁ ମିଳିଥିବା ରୁପା ସାମଗ୍ରୀ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ ଚାଲିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ଘଟଣା କେବେ ସରକାରଙ୍କ ନଜରକୁ ଆସିଲା ଏବଂ ଏହାପରେ ରତ୍ନଭଣ୍ଡାରରେ ଥିବା ଶ୍ରୀଜୀଉଙ୍କର ମୂଲ୍ୟବାନ ସମ୍ପତ୍ତିର ସର୍‍ଜମିନ୍‍ ଅନୁଧ୍ୟାନ ସହ ତାଲିକା ପ୍ରସ୍ତୁତ ଲାଗି କି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସର୍ବଶେଷ ହିସାବ ଅନୁଯାୟୀ ରତ୍ନଭଣ୍ଡାରରେ କେତେ ପରିମାଣର ମୂଲ୍ୟବାନ ସାମଗ୍ରୀ ରହିଛି ଓ ତାହାର ମୂଲ୍ୟ କେତେ ହେବ ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ସରକାରଙ୍କ ଠାରୁ ଉତ୍ତର ଲୋଡ଼ିଥିଲେ। ଶ୍ରୀମନ୍ଦିରକୁ ଦାନ ଆକାରରେ ଓ ହୁଣ୍ଡିରୁ କେତେ ଅର୍ଥ ଓ ସୁନା ରୁପା ଆଦି ସାମଗ୍ରୀ ମିଳିଛି ସେଥିନେଇ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ଆଇନ୍‍ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରତ୍ନଭଣ୍ଡାର ଚାବି ନ ମିଳିବା ଘଟଣା ୨୦୧୮ ଏପ୍ରିଲ୍‍ ୪ ତାରିଖ ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଥିଲା। ଏ ସଂକ୍ରାନ୍ତରେ ଚାଲିଥିବା ତଦନ୍ତ କମିଶନଙ୍କ ତଦନ୍ତ ଶେଷ ହେବା ପରେ ଭଣ୍ଡାର ସମ୍ପତ୍ତିର ସର୍‍ଜମିନ୍‍ ଅନୁଧ୍ୟାନ କରାଯିବ। ୧୯୭୮ ମସିହାରେ ଭିତର ଓ ବାହାର ରତ୍ନଭଣ୍ଡାରରେ ରଖାଯାଇଥିବା ଅଳଙ୍କାରର ହିସାବ କରାଯାଇଥିଲା। ସେତେବେଳେ ଶ୍ରୀମନ୍ଦିରରେ ୧୨,୮୩୮ ଭରି ଏକଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଏବଂ ୨୨,୧୫୩ ଭରି ଓଜନର ମୂଲ୍ୟବାନ ପଥର ସହିତ ରୁପା ବାସନ ଓ ପୂଜା ସାମଗ୍ରୀ ଆଦି ଥିଲା। ଏହାଛଡ଼ା ସେତେବେଳେ ୧୪ଟି ସୁନା ଓ ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ କରାଯାଇପାରିନଥିଲା। ବିଶେଷଜ୍ଞଙ୍କ ଦ୍ୱାରା ରତ୍ନଭଣ୍ଡାରର ସାମଗ୍ରୀଗୁଡ଼ିକର ମୂଲ୍ୟାୟନ କରାଯିବା ପରେ ଏହାର ମୂଲ୍ୟ ନିରୂପଣ ହେବ।

Leave A Reply