ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲ ନୀତି: ଚିଠି ଜାରି ପୂର୍ବରୁ ଉପସ୍ଥିତ ହେବାକୁ ଡକରା

0

ନୂଆଦିଲ୍ଲୀ: ଖାମଖିଆଲି ଢ଼ଙ୍ଗରେ ଚାଲିଛି ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ। ତଳସ୍ତର ଠାରୁ ସ୍ୱାସ୍ଥ୍ୟ ନିର୍ଦେଶାଳୟ ପର୍ଯ୍ୟନ୍ତ ଚାରିଆଡ଼େ ହୁଗୁଳି ଯାଇଛି ସ୍ୱାସ୍ଥ୍ୟ ବିଭାଗ। ବିଭାଗୀୟ ଚିଠି ଜାରି ପୂର୍ବରୁ ଉପସ୍ଥିତ ରହିବା ପାଇଁ ଡାକରା ଘଟଣା ଦେଖିବାକୁ ମିଳିଛି। ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦେଶ କ୍ରମେ ଭଦ୍ରକ ଡାକ୍ତରଖାନାରେ ଭୁଲ ଇ​‌େ​‌ଞ୍ଜକ୍‌ସନ ଯୋଗୁଁ ଜଣେ କଲେଜ ପଢ଼ୁଆ ଛାତ୍ରର ବାମ ହାତ ଅକାମୀ ହୋଇଯିବା ଘଟଣାର ତଦନ୍ତ ମଧ୍ୟ ବେପରୁଆ ଢ଼ଙ୍ଗରେ ଚାଲିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦେଶାଳୟ ଚିଠିରୁ ଜଣାପଡ଼ିଛି। ଭଦ୍ରକ ଡାକ୍ତରଖାନାର ଡାକ୍ତର ଓ ନର୍ସଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଛାତ୍ରର ବାମ ହାତ ଅକାମୀ ହୋଇଯିବା ଘଟଣାରେ ଏନଏଚଆରସିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଡଭୋକେଟ ରାଧାକାନ୍ତ ତ୍ରିପାଠୀଙ୍କୁ ମିଳିଥିବା ଚିଠିରେ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଭଲ ନଥିବାର ଜଣାପଡ଼ିଛି। ସ୍ୱାସ୍ଥ୍ୟ ସେବା ନିର୍ଦେଶାଳୟ ପକ୍ଷରୁ ଜାରି ଚିଠି ସଂଖ୍ୟା ୧୭୧୬୩ ତାରିଖ ୨୯ ଅଗଷ୍ଟ ୨୦୧୮ରେ ଅଭିଯୋଗକାରୀ ରାଧାକାନ୍ତ ତ୍ରିପାଠୀଙ୍କୁ ୧୯ ଦିନ ପୂର୍ବରୁ ଅଗଷ୍ଟ ୧୦ରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି। ଚିକିତ୍ସା ସହ ଜଡ଼ିତ ଭଦ୍ରକ ଡାକ୍ତରଖାନାର ଡାକ୍ତର ଓ ଅନ୍ୟ କର୍ମଚାରୀ ମଧ୍ୟ ଅଗଷ୍ଟ ୧୦ରେ ଉପସ୍ଥିତ ରହିବା ପାଇଁ କୁହାଯାଇଥିଲା। ତେବେ ଅଗଷ୍ଟ ୨୯ ଚିଠି ଅନୁଯାୟୀ କେମିତି ଅଗଷ୍ଟ ୧୦ରେ ଭଦ୍ରକରେ ହାଜର ହୋଇ ସମସ୍ୟା ବିଷୟରେ ତଥ୍ୟ ଉପସ୍ଥାପନ କରିବି ବୋଲି ଆଡଭୋକେଟ ତ୍ରିପାଠୀ ପ୍ରଶ୍ନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦେଶାଳୟର ଏଭଳି ଦାୟିତ୍ୱହୀନତା ବିଷୟରେ ଜାତୀୟ ମାନବାଧିକାର ଆୟୋଗଙ୍କୁ ଅବଗତ କରାଇବି ବୋଲି ‘ସମାଜ’କୁ ଆଡଭୋକେଟ ଶ୍ରୀ ତ୍ରିପାଠୀ କହିଛନ୍ତି।
ଗତ ୨୦୧୭ ଅକଟୋବର ୨୨ରେ ଝାଡ଼ାବାନ୍ତିରେ ପୀଡ଼ିତ ଭଦ୍ରକ ଜିଲା ବାଣିତିଆ ଅଞ୍ଚଳର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ତାପସ ରଞ୍ଜନ ନାୟକଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଶିରା(ଭେନ) ବଦଳରେ ମାଂସପେଶୀରେ ଭୁଲ କ୍ରମେ ଇଞ୍ଜେକସନ ଦେବାରୁ ବାମ ହାତ ଫୁଲି ଯନ୍ତ୍ରଣାରେ ତାପସ ଛଟପଟ ହୋଇଥିଲା। ବାମ ହାତ ସମେତ ଆଙ୍ଗୁଠି ଗୁଡ଼ିକ ଅକାମୀ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୁବିଧା ନ ମିଳିବାରୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତୁରନ୍ତ ଅପରେସନ ମାଧ୍ୟମରେ ବାମ ହାତ କାଟିବା ପାଇଁ ଉପସ୍ଥିତ ଡାକ୍ତର ପରାମର୍ଶ ଦେଇଥିଲେ। ଘଟଣା ନେଇ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା।

Leave A Reply