ଭଦ୍ରକରେ ରାମନବମୀ ସଂକୀର୍ତ୍ତନ ଶୋଭାଯାତ୍ରା; ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ

0

ଭଣ୍ଡାରିପୋଖରୀ: ସବୁ ବିବାଦର ଅନ୍ତ ଘଟାଇ ରବିବାର ଭଦ୍ରକ ସହରରେ ଧୁମଧାମରେ ପାଳନ ହେବାକୁ ଯାଉଛି ରାମ ନବମୀ ମହୋତ୍ସବ। ସଂକୀର୍ତ୍ତନ ଶୋଭାଯାତ୍ରା ହେବ ମୁଖ୍ୟ ଆକର୍ଷଣ। ଅନ୍ୟୂନ ୫୦ଟି ମେଢ଼ ନିର୍ଦ୍ଧାରିତ ମାର୍ଗରେ ସହର ପରିକ୍ରମା କରିବାର କାର୍ୟ୍ୟକ୍ରମ ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିଲାଗି ୫୧ ପ୍ଲାଟୁନ ପୁଲିସ ସହରରେ ମୁତୟନ ହୋଇଛନ୍ତି। ନିୟୋଜିତ ହୋଇଛନ୍ତି ଶତାଧିକ ଅଫିସର। ଆଇଜି ବିନୟତୋଶ ମିଶ୍ର, ବିଦାୟ ନେବାକୁ ଥିବା ଏସ୍‍ପି ଅନୁପ ସାହୁ, ନୂତନ ଏସ୍‍ପି ବି.ଗଙ୍ଗାଧର ମିଳିତଭାବେ ଆଇନଶୃଙ୍ଖଳାର ତଦାରଖ କରୁଛନ୍ତି। ପୁଲିସ ପ୍ରଶାସନ ପକ୍ଷରୁ ପୁରା ମହୋତ୍ସବକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଶ୍ରୀରାମ ମହାଜଜ୍ଞ ସମିତି ପକ୍ଷରୁ ମଧ୍ୟ ଶାନ୍ତି ବଜାୟ ଲାଗି ସହରବାସୀଙ୍କୁ ନିବେଦନ କରାଯାଇଛି। ଭାଇଚାରାର ସହର ଭଦ୍ରକରେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିବାର ସମ୍ଭାବନା କ୍ଷୀଣ ବୋଲି
କୁହାଯାଉଥିଲେ ହେଁ ଚଳିତ ବର୍ଷ ଉତ୍ସବ ପାଳନକୁ ନେଇ ଆରମ୍ଭରୁ ବିବାଦ ଓ ଚର୍ଚ୍ଚା ଲାଗି ରହିଥିବାରୁ ଆଇନ ଶୃଙ୍ଖଳା ରକ୍ଷା ସ୍ୱତଃ ପୁଲିସ ପାଇଁ ଚାଲେଞ୍ଜ ହୋଇଛି। ତେବେ ଗତବର୍ଷ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ରାମନବମୀ ପରେ ପରେ ସହରରେ ହିଂସାର କାରଣ ହୋଇଥିବା ବେଳେ ଏଥର ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ପୁଲିସ ସାଇବର କ୍ରାଇମ ସେଲର ୫ଜଣିଆ ଟିମ୍‍ ଭଦ୍ରକରେ ଅବସ୍ଥାନ କରି ସୋସିଆଲ ମିଡିଆ ଉପରେ ନଜର ରଖିଛନ୍ତି। ଏଥିସହିତ ଶନିବାର ସନ୍ଧ୍ୟା ୭ଟାରୁ ୪୮ ଘଣ୍ଟା ପାଇଁ ସହର ସମେତ ପୁରା ଜିଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଜିଲାପାଳଙ୍କ ନିର୍ଦେଶ କ୍ରମେ ସହରର ସମସ୍ତ ମଦ ଦୋକାନ ଓ ସହର ସଂଲଗ୍ନ ଗ୍ରାମାଞ୍ଚଳରେ ସମସ୍ତ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନକୁ ସିଲ କରାଯାଇଛି।

Leave A Reply