ବିଧାୟକଙ୍କୁ ଘେରିଲେ ମିଳିତ ଶିକ୍ଷକ ମଞ୍ଚ
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଓଡିଶା ପ୍ରାଥମିକ ମିଳିତ ଶିକ୍ଷକ ମହାସଂଘ ଏବଂ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ପକ୍ଷରୁ ଗୁରୁବାର ଗାନ୍ଧୀମାର୍ଗରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରବଳ ବର୍ଷା ସତ୍ତ୍ବେ ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନ୍ଠାରୁ ପୃଥକ ଭାବେ ବିରାଟ ଶୋଭାଯାତ୍ରାରେ ଶିକ୍ଷକମାନେ ଆସି ଲୋୟର ପିଏମ୍ଜିରେ ପହଞ୍ଚି ସରକାରଙ୍କ ଶିକ୍ଷକମାରଣ ନୀତି ନେଇ ପ୍ରତିବାଦ କରିଥିଲେ। ପ୍ରାଥମକ ଶିକ୍ଷକ ମହାସଂଘ ପକ୍ଷରୁ ୬ ଦଫା ଦାବି ହାସଲ ପାଇଁ ସରକାରଙ୍କ ସହିତ ଆଲୋଚନା ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନ୍ୱୟନ ହୋଇ ନଥିବାରୁ ଶିକ୍ଷକମାନେ ବାଧ୍ୟ ହୋଇ ରାଜରାସ୍ତାକୁ ବାଛିନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଆବାହକ ବଙ୍କିମ ଚନ୍ଦ୍ର ସାଗରଙ୍କ ନେତୃତ୍ୱରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ସାମିଲ ହେବା ଯୋଗୁଁ ବିଦ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ସତ୍ତ୍ବେ ହଜାର ହଜାର ଶିକ୍ଷକ,ଶିକ୍ଷୟିତ୍ରୀ ଧାରଣାରେ ବସିରହିଛନ୍ତି। ସଂଘ ପକ୍ଷରୁ ପ୍ରାଥମିକ ଶିକ୍ଷକଙ୍କ ଯୋଗ୍ୟତା ଯୁକ୍ତଦୁଇ ସିଟିକୁ ଉନ୍ନୀତ କରି ଓ ପଦବୀ ଉନ୍ନିତ କରି ମୂଳ ଦରମା ୫ହଜାର ୨ଶହ ସହିତ ଗ୍ରେଡ ପେ ୨୮୦୦ ସଂଶୋଧିତ ହାତରେ ପ୍ରଦାନ, କନିଷ୍ଠ ଶିକ୍ଷକଙ୍କୁ ସପ୍ତମ ବେତନ କମିଶନ ହାରରେ ୨୫ ପ୍ରତିଶତ ବୃଦ୍ଧି, କ୍ରୀଡା ଶିକ୍ଷକଙ୍କୁ ୬ ବର୍ଷରେ ନିୟମିତ କରିବା,୨୦୦୫ରୁ ନିଯୁକ୍ତି ପାଇଥିବା ସମସ୍ତ ବର୍ଗର ଶିକ୍ଷକଙ୍କ ନୂତନ ପେନ୍ସନ ଉଚ୍ଛେଦ କରି ପୁରୁଣା ପେନସନ ପୁନଃ ପ୍ରଚଳନ କରିବାକୁ ସଂଘ ଦାବି କରିଛି। ଯେ ପର୍ଯ୍ୟନ୍ତ ସଂଘର ଦାବି ପୂରଣ ହୋଇ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳରୁ ହଟିବୁ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।ସେହିପରି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ପକ୍ଷରୁ ବିଧାୟକଙ୍କ ବାସଭବନ ଘେରାଉ କରାଯାଇଛି। ବର୍ଷାଭିଜା ପୋଷାକରେ ଅହୋରାତ୍ର ବସିରହିବା ପରେ ଆଜି ସକାଳୁ ବିଭିନ୍ନ ବିଧାୟକଙ୍କ ବାସଭବନ ସମ୍ମୁଖରେ ଶିକ୍ଷକ ଓ ଅଧ୍ୟାପକ ଧାରଣା ଦେଇଥିଲେ। ଆସନ୍ତାକାଲି ବିଧାନସଭାରେ ଶିକ୍ଷକମାନଙ୍କ ସମସ୍ୟାକୁ ନେଇ ମୁଲତବୀ ପ୍ରସ୍ତାବ ମାଧ୍ୟମରେ ଆଲୋଚନା ହୋଇପାରେ ବୋଲି ମିଳିତମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଆଶାବ୍ୟକ୍ତ କରିଛନ୍ତି।
ମିଳିତମଞ୍ଚର ନିଷ୍ପତ୍ତି ମୁତାବକ ଆଜିଠାରୁ ଓଡ଼ିଶାର ସମସ୍ତ ସ୍କୁଲ୍ କଲେଜର ଶିକ୍ଷକ ଅଧ୍ୟାପକ କର୍ମଚାରୀମାନେ କାର୍ଯ୍ୟବନ୍ଦ କଲେ। କୌଣସି ଗୋଟିଏ ହେଲେ ସ୍କୁଲ୍ ଓ କଲେଜ ଖୋଲିନାହିଁ ବୋଲି ମିଳିତମଞ୍ଚ ପକ୍ଷରୁ କୁହାଯାଇଛି।