BJD Bijuli 480×75 Mob

ମୌସୁମୀ ଅଧିବେଶନ ଆରମ୍ଭ: ଆରମ୍ଭରୁ ସରଗରମ

BJD Bijuli 480×75 Mob
0

ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ, ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧି, ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସମହାପାତ୍ର, ଓଡ଼ିଶା ବିଧାନସଭାର ପୂର୍ବତନ ସଦସ୍ୟ ସୂର୍ୟ୍ୟମଣି ଜେନା, ବ୍ରଜକିଶୋର ମହାନ୍ତି, ମୁରଲୀଧର କୁଅଁରଏବଂ ମାଓ ଆକ୍ରମଣରେ ନିହତ ଓଡ଼ିଶା ପୁଲିସର କନ​‌େ​‌ଷ୍ଟବଳ ସଞ୍ଜୟ ମାଝିଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଶୋକ ପରେ ଦିବଂଗତମାନଙ୍କ ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ଅନ୍ୟ ଦିବଂଗତଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ସମ୍ମାନାର୍ଥେ ମଙ୍ଗଳବାର ଗୃହର ଅନ୍ୟାନ୍ୟ କାର୍ୟ୍ୟ ବାତିଲ କରି ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ଶୋକ ପ୍ରସ୍ତାବ ଉପରେ ଆଲୋଚନାକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ହେବା ସହ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜନୈତିକ ଉଷ୍ମତା ବାରି ହୋଇଛି। ଏହି ଆଲୋଚନାରେ ଭାଗ ନେଇ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଏଥିରେ ବାଜପେୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜନୀତିରେ ଆଗକୁ ବଢ଼ିବା ପାଇଁ ପୃଷ୍ଠଭୂମି ଯୋଗାଇଥିଲେ। କିନ୍ତୁ ଆଜି ରାଜ୍ୟର ଶାସନ ଯେଭଳି ଚାଲିଛି ତାହା ହୁଏତ ଜାଣିଥିଲେ ବାଜପେୟୀ ମନସ୍ତାପ କରିଥାଆନ୍ତେ ବୋଲି ସେ କହିଥିଲେ। ତାଙ୍କର ଏଭଳି ଉକ୍ତିକୁ ନେଇ ବିଜେଡି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବିଜେଡି ସଦସ୍ୟମାନେ କନକବର୍ଦ୍ଧନଙ୍କ ରାଜନୈତିକ ବକ୍ତବ୍ୟକୁ ନାପସନ୍ଦ କରିଛନ୍ତି। ଦଳର ମୁଖପାତ୍ର ଦେବାଶିଷ ସାମନ୍ତରାୟ ଓ ସମୀରରଞ୍ଜନ ଦାଶ ପ୍ରମୁଖ ଗୃହରେ ଏହାକୁ ବିରୋଧ କରିଥିଲେ। ଗୃହ ବାହାରେ ଶ୍ରୀ ସାମନ୍ତରାୟ କହିଛନ୍ତି, ଶୋକପ୍ରସ୍ତାବରେ ରାଜନୈତିକ ଉଦ୍ଦେଶ୍ୟ ରଖି ବକ୍ତବ୍ୟ ପ୍ରଦାନ କରିବା ବିଧାନସଭା ପରମ୍ପରାରେ ନାହିଁ। ବିଜେପି ବିଧାୟକଦଳ ନେତା ଏହାର ବ୍ୟତିକ୍ରମ କରିଛନ୍ତି। ତେବେ କନକବର୍ଦ୍ଧନ କହିଛନ୍ତି, ଶୋକ ପ୍ରସ୍ତାବର ଆଲୋଚନା ବେଳେ ମୋ ନେତାଙ୍କ ପାଇଁ ମୋ ମନରେ ଯାହା କହିବାର ଥିଲା ଗୃହରେ କହିଛି। ରାଜନୈତିକ ଉଦ୍ଦେଶ୍ୟ ରଖି ସେ କିଛି କହିନଥିବା ପ୍ରକାଶ କରିଛନ୍ତି।


ଅନ୍ୟପକ୍ଷରେ ଗୃହ ମୁଲତବୀ ରହିବା ପରେ ଅହେତୁକ ତୈଳ ଦର ବୃଦ୍ଧିକୁ ନେଇ ବିଜେଡି ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ତିନି ଦିନିଆ ଆନ୍ଦୋଳନ କାର୍ୟ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ଆଦାୟ ତୈଳ ଦର ବୃଦ୍ଧି ପାଇଁ ଦାୟୀ ବୋଲି ବିଜେପି କହିଛି। ଅନ୍ୟପକ୍ଷରେ ବିଜେଡି ସବୁ ଦୋଷ କେନ୍ଦ୍ର ଉପରେ ଲଦିଛି।
ବିଧାନସଭା ଅଧିବେଶନର ଅବ୍ୟବହିତ ପୂର୍ବରୁ ବିଜେଡି ବିଜେପି ମଧ୍ୟରେ ଟଣାଓଟରା ଭୁବନେଶ୍ବରସ୍ଥିତ ଏମ୍ସର ସମାବର୍ତ୍ତନ ଉତ୍ସବ, ବାଲେଶ୍ବର ଠାରେ ଏମ୍ସର ଶାଖା ଖୋଲାଯିବା ନେଇ ଆୟୋଜିତ କାର୍ୟ୍ୟକ୍ରମ, ବଲାଙ୍ଗୀର ଓ ବାଲେଶ୍ବର ମେଡିକାଲ କଲେଜର ଶୁଭାରମ୍ଭ ଅବସରରେ ଏହି ଉଷ୍ମତା ପରିଲକ୍ଷିତ ହୋଇଥିଲା। ଏବେ ଏହାର ପ୍ରତିଫଳନ ଏହି ଅଧିବେଶନରେ ଦେଖାଯିବା ନେଇ ଯଥେଷ୍ଟ ସୁରାକ ମିଳୁଛି। ଗୃହ ଭିତରେ ଆକ୍ଷେପ ପ୍ରତି ଆକ୍ଷେପ ଏବଂ ବାହାରେ ରାଜନୈତିକ ତାତି ଚଳିତ ଅଧିବେଶନକୁ ଅଧିକ ସରଗରମ କରିବ ବୋଲି ଆଶା କରାଯାଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରି କହିଥିଲେ, ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକ ବିରାଟ ହୃଦୟର ଅଧିକାରୀ ଥିଲେ। ଓଡ଼ିଶା ପ୍ରତି ତାଙ୍କର ଅବଦାନକୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିଥିଲେ। ତାଙ୍କ ବିୟୋଗରେ ଭାରତବର୍ଷ ଜଣେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞଙ୍କୁ ହରାଇଛି। ସେ ଜଣେ ଦୃଢ଼ମନା ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ଘଟିଛି। ସ୍ବର୍ଗତ ବାଜପେୟୀଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ଓ ଏହା ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି ସେ କହିଥିଲେ।


ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ରାଜନୈତିକ ମତଭେଦ ଥିଲେ ମଧ୍ୟ ଅଟଳ ବିହାରୀ ବାଜପେୟୀ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଆଦର କରୁଥିଲେ। ସେ ରାଜଧର୍ମ ପାଳନରେ ବିଶ୍ବାସ ରଖୁଥିଲେ। ସ୍ବର୍ଗତ ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, କରୁଣାନିଧିଙ୍କ ସ୍ମୃତିଚାରଣ କରିଥିଲେ।
ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ସ୍ବର୍ଗତ ବାଜପେୟୀଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ଓଡ଼ିଶା ପାଇଁ ବାଜପେୟୀଙ୍କ ଅବଦାନ ସମ୍ପର୍କରେ ସୂଚନା ଦେଇ ଜଳସମ୍ପଦର ବିକାଶ ଠାରୁ ଆରମ୍ଭ କରି ମହାବାତ୍ୟା ସମୟରେ ସହାୟତା, ପୂର୍ବତଟ ରେଳପଥ, ଭାରତୀୟ ତୈଳ ନିଗମ ଆଦି ତାଙ୍କର ଅବଦାନ ବୋଲି କହିଥିଲେ। ଶୋକ ପ୍ରସ୍ତାବ ଆଲୋଚନା ବେଳେ ଶ୍ରୀ ସିଂହଦେଓ ସ୍ବର୍ଗତ ବାଜପେୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜନୀତିରେ ଚାଲିବା ଶିଖାଇଥିବା କହିଥିଲେ। ଏବେ ଓଡ଼ିଶା ସରକାରର ଶାସନ ଦେଖି ବାଜପେୟୀ ଦୁଃଖ କରିଥାଆନ୍ତେ ବୋଲି ସେ କହିଥିଲେ। ଏହାକୁ ନେଇ ଶାସକ ସଦସ୍ୟ ଦେବାଶିଷ ସାମନ୍ତରାୟ ଏବଂ ଅନ୍ୟମାନେ ପ୍ରତିବାଦ କରିଥିଲେ।
ଦିବଂଗତଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ପରିବାରବର୍ଗଙ୍କୁ ବିଧାନସଭାର ସମବେଦନା ଜଣାଇ ଦିଆଯିବ ବୋଲି ବାଚସ୍ପତି ପ୍ରଦୀପକୁମାର ଅମାତ କହିଥିଲେ।
ଶୋକ ପ୍ରସ୍ତାବର ଆଲୋଚନା ବେଳେ ବିଜେପି ବିଧାୟକ ଦଳନେତାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଗୃହ ବାହାରେ ଶାସକ ବିଧାୟକ ଶ୍ରୀ ସାମନ୍ତରାୟ କହିଛନ୍ତି, ଶୋକ ପ୍ରସ୍ତାବର ଆଲୋଚନା ବେଳେ କନକବର୍ଦ୍ଧନ ରାଜନୈତିକ ଭାଷଣ ଦେବାରୁ ସେ ପ୍ରତିବାଦ କରିଛନ୍ତି। ଏହା ଉପରେ ଶ୍ରୀ ସିଂହଦେଓ କହିଛନ୍ତି, ମୁଁ ମୋ ମନକଥା କହିଥିଲି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଗୃହର ନେତା ଶୋକପ୍ରସ୍ତାବ ଆଗତ କରିଥିଲେ, ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇବା କଥା। ଯାହା ଘଟିଛି ତାହା ଉଚିତ ନଥିବା ସେ ପ୍ରକାଶ କରିଛନ୍ତି।

Leave A Reply