ବିଶ୍ୱ ଚମ୍ପିଆନସିପ୍‍ ସୁଟିଂ: ଅଙ୍କୁରଙ୍କୁ ସ୍ୱର୍ଣ୍ଣ

0

ଚାଙ୍ଗ୍‍ୱନ(ଦକ୍ଷିଣ କୋରିଆ): ଭାରତୀୟ ସୁଟର ଅଙ୍କୁର ମିତ୍ତଲ ଆଇଏସଏସଏଫ୍‍ ବିଶ୍ୱ ଚମ୍ପିଆନସିପ୍‍ ସୁଟିଂରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଶନିବାର ସିନିୟର ପୁରୁଷ ଡବଲ ଟ୍ରାପ୍‍ ଇଭେଣ୍ଟରେ ଅଙ୍କୁର ୧୪୦ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣପଦକ ହାତେଇ ପାରିଛନ୍ତି। ଏହି ଇଭେଣ୍ଟରେ ଚୀନର ୟିୟାଙ୍ଗ୍‍ ୟାଙ୍ଗ୍‍ଙ୍କୁ ରୌପ୍ୟ ଓ ସ୍ଲୋଭାକିଆର ହବର୍ଟ ଆନ୍ଦ୍ରେଜ୍‍ଙ୍କୁ ବ୍ରୋଞ୍ଜପଦକ ମିଳିଛି। ଅପରପକ୍ଷରେ ଅଙ୍କୁର ମିତ୍ତଲ, ମହମ୍ମଦ ଆସାବ ଓ ସାର୍ଦ୍ଦୁଳ ବିହାନ୍‍ଙ୍କୁ ନେଇ ଗଠିତ ଭାରତୀୟ ଦଳ ପୁରୁଷ ଡବଲ ଟ୍ରାପ୍‍ ଦଳଗତ ଇଭେଣ୍ଟରେ ୪୦୯ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଚପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଇଟାଲୀକୁ (୪୧୧) ସ୍ୱର୍ଣ୍ଣ ଓ ଚୀନକୁ (୪୧୦) ରୌପ୍ୟପଦକ ମିଳିଛି।
ପୁରୁଷ ସୁଟର ପଦକ ଅଭିଯାନ ଅବ୍ୟାହତ ରଖିଥିବାବେଳେ ଦୁଇଜଣ ଭାରତୀୟ ମହିଳା ସୁଟର ଅଳ୍ପକେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇପାରିନାହାନ୍ତି। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ଯୋଗ୍ୟତା ପର୍ଯ୍ୟାୟରେ ଅଞ୍ଜୁମ ମୋଦଗିଲ ୧୧୭୦ ପଏଣ୍ଟ ସ୍କୋର କରି ୯ମ ସ୍ଥାନ ଅଧିକାର କରିଛନ୍ତି। ଶ୍ରେଷ୍ଠ ଆଠଜଣ ସୁଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସ୍ୱିଜରଲାଣ୍ଡ ସୁଟର ନିନା କ୍ରିଷ୍ଟନ ଓ ଅଞ୍ଜୁମ ପ୍ରତ୍ୟେକ ୧୧୭୦ ପଏଣ୍ଟ ସ୍କୋର କରିଥିଲେ। ତେବେ ନିନା ‘ଇନର ୧୦’ ମଧ୍ୟରେ ସର୍ବାଧିକ ୬୬ଥର ଲକ୍ଷ୍ୟଭେଦ କରିଥିବାବେଳେ ଅଞ୍ଜୁମ ୫୬ ଥର ଏହି କୃତିତ୍ୱ ଅର୍ଜନ କରିଥିଲେ। ଫଳରେ ଅଞ୍ଜୁମଙ୍କୁ ପଛରେ ପକାଇ ନିନା ଫାଇନାଲକୁ ଉନ୍ନୀତ ହୋଇଥିଲେ। ସୂଚନାଯୋଗ୍ୟ ଅଞ୍ଜୁମ ଚଳିତ ପ୍ରୀତିଯୋଗିତାରେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟପଦକ ଜିତିବା ସହ ୨୦୨୦ ଟୋକିଓ ଅଲିମ୍ପିକ୍‍ସ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି। ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଭାରତର ମାନୁ ଭାକେର ଯୋଗ୍ୟତା ପର୍ଯ୍ୟାୟରେ ୫୮୪ ପଏଣ୍ଟ ସ୍କୋର କରି ୧୦ମ ସ୍ଥାନ ଅଧିକାର କରିଛନ୍ତି।
ଟ୍ରାପ୍‍ ମିକ୍ସଡ ଦଳଗତ ଜୁନିୟର ଇଭେଣ୍ଟରେ ଭାରତର ମନୀଷା କିର ଓ ମାନବେନ୍ଦ୍ର ସିଂହ ରାଠୋର ୨୪ ପଏଣ୍ଟ ସ୍କୋର କରି ଫାଇନାଲ ରାଉଣ୍ଡରେ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ଇଟାଲୀୟ ସୁଟରଙ୍କୁ ସ୍ୱର୍ଣ୍ଣପଦକ ମିଳିଛି। ପ୍ରତିଯୋଗିତାର ସପ୍ତମ ଦିନ ସୁଦ୍ଧା ଭାରତ ୭ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜପଦକ ସମେତ ମୋଟ ୨୦ଟି ପଦକ ଜିତି ପଦକ ୨ୟ ସ୍ଥାନରେ ରହିଛି। ପଦକ ପ୍ରସଙ୍ଗରେ ଦକ୍ଷିଣ କୋରିଆ ଶୀର୍ଷରେ ଥିବାବେଳେ ଚୀନ ୩ୟ ସ୍ଥାନରେ ରହିଛି।

Leave A Reply