‘ଭବିଷ୍ୟତରେ ଅଷ୍ଟ୍ରେଲିଆ ତରଫରୁ ଖେଳିବା ଆଶା ନାହିଁ’

0

ସିଡନୀ- ଦକ୍ଷିଣ ଆଫି୍ରକା ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ୍‌ରେ ବଲ୍‌ ଟାମ୍ପରିଂ କରିଥିବା ଅଷ୍ଟ୍ରେଲିଆ ଦଳର ୩ ଖେଳାଳି ଷ୍ଟିଭେନ୍‌ ସ୍ମିଥ୍‌, ଡେଭିଡ୍‌ ୱାର୍ଣ୍ଣର ଓ କାମେରନ୍‌ ବାନ୍‌କ୍ରଫ୍ଟଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ବାସନ୍ଦ କରିଛି। ଷ୍ଟିଭେନ୍‌ ସ୍ମିଥ୍‌ ସାମ୍ବାଦିକ ସମ୍ମିଳନୀରେ ନିଜ ଦୋଷ ସ୍ୱୀକାର କରିବା ସହ ଅଧିନାୟକ ଭାବେ ସେ ବିଫଳ ହୋଇଥିବା କିଛିଦିନ ତଳେ କହିଥିଲେ।
ଶନିବାର ଡେଭିଡ୍‌ ୱାର୍ଣ୍ଣର ବଲ୍‌ ଟାମ୍ପରିଂ ମାମଲାକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ କୃତକର୍ମ ପାଇଁ ସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହ କାନ୍ଦି ପକାଇଥିଲେ। ୧୨ ମାସର ବାସନ୍ଦ ପରେ ଅଷ୍ଟ୍ରେଲିଆ ତରଫରୁ ତାଙ୍କର ଖେଳିବା ଆଶା ପ୍ରାୟତଃ ନାହିଁ ବୋଲି ୱାର୍ଣ୍ଣର ମତ ଦେଇଛନ୍ତି। ଦକ୍ଷିଣ ଆଫି୍ରକାରେ ଯାହା ଘଟିଲା ଏବଂ ଏଥିରେ ତାଙ୍କର ଯେଉଁ ଭୂମିକା ଥିଲା ତାହା ଅକ୍ଷମଣୀୟ ବୋଲି ୱାର୍ଣ୍ଣର କହିଛନ୍ତି। କ୍ରିକେଟ୍‌ ଅଷ୍ଟ୍ରେଲିଆ ତାଙ୍କୁ ୧୨ ମାସ ପାଇଁ ବାସନ୍ଦ କରିଥିବା ବେଳେ ଭବିଷ୍ୟତରେ ସେ ଜାତୀୟ ଦଳ ତରଫରୁ ଖେଳିବା ସୁଯୋଗ ପାଇବେ ନାହିଁ ବୋଲି ଅନୁଭବ କରୁଛନ୍ତି ବୋଲି ୱାର୍ଣ୍ଣର ସ୍ପଷ୍ଟ କରି ଦେଇଛନ୍ତି। ଆଗାମୀ ଦିନରେ ଭବିଷ୍ୟତ ସଂପର୍କରେ ସେ ଶୁଭେଚ୍ଛୁଙ୍କ ସହ ଆଲୋଚନା କରି ଯୋଜନା ପ୍ରସ୍ତୁତ କରିବେ ବୋଲି ୱାର୍ଣ୍ଣର ସୂଚନା ଦେଇଛନ୍ତି।
ବଲ୍‌ ଟାମ୍ପରିଂ ମାମଲାକୁ ନେଇ ୱାର୍ଣ୍ଣର କୋଟି କୋଟି ଟଙ୍କାର ବିଜ୍ଞାପନ ଚୁକ୍ତି ହରାଇଥିବା ବେଳେ ଖୁବ୍‌ଶୀଘ୍ର ଅବସର ନେବେ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଏ ସଂପର୍କରେ ନିଜ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ବଲ୍‌ ଟାମ୍ପରିଂ କରି ଦେଶର ସମ୍ମାନରେ ଆଞ୍ଚ ଆଣିବାରେ ସେ ନିଜ ଭୂମିକା ତୁଲାଇଥିôବା ୱାର୍ଣ୍ଣର ସ୍ୱୀକାର କରିବା ସହ ଏହା ଏକ ଖରାପ ନିଷ୍ପତ୍ତି ଥିଲା ବୋଲି ସ୍ପଷ୍ଟ କରି ଦେଇଛନ୍ତି। ବଲ୍‌ ଟାମ୍ପରିଂ ମାମଲାରେ ୱାର୍ଣ୍ଣରଙ୍କୁ ମୁଖ୍ୟ ଖଳନାୟକ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଦର୍ଶାଯାଇଥିବା ବେଳେ ତାଙ୍କୁ ଫସାଯାଉଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ୱାର୍ଣ୍ଣର କହିଥିଲେ ଏ ସଂପର୍କରେ ଅଧିକ ବିତର୍କ ସେ ଚାହୁଁ ନାହାନ୍ତି। ବଲ୍‌ ଟାମ୍ପରିଂ ପାଇଁ ପ୍ରୟାସ ହୋଇଥିଲା ଏବଂ ଏଥିରେ ସେ ନିଜ ଭୂମିକା ତୁଲାଇଥିଲେ, ଏହାକୁ ସ୍ୱୀକାର କରିବାକୁ ପଡ଼ିବ। ୧୨ ମାସ ପାଇଁ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ୱାର୍ଣ୍ଣର ଭବିଷ୍ୟତରେ ଅଷ୍ଟ୍ରେଲିଆ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି କି ନାହିଁ ଏବଂ ଅନ୍ୟ କ୍ରିକେଟ୍‌ ଲିଗ୍‌ରେ ଖେଳୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Leave A Reply