www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟ କ୍ରିକେଟ ସଂଘର ସଦସ୍ୟତା ନେଇ ସିଓଏର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଲୋଧା କମିଟି ସୁପାରିସ ଅନୁସାରେ ବିସିସିଆଇର ନୂତନ ସମ୍ବିଧାନ ପ୍ରଣୟନ ପରେ ଏହା ଅନୁସାରେ ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ୍‍ ସେମାନଙ୍କ ସମ୍ବିଧାନ ସଂଶୋଧନ କରି ପଠାଇବା ଲାଗି ଗତ ସେପ୍ଟେମ୍ବରରେ କ୍ରିକେଟ ପ୍ରଶାସକ କମିଟି (ସିଓଏ) ନିର୍ଦେଶ ଦେଇଥିଲେ। ଏହା ଅନୁସାରେ ୩୪ଟି ରାଜ୍ୟ କ୍ରିକେଟ ସଂଘ ମଧ୍ୟରୁ ୨୭ ଜଣ ରିପୋର୍ଟ ପଠାଇ ସାରିଛନ୍ତି। ଏହାର ତର୍ଜମା କରିବା ପରେ କ୍ଷୁବ୍‍ଧ ହୋଇଛି ସିଓଏ। ପରେ ସୋମବାର ୩୪ଟିଯାକ ରାଜ୍ୟ କ୍ରିକେଟ ଆସୋସିଏସନ୍‍ଙ୍କୁ ସିଓଏ ଏକ ପତ୍ର ଲେଖି ରାଜ୍ୟ କ୍ରିକେଟ ସଂଘର ସଦସ୍ୟତା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି।
ବିନୋଦ ରାୟ ଓ ଡାଏନା ଏଡୁଲ୍‍ଜିଙ୍କୁ ନେଇ ଗଠିତ ସିଓଏ ଏହି ପତ୍ରରେ ଲେଖିଛନ୍ତି; ୨୭ଟି ରାଜ୍ୟ କ୍ରିକେଟ ଆସୋସିଏସନ୍‍ ପକ୍ଷରୁ ମିଳିଥିବା ରିପୋର୍ଟର ଯାଞ୍ଚକରିବା ବେଳେ ଜାଣିବାକୁ ମିଳିଲା ଯେ ବିଭିନ୍ନ ରାଜ୍ୟ ସଂଘଙ୍କ ସଦସ୍ୟତାରେ ବହୁତ ଫରକ ରହିଛି। କିଛି ସଂଘରେ କେବଳ ବ୍ୟକ୍ତିବିଶେଷ ସଦସ୍ୟ ଥିବା ବେଳେ ଅନ୍ୟ କିଛି ସଂଘରେ କେବଳ ଜିଲା ସଦସ୍ୟ ଭାବେ ରହିଛନ୍ତି ଏବଂ ଅନ୍ୟ କିଛି ସଂଘରେ ବ୍ୟକ୍ତି, କ୍ଲବ୍‍ ଓ ଜିଲା ସଦସ୍ୟତା ପାଇଛନ୍ତି। ଏହି ମର୍ମରେ ସୂଚାଇଦେବାକୁ ଚାହେଁ ଯେ ପ୍ରତ୍ୟେକ ରାଜ୍ୟର ସମସ୍ତ ଆନ୍ତର୍ଜାତିକ କ୍ରିକେଟର ସ୍ୱାଭାବିକ ଭାବେ ସଦସ୍ୟତା ପାଇବା ଉଚିତ। ଏହାସହ ଲୋଧା କମିଟି ରିପୋର୍ଟର ୧୦ମ ଅଧ୍ୟାୟରେ ଥିବା କିଛି ଅଂଶ ଉଦାହରଣ ସ୍ୱରୂପ ଏହି ପତ୍ରରେ ସିଓଏ ଉଲ୍ଲେଖ କରିଛି। ଏଥିରେ ଉଲ୍ଲେଖ ରହିଛି-
‘ସଦସ୍ୟତା ନେଇ ରାଜ୍ୟ କ୍ରିକେଟ ସଂଘମାନଙ୍କରେ କୌଣସି ସ୍ପଷ୍ଟ ନୀତି ନାହିଁ କିମ୍ବା ସମାନତା ନାହିଁ। ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ଇଚ୍ଛା ଅନୁସାରେ ସଦସ୍ୟତା ଦିଆଯାଇଛି। ଯେଉଁଠାରେ କ୍ଲବ୍‍ମାନଙ୍କର ସଦସ୍ୟତା ରହିଛି; ସେଠାରେ କିଛି କ୍ଷମତାଶାଳୀ ବ୍ୟକ୍ତି ଏହି କ୍ଲବ୍‍ମାନଙ୍କୁ ନିୟନ୍ତ୍ରଣରେ ରଖିଥାଆନ୍ତି। ଏମାନଙ୍କ ବଳରେ ସେମାନେ ନିର୍ବାଚନ ଜିତିଥାଆନ୍ତି। ନୂଆ ସଦସ୍ୟଙ୍କୁ ସେମାନେ ପୂରାଇ ଦିଅନ୍ତିନାହିଁ। କିଛି ସଂଘ ପୂର୍ବତନ ଆନ୍ତର୍ଜାତିକ ଖେଳାଳିଙ୍କୁ ସଦସ୍ୟତା ଦେଇନାହାନ୍ତି। ଫଳରେ ରାଜ୍ୟ ସଂଘ ସାମାଜିକ କ୍ଲବ୍‍ ଭଳି କାର୍ଯ୍ୟ କରିଥାଏ ଏବଂ କିଛି ପରିବାର ଏହାକୁ ନିୟନ୍ତ୍ରଣରେ ରଖିଥାଆନ୍ତି। ସେମାନଙ୍କର ମୁଖ୍ୟ ଲକ୍ଷ୍ୟ କ୍ରିକେଟ୍‍ର ଉନ୍ନତି ନୁହେଁ; ବରଂ କ୍ରୀଡ଼ା ସ୍ଥଳରେ ବାର୍‍, ରେଷ୍ଟୁରାଣ୍ଟ ଓ ଅନ୍ୟ ମନୋରଞ୍ଜନ ବ୍ୟବସ୍ଥାର ଫାଇଦା ଉଠାଇବା। ବିଭିନ୍ନ ମ୍ୟାଚ୍‍ର ଟିକଟର ଅଧିକାଂଶ ଏହି ସଦସ୍ୟମାନେ ବାଣ୍ଟି ନେଇଥାଆନ୍ତି। ଫଳରେ ସାଧାରଣ ଜନତାଙ୍କ ଭାଗରେ ବହୁତ କମ୍‍ ଟିକଟ ପଡ଼ିଥାଏ। ତେଣୁ ଏହା ଆବଶ୍ୟକ ଯେ ବିଭିନ୍ନ ରାଜ୍ୟ କ୍ରିକେଟ ଆସୋସିଏସନ୍‍ର ସମ୍ବିଧାନ ଓ କାର୍ଯ୍ୟଶୈଳୀରେ ସମାନତା ରହୁ। କ୍ରିକେଟ ପ୍ରଶାସନରେ ସାମାଜିକ (ଅଣକ୍ରିକେଟ) କ୍ଲବ୍‍ଗୁଡ଼ିକୁ ଦୂରେଇ ରଖାଯାଉ। କ୍ରିକେଟରଙ୍କୁ ସଦସ୍ୟତା ଦିଆଯାଉ ଏବଂ ସଂଘର ପ୍ରଶାସନରେ ସେମାନଙ୍କ ଭାଗିଦାରୀ ରହୁ।’
ତେଣୁ ଲୋଧା କମିଟି ସୁପାରିସ ଅନୁସାରେ ସଦସ୍ୟତା ଦିଆଯାଉ ଏବଂ ଏହି ସାମାଜିକ (ଅଣକ୍ରିକେଟ) କ୍ଲବ୍‍ମାନଙ୍କ ସଦସ୍ୟଙ୍କୁ କ୍ରିକେଟ ପ୍ରଶାସନରୁ ଦୂରେଇ ରଖାଯାଉ ବୋଲି ସମସ୍ତ ରାଜ୍ୟ କ୍ରିକେଟ ସଂଘଙ୍କୁ ସିଓଏ ପତ୍ର ମାଧ୍ୟମରେ ଜଣାଇଛନ୍ତି।

ବିଧିବଦ୍ଧ ଅଡିଟ ପାଇଁ ପ୍ରଶାସକ କମିଟିର ପ୍ରସ୍ତାବ

ନୂଆଦିଲ୍ଲୀ: ବିସିସିଆଇ ଅନୁବନ୍ଧିତ କେତେକ ରାଜ୍ୟ ସଂଘରେ ବିଧିବଦ୍ଧ (ଫୋରେନସିକ୍‍) ଅଡିଟ୍‍ କରିବାକୁ ପ୍ରଶାସକ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରା ଯାଇଥିବା ସ୍ଥିତାବସ୍ଥା ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ଇତିପୂର୍ବରୁ ରାଜ୍ୟ ସଂଗଠନର ଆର୍ଥିକ କାରବାର ସମ୍ପର୍କରେ ବିସିସିଆଇ ତରଫରୁ ନିଯୁକ୍ତ ଏକାଧିକ ସଂସ୍ଥା ଦ୍ୱାରା ଅଡିଟ କରାଯାଇଥିଲା। ତେବେ ଉକ୍ତ ରିପୋର୍ଟରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଥିବା ପରିପ୍ରେକ୍ଷୀରେ ବର୍ତ୍ତମାନ ଫୋରେନସିକ୍‍ ଅଡିଟ୍‍ ଜରୁରୀ ହୋଇପଡିଛି ବୋଲି ପ୍ରଶାସକ କମିଟି ପକ୍ଷରୁ ଯୁକ୍ତି ଦର୍ଶାଯାଇଛି।

- Advertisement -

ଅମ୍ବୁଡ୍‍ସମ୍ୟାନ୍‍ ଓ ଏଥିକ୍‍ସ ଅଧିକାରୀ ନିଯୁକ୍ତି ପ୍ରସ୍ତାବ

ନୂଆଦିଲ୍ଲୀ: ବିସିସିଆଇର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‍) ପୂର୍ବରୁ ବିସିସିଆଇର ଅମ୍ବୁଡ୍‍ସମ୍ୟାନ୍‍ ଓ ଏଥିକ୍‍ସ (ନୈତିକତା) ଅଧିକାରୀ ନିଯୁକ୍ତି ପାଇଁ ସ୍ଥିତାବସ୍ଥା ରିପୋର୍ଟରେ ସୁପ୍ରିମକୋର୍ଟଙ୍କୁ ପ୍ରସ୍ତାବ ଦେଇଛି ସିଓଏ। ସୁପ୍ରିମକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ହାଇକୋର୍ଟଙ୍କ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅମ୍ବୁଡ୍‍ସମ୍ୟାନ୍‍ ଦାୟିତ୍ୱରେ ରହିବେ। ତାଙ୍କ କାର୍ଯ୍ୟକାଳ ୧ ବର୍ଷ ରହିବ ଏବଂ ସର୍ବାଧିକ ୩ଟି କାର୍ଯ୍ୟକାଳ ସେ ରହିପାରିବେ। ବିସିସିଆଇର ସଦସ୍ୟ ଏବଂ ଆଇପିଏଲ୍‍ ମାଲିକଗୋଷ୍ଠୀଙ୍କ ଅଭିଯୋଗର ସମାଧାନ ଅମ୍ବୁଡ୍‍ସମ୍ୟାନ କରିବେ। ସେ ବିଶୃଙ୍ଖଳା, ଅଶାଳୀନ ବ୍ୟବହାର ଓ ଆଇନ୍‍ ଉଲ୍ଲଙ୍ଘନ ସମ୍ପର୍କିତ ମାମଲାର ମଧ୍ୟ ସମାଧାନ କରିବେ। ପୁଣି ଏଥିକ୍‍ସ ଅଧିକାରୀ ବିସିସିଆଇରେ ସ୍ୱାର୍ଥଗତ ସମସ୍ୟାର ସମାଧାନ କରିବେ।

‘ଆନ୍ତର୍ଜାତିକ କ୍ରିକେଟରଙ୍କୁ ଭୋଟଦାନ ଅଧିକାର ମିଳୁ’

ନୂଆଦିଲ୍ଲୀ: ବିସିସିଆଇର କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ) ସୁପ୍ରିମକୋର୍ଟଙ୍କୁ ଦେଇଥିବା ସ୍ଥିତାବସ୍ଥା ରିପୋର୍ଟରେ ଦର୍ଶାଇଛନ୍ତି ଯେ ପ୍ରତ୍ୟେକ ରାଜ୍ୟର ସମସ୍ତ ଆନ୍ତର୍ଜାତିକ କ୍ରିକେଟରଙ୍କୁ ସଦସ୍ୟ ଭାବେ ଗ୍ରହଣ କରିବା ସହ ଭୋଟ୍‍ଦାନ ଅଧିକାର ଦେବା ଲାଗି ବିସିସିଆଇର ସମ୍ବିଧାନରେ ଉଲ୍ଲେଖ ରହିଛି। ଏହାସତ୍ତ୍ବେ ଅଧିକାଂଶ ରାଜ୍ୟ କ୍ରିକେଟ ସଂଘ ଏହାର ଖିଲାପ କରିଛନ୍ତି। ତେଣୁ ସେମାନଙ୍କ ନୂତନ ସମ୍ବିଧାନରେ ସଂଶୋଧନ କରି ଆନ୍ତର୍ଜାତିକ କ୍ରିକେଟରଙ୍କୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ରାଜ୍ୟ କ୍ରିକେଟ ସଂଘଙ୍କୁ ନିର୍ଦେଶ ଦେବା ଲାଗି ସୁପ୍ରିମକୋର୍ଟଙ୍କୁ ସିଓଏ ଅନୁରୋଧ କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories