ମୃତ୍ୟୁ ପରେ ମଧ୍ୟ ରହିଛି ଜୀବନ

0

କ’ଣ ମୃତ୍ୟୁ ଜଣେ ମଣିଷର ଜୀବନ ଯାତ୍ରାର ଅନ୍ତିମ ସୋପାନ? ନା’ ମୃତ୍ୟୁ ପରେ ମଧ୍ୟ ରହିଛି ଆଉ କିଛି ବ୍ୟତିକ୍ରମ। ବହୁ ବର୍ଷ ଧରି ଏହା ତର୍କ ବିତର୍କର ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି। ଭାରତୀୟ ସଂସ୍କୃତିରେ ଆତ୍ମାକୁ ଅମର ବୋଲି ଦୃଢୋକ୍ତି କରାଯାଇଛି। ଏପରିକି ଭାରତୀୟ ସଂସ୍କୃତି ପୁନଃଜନ୍ମକୁ ମଧ୍ୟ ବିଶ୍ୱାସ କରେ। ବିଶ୍ୱର ଏଭଳି ଏକାଧିକ ଘଟଣା ରହିଛି ଯେଉଁଠି ଏକାଧିକ ବ୍ୟକ୍ତି ସେମାନଙ୍କ ପୂର୍ବ ଜନ୍ମର ଘଟଣାକ୍ରମ ତଥ୍ୟଭିତ୍ତିକ ଭାବରେ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି। ଏପରିକି କିଛି ତଥ୍ୟ ସତ୍ୟ ବୋଲି ପରବର୍ତ୍ତୀ ସମୟରେ ପ୍ରମାଣିତ ମଧ୍ୟ ହୋଇଛି। ଆମେରିକାର ହାର୍ବାର୍ଡ ବିଶ୍ୱବିଦ୍ୟାଳୟର ସ୍ନାୟୁ ଚିକିତ୍ସକ ଡା. ଏଲବିନ୍‌ ଆଲେକଜାଣ୍ଡାର ନିକଟରେ ଅନୁରୂପ ଏକ ଘଟଣାକ୍ରମ ଦେଇ ଗତି କରିଛନ୍ତି। ସେ ତାଙ୍କ ଉପଲବ୍ଧିକୁ ବିଜ୍ଞାନ ଭିତ୍ତିକ ଭାବରେ ଉପସ୍ଥାପିତ କରି ୟୁରୋପର ଚିକିତ୍ସା ବିଜ୍ଞାନୀଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି।
ଡା. ଏଲବିନ୍‌ ପୂର୍ବରୁ ଆତ୍ମାରେ ବିଶ୍ୱାସ କରୁ ନଥିଲେ। କହିବାକୁ ଗଲେ ଡା. ଏଲବିନ୍‌ ଜଣେ ବସ୍ତୁବାଦୀ ଭାବରେ ନିଜ ଜୀବନର ୨୫ ବର୍ଷ ବିତାଇ ଆସୁଥିଲେ। ଏପରିକି ମୃତ୍ୟୁ ପରର ଜୀବନ ଅଥବା ପୁନଃଜନ୍ମର କାହାଣୀକୁ ସେ ମାନସିକ ଭ୍ରମ ବୋଲି ଯୁକ୍ତି ଦର୍ଶାଇ ଆସୁଥିଲେ। ତେବେ ହଠାତ୍‌ ବ୍ୟାକଟେରିଆ ଜନିତ ମସ୍ତିକ ରୋଗରେ ଆକ୍ରାନ୍ତ ହୋଇ ଡା.ଏଲବିନ୍‌ ୭ଦିନ ପାଇଁ କୋମାରେ ରହିବା ପରେ ଏବେ ସେ ମୃତ୍ୟୁ ପରେ ମଧ୍ୟ ଜୀବନ ରହିଥିବା ସମ୍ପର୍କରେ ଏକ ପୁସ୍ତକ ଲେଖିଛନ୍ତି। ତାଙ୍କ ଲିଖିତ ପୁସ୍ତକ ‘ପ୍ରୁଫ ଅଫ ହେଭେନ’ ନ୍ୟୁୟର୍କର ସର୍ବାଧିକ ବିକ୍ରି ପୁସ୍ତକ ମଧ୍ୟରେ ସ୍ଥାନ ପାଇଛି। ସେ ତାଙ୍କ ପୁସ୍ତକରେ ପୃଥିବୀ ପୃଷ୍ଠରେ ଜୀବନର କାରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ପୃଥିବୀରେ ଜୀବନ ଏକ କ୍ଷଣସ୍ଥାୟୀ ପ୍ରକ୍ରିୟା ବୋଲି ସେ ଯୁକ୍ତି ଉପସ୍ଥାପନ କରିବା ସହ ଏହା କେବଳ ଆତ୍ମାର ପରୀକ୍ଷା ବୋଲି ଦର୍ଶାଇଛନ୍ତି। ପୃଥିବୀପୃଷ୍ଟରେ ଜୀବନ କେବଳ ଆତ୍ମାର ବିକାଶ ନିମନ୍ତେ ବୋଲି ସେ ଦର୍ଶାଇଛନ୍ତି। ତାଙ୍କ ପୁସ୍ତକରେ ଲିଖିତ ଯୁକ୍ତି ଅନୁଯାୟୀ ମଣିଷ ଜନ୍ମ ଓ ନିଦ୍ରାରେ ଦେଖୁଥିବା ସ୍ୱପ୍ନ ପ୍ରାୟ ଏକପ୍ରକାର। ତେବେ ନିଦ୍ରାରେ ଦେଖୁଥିବା ସ୍ୱପ୍ନକୁ ବଦଳାଇବାର କ୍ଷମତା ମଣିଷ ମଧ୍ୟରେ ନଥିଲେ ମଧ୍ୟ ମଣିଷ ଜନ୍ମ ତା’ର ଉଚିତ କାର୍ଯ୍ୟ ଦ୍ୱାରା ବଦଳାଇ ହେଉଛି। ମଣିଷ ଜନ୍ମକୁ ସେ କୃତ୍ରିମ ସ୍ୱପ୍ନ ଭାବରେ ତୁଳନା କରିଛନ୍ତି। ମଣିଷର ଜନ୍ମ କେବଳ ତା’ର ଆତ୍ମାର ବିକାଶ ନିମନ୍ତେ ହୋଇଥିବାବେଳେ ପ୍ରେମ, କରୁଣା ଦ୍ୱାରା ଏହାର ବିକାଶ ହୋଇଥାଏ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ସେହିପରି ଅନ୍ୟକୁ ଅଧୀନ କରିବା ଆଗ୍ରହକୁ ସେ ନାକାରାତ୍ମକ ଶକ୍ତି ସହ ତୁଳନା କରିଛନ୍ତି। ଯଦି ବ୍ରହ୍ମାଣ୍ଡକୁ ଜାଣିବାକୁ ଚାହଁ ତେବେ ପ୍ରେମ ହିଁ କେବଳ ଏକମାତ୍ର ବିକଳ୍ପ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ଏପରିକି ତାଙ୍କ ଯୁକ୍ତି ଅନୁଯାୟୀ ସମସ୍ତ ଯୋଗାଯୋଗ କେବଳ ଏକ ଉପଲବ୍ଧି। କୋମା ଅବସ୍ଥାରେ ଡା.ଏଲବିନ୍‌ଙ୍କୁ ତାଙ୍କ ଉପଲବ୍ଧି ସମ୍ପର୍କରେ ପଚରା ଯାଇଥିଲା। ମୃତ୍ୟୁ ପରେ ରହିଥିବା ଜୀବନରେ ସମସ୍ତେ ସୁରକ୍ଷିତ ଓ ସେମାନଙ୍କୁ ଏକାକୀ ରହିବାର ଯନ୍ତ୍ରଣା ଭୋଗିବାକୁ ପଡ଼ି ନଥାଏ। ଏହା ବ୍ୟତୀତ ଏହି ପୁସ୍ତକରେ ସେ ମୃତ୍ୟୁ ପରର ଜୀବନ ସମ୍ପର୍କରେ ୯ଟି ବୈଜ୍ଞାନିକ ଯୁକ୍ତି ମାଧ୍ୟମରେ ଏହାର ସତ୍ୟତାକୁ ପ୍ରମାଣିତ କରିଛନ୍ତି।

Leave A Reply