ଦର୍ଶକ ସଂଖ୍ୟାରେ ୱିମ୍ବଲଡନ୍‍, ଫିଫା ବିଶ୍ୱକପ୍‍କୁ ପଛରେ ପକାଇଲା ଏସୀୟ କ୍ରୀଡ଼ା

0

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‍ ଫୁଟବଲ ଓ ୱିମ୍ବଲଡନ୍‍ ଟେନିସ୍‍ ଟୁର୍ଣ୍ଣାମେଣ୍ଟ ଅପେକ୍ଷା ଅଧିକ ସଂଖ୍ୟକ ଭାରତୀୟ ଦର୍ଶକ ଟେଲିଭିଜନ୍‍ ମାଧ୍ୟମରେ ଏସୀୟ କ୍ରୀଡ଼ାକୁ ଉପଭୋଗ କରିଥିବା ଜଣାପଡ଼ିଛି। ଏସୀୟ କ୍ରୀଡ଼ାକୁ ଟେଲିଭିଜନ୍‍ରେ ୧୧୨ ନିୟୁତ ଦର୍ଶକ ଉପଭୋଗ କରୁଥିବା ପ୍ରସାରଣକାରୀ ସଂସ୍ଥା ସୂତ୍ରରୁ ଜଣାପଡ଼ିଛି। ଏହି ହିସାବକୁ ଦୃଷ୍ଟି ଦେଲେ ପ୍ରତିଦିନ ପାଖାପାଖି ୮ ନିୟୁତ ଦର୍ଶକ ଏସୀୟ କ୍ରୀଡ଼ା ଉପଭୋଗ କରିଛନ୍ତି। ଏସୀୟ କ୍ରୀଡ଼ାକୁ ମୋଟ୍‍ ୯ଟି ଚ୍ୟାନେଲ୍‍ରେ ପ୍ରସାରଣ କରାଯାଇଥିଲା। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନୁଯାୟୀ ଏସୀୟ କ୍ରୀଡ଼ାକୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକେ ବେଶ୍‍ ଉପଭୋଗ କରୁଥିଲେ। ୨୦୧୪ରେ ୪୦.୯ ନିୟୁତ ଦର୍ଶକ ଓ ୨୦୧୨ରେ ୩୨.୬ ନିୟୁତ ଦର୍ଶକ ଏସୀୟ କ୍ରୀଡ଼ାକୁ ଟେଲିଭିଜନ୍‍ରେ ଉପଭୋଗ କରିଥିଲେ। ଚଳିତ ଏସୀୟ କ୍ରୀଡ଼ାରେ ଦର୍ଶକଙ୍କ ସଂଖ୍ୟା ବ୍ୟାପକ ଭାବେ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଫିଫା ବିଶ୍ୱକପ୍‍କୁ ୧୧୦ ନିୟୁତ ଏବଂ ୱିମ୍ବିଲଡନ୍‍କୁ ୧୯ ନିୟୁତ ଭାରତୀୟ ଦର୍ଶକ ଟେଲିଭିଜନ୍‍ ମାଧ୍ୟମରେ ଉପଭୋଗ କରିଥିବା ଜଣାପଡ଼ିଛି। ତେବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍। ଏହାକୁ ୫୩୦ ନିୟୁତ ଦର୍ଶକ ଟେଲିଭିଜନ୍‍ ମାଧ୍ୟମରେ ଦେଖିଥିଲେ। ଏସୀୟ କ୍ରୀଡ଼ା ଦର୍ଶକ ସଂଖ୍ୟାରେ ବହୁଳମାତ୍ରାରେ ବୃଦ୍ଧି ପାଇଥିବା ସଂପର୍କରେ ଏକ ପ୍ରସାରଣକାରୀ ସଂସ୍ଥାର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଏସୀୟ କ୍ରୀଡ଼ାରେ ଭାରତର ବିଭିନ୍ନ ରାଜ୍ୟର ଖେଳାଳି ପ୍ରତିନିଧିତ୍ୱ କରିଥାନ୍ତି, ତେଣୁ ସେମାନଙ୍କ ପ୍ରଦର୍ଶନ ଦେଖିବାକୁ ସଂପୃକ୍ତ ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା। କେବଳ ସହର ନୁହେଁ ବରଂ ଗ୍ରାମାଞ୍ଚଳରେ ମଧ୍ୟ ଏସୀୟ କ୍ରୀଡ଼ା ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା। ତେଣୁ ଦର୍ଶକଙ୍କ ସଂଖ୍ୟା ବିପୁଳ ପରିମାଣରେ ବୃଦ୍ଧି ପାଇଥିଲା।

Leave A Reply