ଯୋଗେନ୍ଦ୍ର ଯାଦବଙ୍କୁ ତାମିଲନାଡୁ ପୁଲିିସର ଦୁର୍ବ୍ୟବହାର

0

ଚେନ୍ନଇ: ପ୍ରମୁଖ ସାମାଜିକ କର୍ମୀ ତଥା ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କୁ ତାମିଲନାଡ଼ୁ ପୁଲିସ ଦୁର୍ବ୍ୟବହାର କରିଥିବା ନେଇ ସେ ଶନିବାର ଅଭିଯୋଗ କରିଛନ୍ତି। ଚେନ୍ନଇ-ସାଲେମ ଆଠ ଲେନ୍‍ ସଡ଼କପଥ ପ୍ରକଳ୍ପ ବିରୋଧୀ ଏକ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାବେଳେ ତାମିଲନାଡୁ ପୁଲିସ ତାଙ୍କୁ ଅଟକାଇ ଠେଲାପେଲା କରିଥିବା ସେ ଅଭିଯୋଗ କରିଛନ୍ତି। ‘ମୁଭମେଣ୍ଟ ଏଗନେଷ୍ଟ ୮ ଲେନ୍‍ ୱେ’ ପକ୍ଷରୁ ତାଙ୍କୁ ଏହି ବିକ୍ଷୋଭ ସମାବେଶରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଥିଲା। ଯାଦବ ସଭାସ୍ଥଳ ଆଡ଼କୁ ଯାଉଥିବାବେଳେ ତିରୁବାନ୍ନାମଲାଇ ଜିଲାର ଚେଙ୍ଗମଠାରେ ପୁଲିସ ତାଙ୍କୁ ଅଟକାଇବା ସହିତ ଆଗକୁ ଯିବାକୁ ଦେଇ ନ ଥିଲା। କିଛି ପୁଲିସ କର୍ମଚାରୀ ତାଙ୍କ ମୋବାଇଲ ଫୋନ୍‍ ଛଡ଼ାଇ ନେଇଥିଲେ। ସେମାନେ ତାଙ୍କୁ ଏକ ପୁଲିସ ଭ୍ୟାନ ମଧ୍ୟକୁ ଠେଲି ଦେଇଥିବା ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ଯାଦବଙ୍କ କୌଣସି କଥା ପ୍ରତି ପୁଲିସ କର୍ଣ୍ଣପାତ କରି ନ ଥିଲା। ଏହି ଘଟଣା ସମ୍ବନ୍ଧରେ ସେ ଟ୍ୱିଟରରେ ଏକ ଭିଡିଓ ମଧ୍ୟ ପ୍ରକାଶ କରିଛନ୍ତି।

Leave A Reply