ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କୁ ଧକ୍କା ମାରି ଜଣେ ଗିରଫ
ପିପିଲି : ପୁରୀ ଜିଲା ଡେଲାଙ୍ଗ ବ୍ଲକ ଖେଲାଉର ଗ୍ରାମ ପଞ୍ଚାୟତରେ ଫନିି’ ବାତ୍ୟା ଜନିତ ଘରଭଙ୍ଗା ତଦନ୍ତ ସମୟରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଧକ୍କା ମାରିବା ଘଟଣାରେ ପିପିଲି ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଛଢାଉ ଜାରି ରଖିଥିବା ସୂଚନା ମିଳିଛି।
ସୂଚନା ମୁତାବକ, ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାମୁଦ୍ରିକ ବାତ୍ୟା ଫନିି’ରେ ଡେଲାଙ୍ଗ ତହସିଲରେ ଘରଭଙ୍ଗା ସହାୟତାର ସ୍ୱତନ୍ତ୍ର ତଦନ୍ତ ପାଇଁ ଓଏସ୍ଏ ଅଫିସରଙ୍କୁ ନେଇ ୪ଟି ଟିମ୍ ଗଠନ କରାଯାଇ ସର୍ଭେ କରାଯାଉଛି। ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା, ଖେଲାଉର ପଞ୍ଚାୟତର ପିଇଓ ଯଦୁମଣୀ ଦାସ ଓ ଜଣେ ପୁଲିସ କନେଷ୍ଟବଳ ସୂର୍ଯ୍ୟମଣୀ ଦଳାଇ ପ୍ରମୁଖ ଗତ ୧୦ ତାରିଖ ଅପରାହ୍ନ ସାଢେ ୩ଟା ସମୟରେ ଖେଲାଉର ଗ୍ରାମରେ ତଦନ୍ତ କରୁଥିବା ସମୟରେ ୪ଜଣ ଯୁବକ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପିଇଓ ଶ୍ରୀଦାସଙ୍କୁ ସେମାନେ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଲିଗୁଲଚ କରି ଧମକଚମକ ଦେବା ସହ ତାଙ୍କ ମୁଁହ ଉପରକୁ ଛେପ ପକାଇ ଧକ୍କା ମାରିଥିଲେ। ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଉକ୍ତ ଅଧିକାରୀମାନେ ସେଠାରୁ ପଳାଇ ଆସିଥିଲେ। ଏସଂପର୍କରେ ପିପିଲି ପୁଲିସରେ ଗୁରୁବାର ଲିଖିତ ଅଭିଯୋଗ ହେବା ପରେ ପିପିଲି ଆଇଆଇସି ଶରତ କୁମାର ସାହୁ, ଏସ୍ଆଇ ସନ୍ଦୀପ ଦାସ, ଏଏସ୍ଆଇ ବିନୟ କୁମାର ଦାସ ପ୍ରମୁଖ ଖେଲାଉର ଗ୍ରାମରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ଶିବ କୁମାର ହରିଚନ୍ଦନ(୩୮)କୁ ଗିରଫ କରିଥିବା ସୂଚନା ମିଳିଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରୀଆ ଘରଭଙ୍ଗା ସର୍ଭେ ସମୟରେ ସମସ୍ତଙ୍କ ସହଯୋଗ କାମନା କରିଥିବା ବେଳେ ସର୍ଭେ ବେଳେ ଅଧିକ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
Comments are closed.