www.samajalive.in
Sunday, December 7, 2025
14.1 C
Bhubaneswar

ରାଫେଲ ରାୟ: ତ୍ରୁଟି ସଂଶୋଧନ ଲାଗି କୋର୍ଟରେ ସରକାର

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ କାରବାର ସମ୍ବନ୍ଧୀୟ ମାମଲାରେ ତଥ୍ୟଗତ ତ୍ରୁଟିର ସଂଶୋଧନ ଲାଗି କେନ୍ଦ୍ର ସରକାର ଶନିବାର ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ଅଦାଲତଙ୍କୁ ସେତେବେଳେ ଦିଆଯାଇଥିବା ଜଉମୁଦ ଲଫାପାରେ ସିଏଜି (କମ୍ପଟୋଲୋର ଆଣ୍ଡ ଅଡିଟର ଜେନେରାଲ ଅର୍ଥାତ୍ ନିୟନ୍ତ୍ରକ ଓ ମହାଲେଖା ସମୀକ୍ଷକ) ଓ ପିଏସି (ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି ଅର୍ଥାତ୍‌ ଲୋକ ଲେଖା ସମିତି) ସଂକ୍ରାନ୍ତ ସନ୍ଦର୍ଭ ଉପରେ ତ୍ରୁଟି ରହିଥିବାରୁ ଏହାର ସଂଶୋଧନ ଲୋଡିଛନ୍ତି। ପ୍ରଦତ୍ତ ଲଫାଫାରେ ରାଫେଲ ବିମାନର ଦର ସଂକ୍ରାନ୍ତ ତଥ୍ୟ ସିଏଜି ଅନୁଧ୍ୟାନ କରିଛନ୍ତି ଏବଂ ଏହା ପିଏସିକୁ ହସ୍ତାନ୍ତର ପ୍ରକ୍ରିୟାରେ ରହିଛି ବୋଲି କେନ୍ଦ୍ର ସରକାର ଦର୍ଶାଇଥିଲେ। ମାତ୍ର ଅଦାଲତ ଅନୁଭବ କରିଥିଲେ କି ଏହି ରିପୋର୍ଟକୁ ଉଭୟ ସିଏଜି ଏବଂ ପିଏସିକୁ ଅନୁଧ୍ୟାନ କରିଛନ୍ତି। ତେଣୁ ଅଦାଲତ ତାଙ୍କ ରାୟରେ ରାଫେଲ ମୂଲ୍ୟ ସଂକ୍ରାନ୍ତରେ ସିଏଜି ଓ ପିଏସି ଅନୁଧ୍ୟାନ କରିଛନ୍ତି ବୋଲି ଦର୍ଶାଇଥିଲେ। ଅଦାଲତଙ୍କ ରାୟରେ ପିଏସି କଥା ଉଲ୍ଲେଖ ଥିବା ଦେଖି କଂଗ୍ରେସ ଆପତ୍ତି ଉଠାଇଥିଲା। ଲୋକସଭା ବିରୋଧୀ ଦଳ ନେତା ତଥା ଖୋଦ୍‌ ପିଏସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେ ଅଭିଯୋଗ କରିଥିଲେ ଯେ ରାଫେଲ ତଥ୍ୟ ପିଏସିକୁ ମିଳି ନ ଥିବାବେଳେ ଏହା କୋର୍ଟ କିଭଳି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରେ କ’ଣ ଆଉ ଏକ ପିଏସି ଚାଲିଛି କି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ମଧ୍ୟ ଗତକାଲି ପ୍ରଶ୍ନ ଉଠାଇଥିଲେ। ତେବେ କୋର୍ଟଙ୍କ ରାୟରେ ଦର୍ଶାଯାଇଥିବା ଏହି ତ୍ରୁଟିକୁ ସୁଧାରିବା ଲାଗି ଆଜି ଆବେଦନ କରାଯାଇଥିବା ସରକାରଙ୍କ ପକ୍ଷରୁ ଜଣେ ଆଇନ ଅଧିକାରୀ କହିଛନ୍ତି।
୫୯,୦୦୦ କୋଟି ଟଙ୍କାର ରାଫେଲ ଯୁଦ୍ଧ ବିମାନ କାରବାରକୁ ନେଇ ସନ୍ଦେହ କରିବାର କୌଣସି କାରଣ ନାହିଁ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଥିଲେ। ବିମାନର ମୂଲ୍ୟାୟନ ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି କୋର୍ଟ କହିଥିଲେ। ଏଥିସହ ବିମାନର ମୂଲ୍ୟ ସମ୍ବନ୍ଧୀୟ ରିପୋର୍ଟ ସିଏଜିଙ୍କୁ ପ୍ରଦାନ କରାଯାଇଥିବାବେଳେ ସିଏଜି ଏହାକୁ ଯାଞ୍ଚ ନିମନ୍ତେ ପିଏସି ନିକଟକୁ ପଠାଇଥିବା କୋର୍ଟ ରାୟରେ ଉଲ୍ଲେଖ କରିଥିଲେ। ଏହାକୁ ନେଇ ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଥିଲା। ସିଏଜି ରିପୋର୍ଟ କେବେ ସଂସଦରେ ଉପସ୍ଥାପନ କରାଗଲା ସେଥିନେଇ ଆଟ୍ଟର୍ଣ୍ଣି ଜେନେରାଲ ଏବଂ ସିଏଜିଙ୍କୁ ସମନ ଜାରି କରିବାକୁ ଶ୍ରୀ ଖାର୍ଗେ ସମସ୍ତ ସାଂସଦଙ୍କୁ ଶନିବାର ନିବେଦନ କରିଥିଲେ। ଫଳରେ କେନ୍ଦ୍ର ସରକାର ଅଦାଲତଙ୍କ ରାୟର ଅନୁଚ୍ଛେଦ ୨୫ରେ ରହିଥିବା ପିଏସି ନେଇ ତ୍ରୁଟିକୁ ସୁଧାରିବାକୁ ଆବେଦନ କରିଛନ୍ତି।
ଅପରପକ୍ଷରେ କେନ୍ଦ୍ରର ଏହି ସଂଶୋଧନ ଆବେଦନକୁ ନେଇ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛି। ବରିଷ୍ଠ କଂଗ୍ରେସ ନେତା କପିଳ ସିବଲ କହିଛନ୍ତି ଏହା ଅଦାଲତଙ୍କ ତ୍ରୁଟି ନୁହେଁ; ବରଂ ସରକାରଙ୍କ ଭୁଲ୍‌। ସିବଲ କହିଛନ୍ତି ଯେ, ରାଫେଲ ଅନିୟମିତତା ଉଠାଇ କଂଗ୍ରେସ ଅଦାଲତ ଯାଇ ନଥିଲା। ତେଣୁ ସରକାର ରାଫେଲ ଉପରେ ତାଙ୍କର ବିଜୟ ହୋଇଛି ବୋଲି କହିବା ଭୁଲ୍‌। ରାୟର ମୂଳ ନକଲର ଅନୁଚ୍ଛେଦ ୧୨, ୧୫ ଓ ୩୪ ସଂପର୍କରେ ସିବଲ ଯୁକ୍ତିବାଢି କହିଛନ୍ତି ଖୋଦ୍ ସୁପ୍ରିମକୋର୍ଟଙ୍କର କେତେକ କ୍ଷେତ୍ର ବିଚାର ପରିସରଭୁକ୍ତ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। କାରଣ ସମସ୍ତ ଦସ୍ତବିଜ୍‌ ଅଦାଲତକୁ ଦିଆଯାଇନାହିଁ କିମ୍ବା ଏହାକୁ ଅନୁଧ୍ୟାନ କରିବା କ୍ଷମତା ମଧ୍ୟ ଅଦାଲତଙ୍କ ପରିସରଭୁକ୍ତ ନୁହେଁ ବୋଲି ସିବଲ ଯୁକ୍ତି ବାଢିଛନ୍ତି।
ସୂଚନାଯୋଗ୍ୟ, ସିଏଜି ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାର ଆର୍ଥିକ କାରବାରକୁ ଯାଞ୍ଚ କରୁଥିବା ଏକ ସର୍ବୋଚ୍ଚ ସଂସ୍ଥା। ଏପରିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ରାଷ୍ଟ୍ରାୟତ ସଂସ୍ଥା, ନିଗମ ଓ ପୌର ପରିଷଦ ଆଦିର ମଧ୍ୟ ଆର୍ଥିକ କାରବାର ସଂପର୍କରେ ଓ ଖର୍ଚ୍ଚ ସଂକ୍ରାନ୍ତରେ ଅନୁଧ୍ୟାନ କରିଥାନ୍ତି। ସରକାର କୌଣସି କ୍ଷେତ୍ର ଲାଗି ବରାଦ କରିଥିବା ଅର୍ଥ ସଂପୃକ୍ତ ବିଭାଗକୁ ଯାଇଛି କି ନାହିଁ, ତାହା ସଠିକ୍ ଭାବେ ବିନିଯୋଗ କରାଯାଇଛି କି ନାହିଁ; କେଉଁଠାରେ କିଛି ତ୍ରୁଟି ବିଚ୍ୟୁତି ରହିଛି କି କ’ଣ ସେ ସଂପର୍କରେ ତଦାରଖ କରି ରିପୋର୍ଟ ପ୍ରସ୍ତୁତ କରିଥାଏ ସିଏଜି। ସିଏଜି ଏହି ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିଥାଏ। ସରକାର ପରେ ସିଏଜି ରିପୋର୍ଟକୁ ସଂସଦ/ବିଧାନସଭାରେ ଆଗତ କରିଥାନ୍ତି। ସିଏଜି ରିପୋର୍ଟ ଆଗତ ହେବା ପରେ ତାହା ପିଏସିକୁ ପଠାଯାଇଥାଏ। ବିଭିନ୍ନ ଦଳର ସାଂସଦଙ୍କୁ ନେଇ ପିଏସି ଗଠିତ ହୋଇଥାଏ ଏବଂ ଏହି କମିଟି ରିପୋର୍ଟ ଉପରେ ସମୀକ୍ଷା କରିଥାନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories