ଦିନିକିଆ ମାନ୍ୟତାରେ ୪ ନୂଆ ରାଷ୍ଟ୍ର ସାମିଲ

0

ଦୁବାଇ : ଆଇସିସି ତରଫରୁ ପ୍ରକାଶିତ ହେଉଥିବା ଦିନିକିଆ ମାନ୍ୟତାରେ ୪ଟି ନୂଆ ରାଷ୍ଟ୍ରଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି। ନେପାଳ, ନେଦରଲ୍ୟାଣ୍ଡସ୍‍, ସ୍କଟଲ୍ୟାଣ୍ଡ ଓ ୟୁଏଇ ଦଳକୁ ଦିନିକିଆ ମାନ୍ୟତାରେ ସାମିଲ କରାଯାଇଥିବା ଶୁକ୍ରବାର ଆଇସିସି ତରଫରୁ ଘୋଷଣା କରାଯାଇଛି। ପୂର୍ବରୁ ଦିନିକିଆ ମାନ୍ୟତାରେ ୧୨ଟି ଦଳକୁ ସାମିଲ କରାଯାଉଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୧୬ରେ ପହଞ୍ଚିଛି। ଆଗାମୀ ଦିନରେ ଏହି ୪ଟି ନୂଆ ରାଷ୍ଟ୍ର ଯେଉଁ ସବୁ ଦିନିକିଆ ମ୍ୟାଚ୍‍ ଖେଳିବେ ସେଗୁଡ଼ିର ଫଳାଫଳ ଅନୁଯାୟୀ ସେମାନଙ୍କୁ ମାନ୍ୟତା ପ୍ରଦାନ କରାଯିବ। ଗତବର୍ଷ ଆଇସିସି ୱାଲଡ କ୍ରିକେଟ୍‍ ଲିଗ୍‍ ଚମ୍ପିଆନ୍‍ସିପ ଜିତିଥିବା ନେଦରଲ୍ୟାଣ୍ଡସ୍‍ ଦିନିକିଆ ମାନ୍ୟତାରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆଇସିସି କ୍ରିକେଟ୍‍ ବିଶ୍ୱକପ୍‍ କ୍ୱାଲିଫାୟାରରେ ସ୍କଟଲ୍ୟାଣ୍ଡ, ନେପାଳ ଓ ୟୁଇଏର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେମାନଙ୍କୁ ଦିନିକିଆ ମାନ୍ୟତାରେ ସାମିଲ କରାଯାଇଥିବା ଆଇସିସି ତରଫରୁ ସୂଚନା ଦିଆଯାଇଛି। ସୂଚନାଥାଉକି ଦିନିକିଆ ମାନ୍ୟତାର ୧ନଂ ସ୍ଥାନରେ ଇଂଲଣ୍ଡ ରହିଥିବା ବେଳେ ୨ନଂରେ ଭାରତ ଓ ୩ନଂରେ ଦକ୍ଷିଣ ଆଫ୍ରିକା ଦଳ ରହିଛି। ମାନ୍ୟତାର ୬ନଂରେ ପାକିସ୍ତାନ ରହିଛି। ଆୟର୍ଲାଣ୍ଡ ୧୨, ସ୍କଟଲ୍ୟାଣ୍ଡ ୧୩ ଓ ୟୁଏଇ ୧୪ ନଂରେ ରହିଛନ୍ତି। ନେପାଳ ଓ ନେଦରଲ୍ୟାଣ୍ଡସ୍‍ ଟେବୁଲରେ ସ୍ଥାନ ପାଇବାକୁ ହେଲେ ଆଉ ୪ଟି ଲେଖାଏଁ ମ୍ୟାଚ୍‍ ଖେଳିବାକୁ ପଡ଼ିବ।

Leave A Reply