ବଂଶଧାରା ନଦୀ ଜଳ ବିବାଦ ଶୁଣାଣି: ମିଳିତ ସର୍ଭେକୁ ଓଡ଼ିଶାର ଆପତ୍ତି

ନୂଆଦିଲ୍ଲୀ : ନେରେଡ଼ି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ପ୍ରଭାବିତ ଅଞ୍ଚଳ ଜାଣିବା ପାଇଁ ଓଡ଼ିଶା, ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କ ଏକ ମିଳିତ ଟିମ ଦ୍ୱାରା ସର୍ଭେ କରିବା ସଂକ୍ରାନ୍ତୀ ବଂଶଧାରା ଜଳ ବିବାଦ ଟ୍ରାଇବୁନାଲଙ୍କ ନିର୍ଦେଶନାମାକୁ ଓଡ଼ିଶା ସରକାର ବିରୋଧ କରିଛନ୍ତି। ଟ୍ରାଇବୁନାଲଙ୍କ ଗତ ଅପ୍ରେଲ ୫ର ଏହି ନିର୍ଦେଶନାମାକୁ ବିରୋଧ କରି ଓଡ଼ିଶା ସରକାର ଏକ ନୂଆ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନୂତନ ପ୍ରସ୍ତାବ ଅନୁଯାୟୀ ପ୍ରଭାବିତ ଅଞ୍ଚଳର
ଫିଜିକାଲ ସର୍ଭେ ବଦଳରେ ସାଟେଲାଇଟ ସର୍ଭେ କରାଯାଉ। ସାଟେଲାଇଟ ସର୍ଭେ ଦ୍ୱାରା ଓଡ଼ିଶାପାର୍ଶ୍ବ ପ୍ରଭାବିତ ଅଞ୍ଚଳର ସଠିକ୍‍ ଚିତ୍ର ଜଣାପଡ଼ିବ ବୋଲି ଆଜି ମାମଲାର ଶୁଣାଣି ବେଳେ ଦର୍ଶାଯାଇଥିଲା। ସର୍ଭେ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଆପତ୍ତି ପରେ ଟ୍ରାଇବୁନାଲର ଅଧ୍ୟକ୍ଷ ମୁକୁନ୍ଦମ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାର ଓ ଆନ୍ଧ୍ର ପ୍ରଦେଶର ମତାମତ ଜାଣିବା ପାଇଁ ନୋଟିସ ଜାରି କରିଛନ୍ତି। ଜବାବ ଦାଖଲ ପାଇଁ ଉଭୟ କେନ୍ଦ୍ର ଓ ଆନ୍ଧ୍ରକୁ ଚାରି ସପ୍ତାହ ମହଲତ ଦିଆଯାଇଛି। ଓଡ଼ିଶା ସରକାର ପରବର୍ତ୍ତୀ ଦୁଇ ସପ୍ତାହ ମଧ୍ୟରେ ପ୍ରତିଜବାବ ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଟ୍ରାଇବୁନାଲ ଅଗଷ୍ଟ ୨୭, ସେପଟେମ୍ବର ୪ ଓ ୫ ତିନି ଦିନ ଧାର୍ଯ୍ୟ କରାଯାଇଛି। ପ୍ରକାଶ ଯେ ଟ୍ରାଇବୁନାଲର ଅପ୍ରେଲ ୫ ନିର୍ଦେଶନାମାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏବେ ସୁପ୍ରିମକୋର୍ଟରୁ ମାମଲାକୁ ପ୍ରତ୍ୟାହର କରି ରାଜ୍ୟ ସରକାର ଟ୍ରାଇବୁନାଲଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

kalyan agarbati

Comments are closed.