mission shakti banner

ରାଜ୍ୟସଭା ନିର୍ବାଚନ ; ଉତ୍ତରପ୍ରଦେଶରେ ବିଜେପିର ବାଜିମାତ

BSKY banner  750×100
0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ହୋଇଥିବା ଭୋଟ୍‌ରେ ବିଜେପି ବାଜି ମାରିନେଇଛି। ଏହି ନିର୍ବାଚନରେ ବିଜେପି ଅଖିଳେଶ ଯାଦବ ଓ ମାୟାବତୀଙ୍କ ମେଣ୍ଟକୁ ପରାସ୍ତ କରିବାରେ ସଫଳ ହୋଇଛି। ଫଳାଫଳ ଅନୁଯାୟୀ ଉତ୍ତରପ୍ରଦେଶର ୧୦ଟି ଆସନରୁ ବିଜେପି ୯ଟିରେ ବିଜୟୀ ହୋଇଥିବାବେଳେ ସମାଜବାଦୀ ପାର୍ଟି ୧ଟି ଆସନରେ ବିଜୟୀ ହୋଇଛି। ୧୦ଟି ଆସନରୁ ବିଜେପି ୮ଟିରେ ଓ ସମାଜବାଦୀ ପାର୍ଟି ୧ଟିରେ ବିଜୟୀ ହେବା ନିଶ୍ଚିତ ଥିଲା। ଶେଷ ଆସନରେ ବିଜୟୀ ପାଇଁ ବିଜେପି ଅତିରିକ୍ତ ପ୍ରାର୍ଥୀ ଦେଇଥିଲା। ୯ମ ଆସନ ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ୱେ ଅନ୍ୟ ଦଳର କ୍ରସ ଭୋଟିଂ ଯୋଗୁଁ ବିଜୟୀ ହେବାରେ ସଫଳ ହୋଇଛି। ଶେଷ ଆସନ ପାଇଁ ବିଜେପିର ଅନିଲ ଅଗ୍ରୱାଲ ଓ ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ଭୀମ ରାଓ ଆମ୍ବେଦକରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ତେବେ ଦ୍ୱିତୀୟ ପସନ୍ଦ ପ୍ରାର୍ଥୀ ଭୋଟ ଆଧାରରେ ବିଜେପି ପ୍ରାର୍ଥୀ ଅନିଲ ବିଜୟୀ ହୋଇଛନ୍ତି। ମାୟାବତୀଙ୍କ ନେତୃତ୍ୱ ବହୁଜନ ସମାଜ ପାର୍ଟି ପ୍ରାର୍ଥୀଙ୍କୁ ଅଖିଳେଶ ଯାଦବଙ୍କ ନେତୃତ୍ୱ ସମାଜବାଦୀ ପାର୍ଟି ସମର୍ଥନ କରିଥିଲା। ଏ ନେଇ ପୂର୍ବରୁ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ମାତ୍ର ଅମିତ ଶାହାଙ୍କ ନେତୃତ୍ୱ ବିଜେପି ଏହି ମେଣ୍ଟ ଶକ୍ତିକୁ ପରାସ୍ତ କରିବାରେ ସଫଳ ହୋଇଛି। ଉତ୍ତରପ୍ରଦେଶରୁ ବିଜୟୀ ହୋଇଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଜିଭିଏଲ୍‌ ନରସିଂହ, ଅନିଲ ଜୈନ ଓ ସମାଜବାଦୀ ପାର୍ଟିରୁ ଜୟା ବଚ୍ଚନ ରହିଛନ୍ତି।
ପଶ୍ଚିମବଙ୍ଗର ୫ଟି ରାଜ୍ୟସଭା ଆସନରୁ ଶାସକ ତୃଣମୂଳ କଂଗ୍ରେସ ୪ଟିରେ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି। ସେହିପରି ତେଲଙ୍ଗାନାର ୩ଟି ଆସନ ପାଇଁ ନିର୍ବାଚନ ହୋଇଥିବାବେଳେ ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ସବୁ ଆସନରେ ବିଜୟୀ ହୋଇଛି। ଛତିଶଗଡର ଗୋଟିଏ ଆସନରେ ବିଜେପି ବିଜୟୀ ହୋଇଛି। କର୍ଣ୍ଣାଟକର ୪ଟି ଆସନରୁ ୩ଟିରେ କଂଗ୍ରେସ ଓ ଗୋଟିକରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଝାଡଖଣ୍ଡର ଦୁଇଟି ଆସନରୁ କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। କେରଳର ଗୋଟିଏ ଆସନରେ ଉପନିର୍ବାଚନ ହୋଇଥିବାବେଳେ ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ଶରଦ ଯାଦବ ଗୋଷ୍ଠୀର ବୀରେନ୍ଦ୍ର କୁମାର ବିଜୟୀ ହୋଇଛନ୍ତି। ବିଜୟୀ ହୋଇଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଙ୍ଗଭି। ସେ ପଶ୍ଚିମବଙ୍ଗରୁ ମିଳିତ ସମର୍ଥନରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗରେ ୫ମ ଆସନ ପାଇଁ ସିଙ୍ଗଭି ଓ ବାମଦଳ ପ୍ରାର୍ଥୀ ରବିନ ଦେବଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ମାତ୍ର ତୃଣମୂଳ ସିଙ୍ଗଭିଙ୍କୁ ସମର୍ଥନ କରିବାରୁ ସେ ବିଜୟୀ ହୋଇଛନ୍ତି। ଏପ୍ରିଲରେ ଗୃହର ୫୮ ଟି ଆସନ ଖାଲି ହେବାକୁ ଯାଉଥିବା ବେଳେ ଏଥିମଧ୍ୟରୁ ୧୦ଟି ରାଜ୍ୟର ୩୩ଟି ଆସନରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି।

Leave A Reply