ବିଧାନସଭାରେ ଥମୁନି ତେଲ ତାତି

0

ଭୁବନେଶ୍ୱର : ତେଲ ଦର ବୃଦ୍ଧି ଓ ଶିକ୍ଷକ ସମସ୍ୟା ନେଇ ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି। କ୍ରମାଗତ ଭାବେ ତୃତୀୟ ଦିନ ଧରି ବିଧାନସଭାରେ ପ୍ରଶ୍ନକାଳ ଅଚଳ ହୋଇଛି। ପ୍ରଥମ ଦୁଇ ଦିନ କଂଗ୍ରେସ ପକ୍ଷରୁ ତେଲ ତାତି ଓ ଶିକ୍ଷକଙ୍କ ଦାବି ପ୍ରସଙ୍ଗ ଏବଂ ବିଜେପି ପକ୍ଷରୁ ଚାରା ଦୁର୍ନୀତି ନେଇ ଗୃହରେ ପ୍ରଶ୍ନ କାଳ ବାଧାପ୍ରାପ୍ତ ହୋଇଥିବାବେଳେ ଆଜି ଶାସକ ବିଜେଡ଼ି ସଭ୍ୟମାନେ ତୈଳ ଦର ବୃଦ୍ଧିକୁ ନେଇ ହୋ ହଲ୍ଲା କରିବାରୁ ଗୃହ କାର୍ଯ୍ୟ ଅଚଳ ହୋଇଥିଲା। ଶାସକ- ବିରୋଧୀଙ୍କ ତୁମୁଳ ହଟ୍ଟଗୋଳ ଭିତରେ ବାଚସ୍ପତି ଆଜି ଗୃହକୁ ୧୦ଟା ୩୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପୁଣି ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ବେଳେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ବିଧାନସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତୈଳ ଦର ବୃଦ୍ଧିକୁ ନେଇ ବିଜେଡ଼ି ବିଧାୟକମାନେ ପ୍ରତିବାଦ କରିଥିଲେ। ପ୍ରଥମେ ବିଜେଡ଼ି ବିଧାୟକ ସଞ୍ଜୟ ଦାସବର୍ମା ଏ ପ୍ରସଙ୍ଗ ଉଠାଇଥିଲେ। ତୈଳ ଦର ବୃଦ୍ଧି ପାଇଁ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରିଥିଲେ। ତାଙ୍କ ସହିତ ଶାସକ ଦଳର ସଭ୍ୟ ସମୀର ଦାସ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡ଼ାଇ ଓ ଅନ୍ୟ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇଥିଲେ।
ଅନ୍ୟପକ୍ଷରେ କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି ଓ ଅନ୍ୟ ସଭ୍ୟମାନେ ଶିକ୍ଷକଙ୍କ ଦାବି ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସ୍ଥିର ହୋଇଥିବାରୁ ଗୃହ କାର୍ଯ୍ୟ ଚଳାଇବାକୁ ଦାବି କରିଥିଲେ।
ସେପଟେ ବିଜେପି ସଭ୍ୟମାନେ ଚାରା ଦୁର୍ନୀତି, ଶିକ୍ଷକଙ୍କ ଦାବି ନେଇ ହୋ ହଲ୍ଲା କରିଥିଲେ। ବିଜେପି ସଭ୍ୟ ପ୍ରଦୀପ ପୁରୋହିତ, ରବି ନାୟକ ଓ ଅନ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଚାରା ଦୁର୍ନୀତି ଓ ଶିକ୍ଷକ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ। ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଶାସକ ଓ ବିରୋଧୀଙ୍କ ଗର୍ଜନ ଯୋଗୁଁ ଗୃହ ଏକପ୍ରକାର ଅଚଳ ହୋଇପଡ଼ିଥିଲା। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଗୃହ ମୁଲତବୀ ହେବା ପରେ ଶାସକ ବିଜେଡ଼ି ସଭ୍ୟମାନେ ଶୋଭାଯାତ୍ରାରେ ଯାଇ ରାମ ମନ୍ଦିର ନିକଟରେ ଥିବା ପେଟ୍ରୋଲ ଟାଙ୍କିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଗୃହ ବହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସାମ୍ବାଦିକମାନଙ୍କୁ କହିଥିଲେ ଯେ ରାଜ୍ୟରେ ଶିକ୍ଷକ ସମସ୍ୟା ଉତ୍କଟ ରୂପ ନେଇଛି। ବାଚସ୍ପତିଙ୍କୁ ସର୍ବଦଳୀୟ ବୈଠକ ଡ଼ାକିବାକୁ ଅନୁରାଧ କରାଯାଇଥିଲେ ହେଁ ସେ ଏ ଦିଗରେ ପଦକ୍ଷେପ ନେଲେନାହିଁ। ଶିକ୍ଷା ଓ ଶିକ୍ଷକ ବିଷୟରେ ଗୃହରେ ମୁଲତବ ପ୍ରସ୍ତାବ ଅଣାଯାଇଥିଲା। ବାଚସ୍ପତି ଏହାକୁ ଗ୍ରହଣ କରି ଆଜି ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିଥିଲେ। ପ୍ରଥମେ କଂଗ୍ରେସ ତୈଳ ଦର ବୃଦ୍ଧି ବିଷୟ ବିଧାନସଭାରେ ଉଠାଇବାବେଳେ ଶାସକ ଦଳ ଶୋଇଥିଲା। ଆଜି ହଠାତ ନିଦ୍ରା ଭଙ୍ଗ ହେଲା। ସେମାନେ ଗୃହରେ ପ୍ରତିବାଦ କରି ଗୃହକୁ ଅଚଳ କରିଦେଲେ। ସେମାନେ ବାସ୍ତବରେ ଶିକ୍ଷକ ସମସ୍ୟାର ସମାଧାନ ଚାହାନ୍ତି ନାହିଁ। ସରକାରୀ ଦଳର ଆଭିମୁଖ୍ୟ ନିନ୍ଦନୀୟ। ଏହାଛଡ଼ା ବିଧାନସଭାକୁ ବାଚସ୍ପତି ଏକକାଳୀନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିବା ଶୋଭନୀୟ ନୁହେଁ। ଗୃହକୁ ପ୍ରଶ୍ନ କାଳରେ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଉଥିଲା। ଶୂନ୍ୟକାଳରେ ସଦସ୍ୟଙ୍କ କଥା ଉଠୁଥିଲା ଆଜି ସେଥିରେ ବ୍ୟତିକ୍ରମ ଦେଖାଦେଇଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ।
ଅପରାହ୍ଣ ଅଧି​‌େ‌ବଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓକିଲଙ୍କୁ ପୁଲିସର ମାଡ଼, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଓ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ସେ କହିଥିଲେ। ବିଧାନସଭା ଚାଲିଥିବାରୁ ଏହା ଉପରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବା ପାଇଁ ସେ ଦାବି କରିଥିଲେ।
ଶ୍ରୀ ମିଶ୍ର କହିଥିଲେ, କିଛି ପୁଲିସ କର୍ମଚାରୀ ହାଇକୋର୍ଟ ଓକିଲଙ୍କ ଉପରେ ଆକ୍ରମଣ କରିଛନ୍ତି। ପୁଲିସ ନାମରେ ମାମଲା ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ଫିଙ୍ଗି ଲୋକଙ୍କୁ ଗିରଫ କରାଯାଉଛି ଅଥଚ ଓକିଲଙ୍କୁ ମାଡ଼ ମାରିଥିବା ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ପୁଲିସ-ଓକିଲ ବିବାଦ ଯୋଗୁଁ ଆଇନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସେହିପରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଆନ୍ଦୋଳନ ଚାଲିଛି। ମୁଖ୍ୟମନ୍ତ୍ରୀ ଚିଠି ଲେଖି ଚୁପ ବସିଛନ୍ତି। ଉଭୟ ଘଟଣାରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବା ଆବଶ୍ୟକ ବୋଲି ସେ କହିଥିଲେ।
ସେହିପରି ଶିକ୍ଷକ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହା ଉପରେ ବିରୋଧୀ ଦଳ ପକ୍ଷରୁ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ଏଡ଼ାଇବା ପାଇଁ ସରକାରୀ ଦଳ ହଟ୍ଟଗୋଳ କରି ଗୃହ କାର୍ଯ୍ୟ ବନ୍ଦ କଲେ। ଘଟଣାରେ ବାଚସ୍ପତି ହସ୍ତକ୍ଷେପ କରନ୍ତୁ। ସର୍ବଦଳୀୟ ବୈଠକ ଡକାଯାଉ।
ଏହି ଅବସରରେ ସେ କହିଥିଲେ, ଆଜିର ଘଟଣାରୁ ଜଣା ପଡ଼ିଲା ବିଜେଡିର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ବିରୋଧରେ ଆନ୍ଦୋଳନ ପାଇଁ ଗୃହକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ରାଜନୈତିକ ଦଳର କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଠିକ ନୁ​‌େ​‌ହଁ। ଆମେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କଥା ଉଠାଇବା ବେଳେ ବିଜେଡି ଚୁପ ବସିଥିଲା। ଆସନ୍ତା ୧୦ ତାରିଖରେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଇଛି। ସେଦିନ ବିଜେଡି ଗୃହ ବନ୍ଦ କରି ସାମିଲ ହେବେ​‌ କି ବୋଲି ସେ ପ୍ରଶ୍ନ କରିଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ।
ଆଜି ଥିଲା ବେସରକାରୀ ସଦସ୍ୟଙ୍କ କାର୍ଯ୍ୟ ଦିବସ। ଶନିବାର ଓ ରବିବାର ଛୁଟି ଥିବାରୁ ଗୃହ କାର୍ଯ୍ୟ ମୁଲତବୀ ରଖିବାକୁ ବିଧାୟକ ପ୍ରଫୁଲ୍ଲ ମାଝି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ନିଆଯିବାକୁ ଥିବା ବିଧେୟକ ଓ ସଙ୍କଳ୍ପ ପରବର୍ତ୍ତୀ ସମୟରେ ନିଆଯାଇ ପାରିବ ବୋଲି ସେ କହିଥିଲେ। ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏହାକୁ ସମର୍ଥନ କରିଥିଲେ। ବାଚସ୍ପତି ପ୍ରଦୀପକୁମାର ଅମାତ ଗୃହ କାର୍ଯ୍ୟ ସୋମବାର ପୂର୍ବାହ୍ନ ୧୦.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ଣ ଅଧିବେଶନ ମାତ୍ର ୧୪ ମିନିଟ ଚାଲିଥିଲା।

Leave A Reply