ରବି ଶାସ୍ତ୍ରୀଙ୍କୁ ଗାଙ୍ଗୁଲିଙ୍କ ସମାଲୋଚନା

0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସୂଚନାଥାଉକି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‍ରେ ଭାରତୀୟ ଦଳର ପରାଜୟ ସତ୍ତ୍ବେ କିଛିଦିନ ତଳେ ରବି ଶାସ୍ତ୍ରୀ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଉଚ୍ଚପ୍ରଶଂସା କରିବା ସହ ଏହି ଦଳ ପୂର୍ବ ଭାରତୀୟ ଦଳମାନଙ୍କ ଠାରୁ ବିଦେଶ ମାଟିରେ ଅଧିକ ସଫଳତା ପାଇଛି ବୋଲି କହିଥିଲେ।
ରବି ଶାସ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ସହଜରେ ହଜମ କରି ପାରିନାହାନ୍ତି ସୌରଭ ଗାଙ୍ଗୁଲି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଗାଙ୍ଗୁଲି କହିଥିଲେ ରବି ଶାସ୍ତ୍ରୀ ଯାହା କହୁଛନ୍ତି ତାହାର କୌଣସି ଆଧାର ନାହିଁ। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଏପରି ମନ୍ତବ୍ୟ ଦେବା ରବି ଶାସ୍ତ୍ରୀଙ୍କ ଅପରିପକ୍ୱତାକୁ ଦର୍ଶାଉଛି। ଯେକୌଣସି ସମୟର କ୍ରିକେଟ୍‍ର ହୁଅନ୍ତୁ ନା କାହିଁକି ସେମାନେ ସବୁ ଭାରତକୁ ପ୍ରତିନିଧିତ୍ୱ କରି ନିଜ ପ୍ରଦର୍ଶନ ବଳରେ ଦଳକୁ ବିଜୟୀ କରାଇବାକୁ ପ୍ରୟାସ କରିଥାନ୍ତି। ତେଣୁ ରବି ଶାସ୍ତ୍ରୀଙ୍କ ମନ୍ତବ୍ୟକୁ କେହି ଗୁରୁତ୍ୱ ଦେବା ଅନୁଚିତ୍‍। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବୋଲରମାନେ ଯେପରି ପ୍ରଦର୍ଶନ କଲେ ତାହାକୁ ଉଚ୍ଚପ୍ରଶଂସା କରିଛନ୍ତି ଗାଙ୍ଗୁଲି। ଦ୍ରୁତ ବୋଲର ମହମ୍ମଦ ସାମି ପ୍ରଥମ ଦିନରେ କୌଣସି ୱିକେଟ୍‍ ହାସଲ କରିପାରିନଥିଲେ ସୁଦ୍ଧା ନିଜ ବୋଲିଂ ବଳରେ ଇଂଲଣ୍ଡ ବ୍ୟାଟସମ୍ୟାନ୍‍ଙ୍କୁ ଚାପରେ ପକାଇବାକୁ ସକ୍ଷମ ହୋଇଥିଲେ ବୋଲି ଗାଙ୍ଗୁଲି କହିଛନ୍ତି। କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡ ମାଟିରେ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିବା ଗାଙ୍ଗୁଲି ମତ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ରବି ଶାସ୍ତ୍ରୀଙ୍କୁ ସମାଲୋଚନା କରିଥିଲେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର। ତାଙ୍କ ସମୟରେ ମଧ୍ୟ ଭାରତୀୟ ଦଳ ବିଦେଶ ମାଟିରେ ବେଶ୍‍ ସଫଳତା ପାଇଥିଲା ବୋଲି ଶାସ୍ତ୍ରୀଙ୍କୁ ମନେ ପକାଇ ଦେଇଥିଲେ ଗାଭାସ୍କର। ଗୋଟିଏ ସମୟର କ୍ରିକେଟ୍‍ ଦଳର ପ୍ରଦର୍ଶନକୁ ଅନ୍ୟ ଏକ ସମୟର କ୍ରିକେଟ୍‍ ଦଳର ପ୍ରଦର୍ଶନ ସହ ତୁଳନା କରାଯିବା ଆଦୌ ଉଚିତ୍‍ ନୁହେଁ ବୋଲି ଗାଭାସ୍କର କହିଥିଲେ।

Leave A Reply