ଭକ୍ତ ଶିରୋମଣି
ଭକ୍ତ ପ୍ରହ୍ଲାଦଙ୍କ ଜନ୍ମ ପୂର୍ବରୁ ହିଁ ତାଙ୍କ ଉପରେ ସଂକଟ ଘନେଇ ଆସିଥିଲା। ମାତୃଗର୍ଭରେ ଥିବା ସମୟରେ ପିତା ହିରଣ୍ୟକଶିପୁ ତପସ୍ୟାରେ ସିଦ୍ଧି ଲାଭ କରିବା ଉଦ୍ଦେଶ୍ୟରେ ଚାଲିଯାଇଥିଲେ। ସୁଯୋଗ ଉଣ୍ଡି ଦେବରାଜ ଇନ୍ଦ୍ର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ହିରଣ୍ୟକଶିପୁଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲେ। ନୀତିବର୍ଜିତ ହୋଇଥିଲେ ସୁଦ୍ଧା କ୍ରୋଧରେ ଜଳୁଥିବା ଇନ୍ଦ୍ର ହିରଣ୍ୟକଶିପୁଙ୍କ ଗର୍ଭବତୀ ପତ୍ନୀ କୟାଧୁଙ୍କୁ ବନ୍ଦୀକରି ସ୍ବର୍ଗପୁର ନେଇଯାଇଥିଲେ।
ମାର୍ଗରେ ଦେବରାଜ ଇନ୍ଦ୍ରଙ୍କ ସାକ୍ଷାତ ହୋଇଥିଲା ଦେବର୍ଷି ନାରଦଙ୍କ ସହ। ଦେବର୍ଷି ଇନ୍ଦ୍ରଙ୍କୁ ଏଭଳି ନୀତିହୀନ କାର୍ଯ୍ୟରୁ ନିବୃତ୍ତ କରିବାକୁ ଉଚିତ ମଣିଥିଲେ। କୟାଧୁଙ୍କ ଗର୍ଭରେ ଯେ ଜଣେ ଭକ୍ତ ଶ୍ରେଷ୍ଠ ଅଛନ୍ତି ଏହା ଦେବରାଜଙ୍କୁ ଜଣାଇଦେବା ସହ ତାଙ୍କୁ ମୁକ୍ତ କରିଦେବାକୁ କହିଥିଲେ। ଦେବରାଜ ଇନ୍ଦ୍ର କୟାଧୁଙ୍କୁ ମୁକ୍ତ କରିଦେଇଥିଲେ। କୟାଧୁ ନାରଦଙ୍କ ହେପାଜତରେ ତାଙ୍କ ଆଶ୍ରମରେ ହିଁ ରହିଥିଲେ।
ସମୟାନୁସାରେ ପ୍ରହ୍ଲାଦ ଭୂମିଷ୍ଠ ହୋଇଥିଲେ। ଧୀରେଧୀରେ ପ୍ରହ୍ଲାଦ ବଡ଼ ହୋଇଥିଲେ। ଗର୍ଭାବସ୍ଥାରେ ଥିବାବେଳେ ହିଁ ମାଆ ଧର୍ମକଥା ଶୁଣୁଥିଲେ ନାରଦଙ୍କଠାରୁ ଯାହା ପ୍ରହ୍ଲାଦଙ୍କୁ ସଂସ୍କାରିତ କରିବାରେ ସହାୟକ ହୋଇଥିଲା। ନାରାୟଣଙ୍କ ପ୍ରତି ଗଭୀର ଅନୁରାଗ ଅତି ବାଲ୍ୟକାଳରୁ ହିଁ ରହିଆସିଥିଲା। ହିରଣ୍ୟକଶିପୁଙ୍କ ତପସ୍ୟା ଶେଷ ହୋଇଥିଲା। ପ୍ରତ୍ୟାବର୍ତ୍ତନ ପରେ ତାଙ୍କର ଅନୁପସ୍ଥିତିରେ ଘଟିଥିବା ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ତେବେ ପୁତ୍ର ପ୍ରହ୍ଲାଦଙ୍କ ମୁଖରୁ ଅନବରତ ବିଷ୍ଣୁନାମ ଉଚ୍ଚାରଣ ହେଉଥିବା ଲକ୍ଷ୍ୟ କରି ହିରଣ୍ୟକଶିପୁଙ୍କ ଚିନ୍ତା ବଢ଼ିଯାଇଥିଲା। ଏଥିରୁ ନିବୃତ୍ତ କରିବା ନିମିତ୍ତ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ।
ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଆପଣାର ଜଟିଳ, କୁଟିଳ ଦୃଷ୍ଟିରେ ସବୁକିଛି ଜାଣିପାରିଥିଲେ। ପ୍ରହ୍ଲାଦଙ୍କୁ ହରିଭକ୍ତିରୁ ନିବୃତ୍ତ କରିବା ନିମନ୍ତେ ତାନ୍ତ୍ରିକ ରୂପରେ ନାନା ଶାରୀରିକ, ମାନସିକ ଯନ୍ତ୍ରଣା ଦିଆଯାଇଥିଲା। ପିତା ମଧ୍ୟ ନିର୍ଦୟ ଭାବରେ ଅନେକ ପ୍ରପୀଡ଼ିତ କରିଥିଲେ। ଶେଷରେ ନୃସିଂହ ଭଗବାନ ସ୍ତମ୍ଭରୁ ପ୍ରକଟ ହୋଇ ହରିଣ୍ୟକଶିପୁଙ୍କୁ ବଧ କରିଥିଲେ।
ପ୍ରହ୍ଲାଦଙ୍କ ଅତୁଟ ଭକ୍ତିରେ ମୁଗ୍ଧ ହୋଇ କୋଳରେ ବସାଇ ଭଗବାନ ବିଷ୍ଣୁ କହିଥିଲେ- ‘ହେ ଭକ୍ତବତ୍ସଳ! ତୁମର କଲ୍ୟାଣ ଅବଶ୍ୟ ହେବ। ମୋତେ କିଛି ବର ପ୍ରାର୍ଥନା କର। ମୁଁ ତୁମ ଉପରେ ସନ୍ତୁଷ୍ଟ।’
ଯିଏ ନିରାସକ୍ତ ଏକାନ୍ତ ଭାବରେ ଈଶ୍ବରଙ୍କ ଅନୁଗତ ସେ ଅବା କ’ଣ ବର ପ୍ରାର୍ଥନା କରିଥାନ୍ତେ? ବିନୀତ ଭାବରେ, ପ୍ରହ୍ଲାଦ କହିଥିଲେ- ‘ଯଦି ଆପଣ ମୋ ପ୍ରତି ପ୍ରସନ୍ନ, ତେବେ ଏହି ବର ଦିଅନ୍ତୁ, ମୋର ମନରେ କୌଣସି କାମନା ବାସନାର ବୀଜ ଯେପରି ଅଙ୍କୁରିତ ନହୁଏ। ମୁଁ ବଣିକ ନୁହେଁ, ଭକ୍ତ। ଆପଣଙ୍କ ପ୍ରତି ମୋର ଭକ୍ତି ସର୍ବଦା ଅତୁଟ ରହିଥାଉ।
ନିଷ୍କାମ, ଜ୍ଞାନୀ ଭକ୍ତ ଭାବରେ ପ୍ରହ୍ଲାଦଙ୍କ ଏହି ବର ପ୍ରାର୍ଥନା ତାଙ୍କୁ ଭକ୍ତ ଶିରୋମଣି ଭାବରେ ପ୍ରତିପାଦିତ କରିଥାଏ।