ବିଜେଡି-କଂଗ୍ରେସର ଅସାଧୁ ମେଣ୍ଟ:ବିଜେପି

0

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ବନ୍ଦ ଡାକରା କେବଳ କଂଗ୍ରେସର ନୁହେଁ ବିଜେଡି ଓ କଂଗ୍ରେସର ଯୌଥ ଉଦ୍ୟମ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ବିଧାନସଭାରେ କଂଗ୍ରେସର ବନ୍ଦକୁ ସମର୍ଥନ କରିବା ପାଇଁ କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ଅନୁରୋଧ କରିଥିଲେ। ନବୀନ ବାବୁଙ୍କ ସରକାର ଏଥିରେ କାଳବିଳମ୍ବ ନକରି ସରକାରୀ ପ୍ରାଯୋଜିତ ଅଘୋଷିତ ବନ୍ଦ ପାଇଁ ସ୍କୁଲ, କଲେଜ ବନ୍ଦ ଘୋଷଣା କରି ରାଜ୍ୟ ସରକାରଙ୍କ ସମର୍ଥନକୁ ବ୍ୟକ୍ତ କଲେ। ଏଥିରୁ କଂଗ୍ରେସ ଓ ବିଜେଡ଼ିର ଅସଲ ଚେହେରା ପଦାକୁ ଆସିଲା। ଶ୍ରୀ ମହାନ୍ତି କହିଛନ୍ତି ଯେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ଦେଶରେ ତୈଳଦର ବୃଦ୍ଧିନେଇ ତାଙ୍କ ଦଳ ଚିନ୍ତିତ ଅଛି। ମାତ୍ର ସାଧାରଣ ଖାଉଟିଙ୍କ ସୁବିଧା ପାଇଁ ନୁହେଁ ବରଂ ନିଜର କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟରେ ବିଜେଡି ଓ କଂଗ୍ରେସ ଅଘୋଷିତ ମେଣ୍ଟ କାର୍ଯ୍ୟ କରୁଛିି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ୨୦୧୪ରେ ତୈଳରୁ ରାଜ୍ୟ ସରକାରଙ୍କ ଭାଟ୍‍ ୩ ହଜାର କୋଟି ୨୦୧୮ ସୁଦ୍ଧା ୭ହଜାର କୋଟିରେ ପହଞ୍ଚିଛି। ଏହା ଦେଶର କୌଣସି ବି ରାଜ୍ୟ ତୁଳନାରେ ସର୍ବାଧିକ ଓ ୨୦୧୪ ତୁଳନାରେ ୨୦୧୮ରେ ୧୩୯ ପ୍ରତିଶତ ରାଜ୍ୟର ତୈଳ ଟିକସରୁ ଆୟ ବୃଦ୍ଧି ଘଟିଛି। ଯଦି ଖାଉଟିଙ୍କ ସ୍ୱାର୍ଥ ପ୍ରତି ଚିନ୍ତା ଥାଆନ୍ତା ତାହାହେଲେ ସରକାର ରାଜ୍ୟରେ ନିଜସ୍ୱ ତୈଳ ଟିକସ କମ୍‍ କରି ସାଧାରଣ ଜନତାଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସନ୍ତେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave A Reply