ପୂର୍ବ ଶତ୍ରୁତା ଓ ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୦ ଗିରଫ
ଆଠଗଡ : ଆଠଗଡ ଏନଏସି ଅନ୍ତର୍ଗତ କନ୍ତୋଲ ହାଟ ନିକଟସ୍ଥ ମୁସଲିମ୍ ସାହିରେ ପୂର୍ବ ଶତ୍ରୁତା ଓ ଗାଡି ପାର୍କିଂ ନେଇ ବୁଧବାର ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ପକ୍ଷରୁ ଆଠଗଡ ଥାନାରେ ପୃଥକ ପୃଥକ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୦ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣାର ବିବରଣୀରୁ ପ୍ରକାଶ କନ୍ତୋଲ ଦକ୍ଷିଣ ଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ତପରେ ବୁଧବାର କମରୁନ ବିବିଙ୍କ ଝିଅର ବିବାହ ଉତ୍ସବ ହୋଇଥିଲା। ବିବାହ କାର୍ଯ୍ୟ ଶେଷ ପରେ ଝିଅଜ୍ୱାଇଁ ଘରକୁ ଯିବା ସମୟରେ ହାଟ ସାହି ମୁସଲିମ ବସ୍ତିର ଉସମାନ୍ ମହମ୍ମଦ୍, ରମଜାନ୍ ମହମ୍ମଦ୍ ପ୍ରମୁଖ ସଙ୍ଘବଦ୍ଧ ହୋଇ ବିବାହ ସ୍ଥାନରେ ଗାଡି ଅବରୋଧ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବରଯାତ୍ରୀଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଝିଆରୀ ସକିନାଙ୍କ ବେକରେ ଥିବା ସୁନାଚେନ ଲୁଟି ନେଇଯାଇଥିବା ନେଇ ଆଠଗଡ ଥାନାରେ କମରୁନ ବିବି ଅଭିଯୋଗ କରିଛନ୍ତି। ସେହିପରି ସାଇନାସ୍ ବିବି ମଧ୍ୟ ଆଠଗଡ ଥାନାରେ ଅନୁରୂପ ଅଭିଯୋଗ କରିଛନ୍ତି। ସାଇନାସଙ୍କ ସାନଭାଇ ଇମରାନ ମହମ୍ମଦଙ୍କୁ ଜୀବନରେ ମାରିଦେବା ପାଇଁ କରିମ ମହମ୍ମଦ ଓରଫ ବଣ୍ଟି ଓ ଅନ୍ଯମାନେ ସଂଘବଦ୍ଧ ଭାବରେ ଆସି ଖଣ୍ତା ଧରି ଜଗିରହିଥିବା ବେଳେ ଘଟଣାସ୍ଥଳରେ ଭିଡିଓ ଉତ୍ତୋଳନ କରିବାରୁ କରିମ ଖଣ୍ତାରେ ଆକ୍ରମଣ କରିଥିଲେ ବୋଲି ସାଇନାସ ବିବି ଅଭିଯୋଗ କରିଛନ୍ତି । ଖବର ପାଇଁ କଟକ ଗ୍ରାମାଞ୍ଚଳର ଅତିରିକ୍ତ ଏସପି ଶୁଭନାରାୟଣ ମୁଦୁଲି, ଆଇଆଇସି ଅନିରୁଦ୍ଧ ମୁଦୁଲି ଓ ଅନ୍ଯ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପରିସ୍ଥିତି ପ୍ରତି ତୀକ୍ଷଣ ନଜର ରଖିଛନ୍ତି। ପୁଲିସ ଦୁଇଜଣଙ୍କ ପୃଥକ ଅଭିଯୋଗ ଆଧାରରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଉଭୟ ପକ୍ଷର ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣାପଡିଛି।
Comments are closed.