ଶିକ୍ଷକଙ୍କ ଆନ୍ଦୋଳନକୁ ଅଭିଭାବକ ମହଲରେ ନାପସନ୍ଦ

0

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀ ନିଜର ଦାବି ହାସଲ ପାଇଁ ଗାନ୍ଧିମାର୍ଗକୁ ବାଛି ନେଇଥାନ୍ତି। କିଏ ବିଧାନସଭାକୁ ଆଖି ଆଗରେ ରଖି ଧାରଣା ଓ ଅନଶନକୁ ଓହ୍ଲାଇଥାନ୍ତି ତ ଆଉ କିଏ ସରକାରଙ୍କ କଣ୍ଟ ପୂରିବା ଭିତରେ ଯଦି ନ୍ୟାୟ ନପାଇଲେ ତେବେ ଆନ୍ଦୋଳନକୁ ଶ୍ରେୟ ମଣିଥାନ୍ତି। ତେବେ ବିଧାନସଭା ଚାଲିଥିବା ଭିତରେ ଯେଉଁ କେତେକ ବର୍ଗର କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥାନ୍ତି ସେଥିମଧ୍ୟରେ ଶିକ୍ଷକସଂଘ ଅନ୍ୟତମ। ସରକାରୀ ନୀତିନିୟମ ଅନୁଯାୟୀ ଶିକ୍ଷକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ହେଁ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉ ନଥିବା ଶିକ୍ଷକ ସଙ୍ଗଠନଗୁଡିକ ଅଭିଯୋଗ କରୁଛନ୍ତି।
ସେହିପରି ଛାତ୍ରମାନଙ୍କ ଭବିଷ୍ୟତ ଗଢ଼ିବାରେ ଗୁରୁଙ୍କ ପ୍ରଚ୍ଛନ୍ନ ହାତ ରହିଛି। ମାତ୍ର ଶିକ୍ଷକମାନେ ସେମାନଙ୍କ ଦାବି ହାସଲ ପାଇଁ ବ୍ଲକସ୍ତରରୁ ଆରମ୍ଭ କରି ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ମାସ ମାସ ଧରି ପଡି ରହୁଛନ୍ତି। ଏହାବାଦ୍‍ ବର୍ଷକୁ ବିଭିନ୍ନ ପର୍ବପର୍ବାଣି ପାଇଁ ସରକାରୀ ଭାବେ ପ୍ରାୟ ୮୫ ଦିନ ଛୁଟି ରହୁଥିବାବେଳେ ଗ୍ରୀଷ୍ମ, ବର୍ଷା, ବନ୍ୟା, ବାତ୍ୟା ଭଳି ଜରୁରୀ ପରିସ୍ଥିତି ପାଇଁ ପ୍ରାୟ ୧୦ଦିନ ଛୁଟି ରହୁଛି। ଏସବୁ ବ୍ୟତୀତ ଶିକ୍ଷକମାନେ ସରକାରୀ କାର୍ଯ୍ୟ ଆଳରେ କାର୍ଯ୍ୟଦିବସର ଅଧାଦିନ ଏଣେତେଣେ ଗସ୍ତ କରୁଛନ୍ତି। ଏମିତିକି କେତେକ ଶିକ୍ଷକ ବ୍ୟକ୍ତିଗତ କାର୍ଯ୍ୟଠାରୁ ଆରମ୍ଭ କରି ବିଭିନ୍ନ ଜଞ୍ଜାଳରେ ବ୍ୟସ୍ତ ରହୁଛନ୍ତି। ଜୁଲାଇ ଓ ଅଗଷ୍ଟରେ ଠିକ୍‍ ପଢ଼ା ସମୟ ବେଳକୁ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ କିଭଳି ଭାବେ ଶିକ୍ଷା ପାଉଛନ୍ତି ତାହା ନକହିଲେ ବି ବୁଝାପଡୁଛି। ତେଣୁ ସରକାରୀ ବିଦ୍ୟାଳୟଗୁଡିକରେ ପାସ୍‍ ହାର ଆଶାତୀତ ଭାବେ କମି ଚାଲିଛି ବୋଲି ଅଭିଭାବକ ମହଲରୁ ଅଭିଯୋଗ ହୋଇଛି।
ସରକାର ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି, ମାତ୍ର ଶିକ୍ଷକଙ୍କ କ୍ଷେତ୍ରରେ କାହିଁକି ଶତପ୍ରତିଶତ ଅନୁଦାନ ଦେଉ ନାହାନ୍ତି ସେନେଇ ଶିକ୍ଷକ ମହଲରୁ ଅଭିଯୋଗ ହେଉଥିବାବେଳେ ସରକାରଙ୍କ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି। ଏବେକାର ଶିକ୍ଷକମାନେ ହେଲେ ଅଗ୍ନି ସଦୃଶ, ଯେତେ ତାଙ୍କୁ ଦେଲେ ବି ଅଣ୍ଟୁ ନାହିଁ। ନିଜର କର୍ତ୍ତବ୍ୟ ଭୁଲି କେବଳ ସଂଘ ନାଁରେ ରାଜନୀତି ଓ ଆନ୍ଦୋଳନ ଚାଲୁଛି ବୋଲି ବିଭାଗର ଜନୈକ ବରିଷ୍ଠ ପଦାଧିକାରୀ କହିଛନ୍ତି। ନିଯୁକ୍ତି ବେଳେ କେଉଁ ସର୍ତ୍ତାବଳୀରେ ଶିକ୍ଷକମାନେ ନିଯୁକ୍ତ ହୋଇଥିଲେ ସେମାନେ ଆଗେ ନିଜକୁ ପରଖନ୍ତୁ। ଘରୋଇ ମ୍ୟାନେଜମେଣ୍ଟରୁ ସରକାର ହାତକୁ ଆସିବା ସହିତ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ନଥାଇ ଗଳିପଶି କେତେକ ଶିକ୍ଷକ ନିଯୁକ୍ତି ପାଇ ଏବେ ସରକାରଙ୍କୁ ଯେଉଁ ନାଲି ଆଖି ଦେଖାଉଛନ୍ତି ତାହା ଠିକ୍‍ କି ଭୁଲ୍‍ ଲୋକେ ବିଚାର କରନ୍ତୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଅଭିଭାବକ ମହଲରେ ଶିକ୍ଷକମାନଙ୍କ ଏତାଦୃଶ ଆନ୍ଦୋଳନ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷକମାନେ ଏତେଦିନ ଧରି ବିଦ୍ୟାଳୟ ତାଲା ପକାଇ ଆନ୍ଦୋଳନରେ ବସିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଚୁଲିକୁ ଯାଉଛି। ଯଦି ସରକାର ସେମାନଙ୍କ ଦାବି ଯଥାର୍ଥ ଭାବୁଛନ୍ତି କାହିଁକି ପୂରଣ କରୁନାହାନ୍ତି, ନଚେତ୍‍ ଲାଠି ମାଡ ଦେଇ କାହିଁକି ଉଠାଉ ନାହାନ୍ତି ବୋଲି ଅଭିଭାବକ ମହଲରୁ ଅଭିଯୋଗ ହେଉଛି। ଶିକ୍ଷକମାନେ ସେମାନଙ୍କ ଦାବି ପୂରଣ କରିବା ଲାଗି ଆଗାମୀ ଦିନରେ ଅଭିଭାବକମାନଙ୍କୁ ସାମିଲ କରିବାପାଇଁ ଯୋଜନା କରିଥିବାବେଳେ ସରକାରଙ୍କ ପକ୍ଷରୁ ସବୁ ଶିକ୍ଷା ଅଧିକାରୀଙ୍କୁ ବିନା ଅନୁମତିରେ ଶିକ୍ଷକ ଛୁଟିରେ ରହିବା ନେଇ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।
ଏନେଇ ଶିକ୍ଷକ ନେତା ପ୍ରକାଶ ମହାନ୍ତି କହିଛନ୍ତି ଯେ ସରକାର ପୂର୍ବରୁ ଯେତେସବୁଁ ପ୍ରତିଶ୍ରୁତି ଦେଇଛନ୍ତି ତାକୁ ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି। ଦୀର୍ଘ ୩୨ବର୍ଷ ଧରି ଶିକ୍ଷକତା କଲା ପରେ ଅବସର ପରବର୍ତ୍ତୀ ଜୀବନ ଦୁଃଖମୟ ହୋଇପଡୁଛି। ଏହି ସମୟ ଭିତରେ ପ୍ରାୟ ୩ହଜାର ଶିକ୍ଷକ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲାଣି। ସରକାର ଆଉ କେବେ ଆମମାନଙ୍କ ଦାବି ପୂରଣ କରିବେ ତାହା ବୁଝାପଡୁନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି ଯେ ଶିକ୍ଷକମାନଙ୍କ ସମସ୍ୟାକୁ ସରକାର ସହୃଦୟତାର ସହ ବିଚାର କରିଛନ୍ତି। ବ୍ଲକଗ୍ରାଣ୍ଟ ଉଚ୍ଛେଦ ହୋଇଛି। ମାତ୍ର କେତେକ ଶିକ୍ଷକ ସଂଘ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସର୍ବନିମ୍ନ ସର୍ତ୍ତାବଳୀ ସାଦା କାଗଜରେ ଦସ୍ତଖତ କରିବାକୁ ମଧ୍ୟ ଶିକ୍ଷକମାନେ ସହଯୋଗ କରୁନାହାନ୍ତି। ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି, ମାତ୍ର ଏହାକୁ ଶିକ୍ଷକ ସଂଘଗୁଡିକ ବୁଝିବା ଦରକାର ଏବଂ ସେମାନଙ୍କ ମୌଳିକ କର୍ତ୍ତବ୍ୟ ପ୍ରତି ଯତ୍ନବାନ ହେବା ଦରକାର ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

kalyan agarbati
Leave A Reply