BJD Bijuli 480×75 Mob

ଲୋକସଭା ସହ ହେଉ ବିଧାନସଭା ନିର୍ବାଚନ

BJD Bijuli 480×75 Mob
0

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଶରେ ଲୋକସଭା ନିର୍ବାଚନ କରାଇବା ପାଇଁ କୌଣସି ନିଷ୍ପତି ନେଲେ ଓଡ଼ିଶାରେ ଏକ ସଙ୍ଗେ ବିଧାନସଭା ନିର୍ବାଚନ କରାଇବା ପାଇଁ ବିଜୁ ଜନତା ଦଳ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ପ୍ରସ୍ତାବ ଦେଇଛି। ବିଜେଡିର ପ୍ରସ୍ତାବ ପରେ ରାଜ୍ୟରେ ଆଗୁଆ ନିର୍ବାଚନର ସମ୍ଭାବନା ସୃଷ୍ଟି ହୋଇଛି। ଲୋକସଭା ଭଳି ରାଜ୍ୟରେ ମଧ୍ୟ ଏଥଆପାଇଁ ଆଗୁଆ ବିଧାନସଭା ଭଙ୍ଗ କରାଯାଇ ସରକାର ନିର୍ବାଚନ ଲାଗି ଯିବାକୁ ପ୍ରସ୍ତୁତ ଥିବା ଏଥିରୁ ସଙ୍କେତ ମିଳିଛି। ତେଲଙ୍ଗାନା ଶାସକ ଦଳ ଟିଆରଏସ ପରେ ଓଡ଼ିଶାର ଶାସକ ଦଳ ବିଜେଡି ଦେଶର ଦ୍ୱିତୀୟ ଅଣ ବିଜେପି ଦଳ ଭାବେ ଏକାଠି ତଥା ଆଗୁଆ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ପୂର୍ବ ନିର୍ଦ୍ଧାରିତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକସଭା ନିର୍ବାଚନ କରାଇଲେ ବିଜେଡି ମଧ୍ୟ ବିଧାନସଭା ନିର୍ବାଚନ କରାଇବା ସପକ୍ଷରେ ଦର୍ଶାଇ ବିଧାନସଭା ଅବଧି ଶେଷ ପୂର୍ବରୁ ଚଳିତ ବିଧାନସଭାକୁ ଭାଙ୍ଗି ଦିଆଯାଇପାରେ ବୋଲି ବିଜେଡି ପରୋକ୍ଷରେ ସଙ୍କେତ ଦେଇଛି।
ଲୋକସଭା ସହ ବିଧାନସଭା ଏକାଠି ନିର୍ବାଚନ ପାଇଁ ନିର୍ବାଚନର ବ୍ୟୟ ବହୁଳ ଖର୍ଚ୍ଚକୁ ବିଜେଡ଼ି ଆଧାର କରିଛି। ଓଡ଼ିଶା ଭଳି ରାଜ୍ୟରେ ଏକ ସଙ୍ଗେ ନିର୍ବାଚନ କରାଗଲେ ରାଜକୋଷ ଉପରେ କମ୍ ପ୍ରଭାବ ପଡ଼ିବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଓମ୍‌ପ୍ରକାଶ ରାୱତଙ୍କୁ ସାକ୍ଷାତ କରି ବିଜେଡି ପ୍ରତିନିଧି ତଥା ସାଂସଦ ପିନାକୀ ମିଶ୍ର ଜଣାଇଛନ୍ତି।
ସାଂସଦ ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ଲୋକସଭା ପାଇଁ କେନ୍ଦ୍ର ସରକାର ଏବଂ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ସରକାର ଖର୍ଚ୍ଚ ଭରଣା କରିଥାନ୍ତି। ଓଡ଼ିଶାରେ ଅଲଗା ବିଧାନସଭା ନିର୍ବାଚନ କରାଗଲେ ଅତିକମ୍‌ରେ ଏକ ହଜାର କୋଟି ଟଙ୍କା ଅଯଥା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ବିଧାନସଭା ନିର୍ବାଚନ ଖର୍ଚ୍ଚ ରାଜ୍ୟ ରାଜକୋଷ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ କରାଗଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନୀ ବ୍ୟୟ ବାବଦକୁ ପଚାଶ ପ୍ରତିଶତ ଲେଖାଏଁ ଖର୍ଚ୍ଚ ବହନ କରିବେ। ପୂର୍ବରୁ ୨୦୦୪ରେ କେନ୍ଦ୍ରରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଲୋକସଭାକୁ ସମୟ ପୂର୍ବରୁ ଭାଙ୍ଗି ନିର୍ବାଚନ କରାଇଥିଲେ। ସେତେବେଳେ ଓଡ଼ିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ କରାଇ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସାଂସଦ ଶ୍ରୀ ମିଶ୍ର କହିଛନ୍ତି। ଓଡ଼ିଶାରେ ୩୩ ବର୍ଷ ପରେ ୨୦୦୪ରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଫଳରେ ଏବେ ରାଜ୍ୟରେ ନିର୍ବାଚନୀ ଅପବ୍ୟୟକୁ ରୋକାଯିବା ସହ ରାଜ୍ୟର ବିକାଶରେ ବାଧା ସୃଷ୍ଟି କରୁଥିବା ଏକାଧିକ ନିର୍ବାଚନୀ ଆଦର୍ଶ ଆଚରଣ ବ୍ୟବସ୍ଥା ଲାଗୁକୁ ଏଡ଼ାଇ ଦିଆଯାଇପାରିଛି ବୋଲି ସାଂସଦ ଶ୍ରୀ ମିଶ୍ର ଦର୍ଶାଇଛନ୍ତି। ରାଜ୍ୟରେ ଏକାଠି ନିର୍ବାଚନ କରାଇବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିବାକୁ ସାଂସଦ ପିନାକୀ ମିଶ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ଆଉ ଏଥଆପାଇଁ ଦରକାର ପଡିଲେ ବିଧାନସଭାକୁ ମଧ୍ୟ ସମୟ ପୂର୍ବରୁ ଭାଙ୍ଗିଦିଆଯାଇ ଏକକ ନିର୍ବାଚନ ଲାଗି ବିଜେଡି ମତ ରଖିଆସିଥିବା ସାଂସଦ ଶ୍ରୀ ମିଶ୍ରଙ୍କ ଆଜିର ପ୍ରସ୍ତାବରୁ ପରୋକ୍ଷ ସଙ୍କେତ ମିଳିଛି।

Leave A Reply