ରାଜ୍ୟପାଳଙ୍କୁ ଭେଟିଲା ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ
ଭୁବନେଶ୍ୱର : ରାଜ୍ୟର ବିକାଶମୂଳକ କାର୍ୟ୍ୟକ୍ରମଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା, ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା କରିବା ଏବଂ ଦଳିତ, ଅବହେଳିତ ଲୋକଙ୍କ ଅଭାବ ଅସୁବିଧା ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ବର୍ଷ ବର୍ଷ ଧରି କାର୍ୟ୍ୟ କରିଆସୁଥିବା ରାଜ୍ୟର ସାମ୍ବାଦିକମାନେ ରାଜ୍ୟରେ ଅର୍ଥନୈତିକ ଦୃଷ୍ଟିରୁ ଅବହେଳିତ ହୋଇ ରହିଛନ୍ତି। ବିଶେଷକରି କାର୍ୟ୍ୟରୁ ଅବସର ନେବା ପରେ ସେମାନଙ୍କ ପାଇଁ ସରକାର କୌଣସି ଅର୍ଥନୈତିକ ସୁରକ୍ଷା ଯୋଜନା କାର୍ୟ୍ୟକାରୀ କରି ନ ଥିବାରୁ ସେମାନଙ୍କ ଆର୍ଥିକ ପରିସ୍ଥିତି ବେଳେବେଳେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ଗୁରୁତର ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ସୋମବାର ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ପେନ୍ସନ୍ ଯୋଜନା ତୁରନ୍ତ କାର୍ୟ୍ୟକାରୀ କରିବା ପାଇଁ ଦାବି କରାଯାଇଛି।
ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ନେତୃତ୍ୱରେ ଯାଇଥିବା ଏକ ୭ଜଣିଆ ପ୍ରତିନିଧି ଦଳ ପୂର୍ବାଞ୍ଚଳ ଉପାଧ୍ୟକ୍ଷ ଅରୁଣ କୁମାର ପଣ୍ଡା, ସାଧାରଣ ସମ୍ପାଦକ ସନତ ମିଶ୍ର, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତି, ବୈଷ୍ଣବ ଜେନା ଓ ବିବେକାନନ୍ଦ ଜେନା ସୋମବାର ମଧ୍ୟାହ୍ନରେ ରାଜଭବନଠାରେ ରାଜ୍ୟପାଳ ଶ୍ରୀ ଲାଲଙ୍କୁ ଭେଟି ସାମ୍ବାଦିକଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ୫ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବି ପତ୍ରରେ ସାମ୍ବାଦିକଙ୍କ ଆର୍ଥିକ ସୁରକ୍ଷା ପାଇଁ କଲକାତା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର, କେରଳ ଓ ତେଲେଙ୍ଗାନା ଆଦି ପ୍ରଦେଶରେ କାର୍ୟ୍ୟକାରୀ ହେଉଥିବା ପେନ୍ସନ୍ ଯୋଜନା ଭଳି ଓଡ଼ିଶା ପ୍ରଦେଶରେ ତୁରନ୍ତ ପେନ୍ସନ୍ ଯୋଜନା କାର୍ୟ୍ୟକାରୀ କରିବାକୁ ଦାବି କରିବା ସହିତ ଖବର ସଂଗ୍ରହ ନିମନ୍ତେ ଯାତାୟାତ ପାଇଁ ସାମ୍ବାଦିକମାନଙ୍କୁ ଉଭୟ ସରକାରୀ ଓ ବେସରକାରୀ ବସ୍ରେ ମାଗଣାରେ ବସ୍ପାସ୍ ଯୋଗାଇ ଦେବା, ରାଜଭବନ ଟେଲିଫୋନ୍ ଡିରେକ୍ଟୋରୀରେ କାର୍ୟ୍ୟରତ ସାମ୍ବାଦିକଙ୍କ ଘର ଠିକଣା ଓ ଟେଲିଫୋନ୍ ନମ୍ବର ଅନ୍ତର୍ଭୁକ୍ତ କରିବା, ଯେଉଁ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ସରକାରୀ ବାସଗୃହ ଯୋଗାଇ ଦିଆଯାଇ ନାହିଁ, ସେମାନଙ୍କୁ ତୁରନ୍ତ ବାସଗୃହ ଯୋଗାଇ ଦେବାକୁ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଦାବି କରାଯାଇଛି।
ରାଜ୍ୟର ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟପାଳ ଏହି ୫ ଦଫା ଦାବିଗୁଡ଼ିକୁ ସହୃଦୟତାର ସହ ବିଚାର କରିବେ ବୋଲି ପ୍ରତିନିଧିଦଳଙ୍କ ସହ ଆଲୋଚନା ବେଳେ ପ୍ରତିଶ୍ରୁତି ଦେଇଛନ୍ତି।